Midnight Raid : ରାତି ଅଧରେ ଡକାୟତି ପ୍ଲାନ୍, ପୋଲିସ କଲା ଫେଲ୍
ରାତିର ଅନ୍ଧାରରେ ଚାଲିଥିଲା ବଡ଼ ଡକାୟତିର ଷଡ଼ଯନ୍ତ୍ର! ହଠାତ୍ ମାଡ଼ି ବସିଲା ପୋଲିସ… ୩ ଦୁର୍ବୃତ୍ତ ଗିରଫ, ଆଉ ୩ ଫେରାର! ଘଟଣାସ୍ଥଳରୁ ମିଳିଲା ଭୟଙ୍କର ସାମଗ୍ରୀ।
ଡକାୟତି ଯୋଜନା କରୁଥିବା ବେଳେ ମାଡ଼ି ବସିଲା ପୋଲିସ। ଛିନତାଇ ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କୁ ଗିରଫ କରିଛି ବସ୍ତା ପୋଲିସ। ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ହଳଦୀପଦା ବାଇପାସ ନିକଟରେ ଏହି ଚଢ଼ାଉ କରାଯାଇଥିଲା।ସୂଚନା ଅନୁଯାୟୀ, ହଳଦୀପଦା ପେଟ୍ରୋଲ ପମ୍ପ ନିକଟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଯୋଜନା କରୁଥିବା ନେଇ ବସ୍ତା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଏହାପରେ ପୋଲିସ ଅଚାନକ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୩ ଜଣ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅନ୍ୟ ୩ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲା ପୋଲିସ।ଗିରଫ ଅଭିଯୁକ୍ତଙ୍କ ନିକଟରୁ ୪ଟି ତେଲେଙ୍ଗା କଟୁରୀ, ୪ଟି ମୋବାଇଲ ଫୋନ୍ ଏବଂ ଗୋଟିଏ କାର୍ ଜବତ କରାଯାଇଛି। ଏହି ଗ୍ୟାଙ୍ଗର ସଦସ୍ୟଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି। ଏନେଇ ବାଲେଶ୍ୱର ଅତିରିକ୍ତ ଏସପି ପରେଶ କୁମାର ରାଉତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି।
