Nirma University controversy : ଛାତ୍ରର ମିମ୍ ଡାଇଲଗ୍ ଶୁଣି ପ୍ରଫେସରଙ୍କ ରାଗ ପଞ୍ଚମ,କଲର ଧରି ବିବାଦରେ
ବଲିଉଡର 'ଗୋଲମାଲ୍-3' ଡାଇଲଗ୍ କହି କଲେଜ ଫେଷ୍ଟରେ ଗୋଲମାଲ୍ | "ଜଲ୍ଦି ବୋଲ୍,ପନଭେଲ୍ ନିକଲନା ହୈ!" ଡାଇଲଗ୍ ଶୁଣି ପ୍ରଫେସର ଖପ୍ପା, ଛାତ୍ରର କଲର ଧରି ମଞ୍ଚକୁ ଘୋଷାଡ଼ିଲେ | ନିର୍ମା ୟୁନିଭରସିଟି ଘଟଣାରେ,ପ୍ରଫେସରଙ୍କ ଆଚରଣକୁ ନେଇ ବଢୁଛି ବିବାଦ |
ଅହମ୍ମଦାବାଦ:ଗୁଜରାଟର ପ୍ରସିଦ୍ଧ ନିର୍ମା ୟୁନିଭରସିଟି 'ଟେକ୍ନୋଫୋରା ୨୦୨୬' କଲେଜ ଫେଷ୍ଟରେ ଛାତ୍ର ଓ ପ୍ରଫେସରଙ୍କ ଡ୍ରାମା ସୋସିଆଲ ମିଡିଆରେ ଚହଳ ପକାଇଛି ! ଛାତ୍ରଙ୍କୁ ଭାରି ପଡିଥିଲା କମେଡ଼ି ଶୋ’ରେ କମେଡ଼ି କରିବା | ତେବେ, ଜଣେ ପ୍ରଫେସର ଛାତ୍ରର କଲର ଧରିବାକୁ ନେଇ ଜୋର ଧରିଛି ବିବାଦ। ଦର୍ଶକ ଗହଣରେ ବସିଥିବା ଜଣେ ଛାତ୍ର ଷ୍ଟାଣ୍ଡଅପ୍ କମେଡ଼ି ଶୋ’ ରେ ବଲିଉଡ୍ ଫିଲ୍ମ 'ଗୋଲମାଲ-୩'ର ଲୋକପ୍ରିୟ ଡାଇଲଗ୍ "ଜଲ୍ଦି ବୋଲ୍, କଲ୍ ସୁବହ ପନଭେଲ୍ ନିକଲନା ହୈ" ଚିତ୍କାର କରି କହିଥିଲେ। ବାସ ତାପରେ, ମଞ୍ଚରେ ଥିବା ପ୍ରଫେସରଙ୍କୁ କିଏ ସମ୍ଭାଳେ ? ରାଗରେ ପଞ୍ଚମ ହେଇଯାଇଥିଲେ ଇଲେକ୍ଟ୍ରୋନିକ୍ସ ବିଭାଗର ମୁଖ୍ୟ ପ୍ରଫେସର ହିମାଂଶୁ କେ. ପଟେଲ, ଛାତ୍ରଜଣଙ୍କୁ ମଞ୍ଚକୁ ଡାକି ତାଙ୍କ କଲର ଧରି ଗାଳିଗୁଲଜ କରିଥିଲେ ।
ସୋସିଆଲ ମିଡିଆରେ ଏହି ଭିଡିଓ ନିଆଁ ବେଗରେ ଭାଇରାଲ ହେବା ପରେ କଲେଜ ପ୍ରଫେସରଙ୍କ ଆଚରଣକୁ ନେଇ ପ୍ରଶ୍ନ ଉଠିଛି। ବିବାଦ ବଢିବା ଦେଖି ହସ୍ତକ୍ଷେପ କରିଛି ଛାତ୍ର ସଂଗଠନ NSUI ଆଉ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି। ତେବେ ପ୍ରଫେସର ପଟେଲ ନିଜ ସଫେଇ ରେ କହିଛନ୍ତି ଯେ, ଛାତ୍ରଜଣକ ଭୁଲ ସ୍ୱୀକାର କରି ତାଙ୍କ ପାଦ ଛୁଇଁ କ୍ଷମା ମାଗିଛନ୍ତି ଏବଂ ସେ ନିଜେ ମଧ୍ୟ ନିଜ ବ୍ୟବହାର ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ତେବେ,ନିର୍ମା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ଆନୁଷ୍ଠାନିକ ବୟାନ ଦେଇନାହାନ୍ତି।
