Nilagiri: ନୀଳଗିରିରେ ୮୦ତମ ଗଡ଼ଜାତ ମିଶ୍ରଣ ଦିବସ, ମନେ ପଡ଼ିଲା ପ୍ରଜାମଣ୍ଡଳ ଆନ୍ଦୋଳନ
ନୀଳଗିରିରେ ପାଳିତ ହେଲା ୮୦ତମ ଗଡ଼ଜାତ ମିଶ୍ରଣ ଦିବସ। ପ୍ରଜାମଣ୍ଡଳ ଆନ୍ଦୋଳନ, ସଂଗ୍ରାମୀଙ୍କ ବଳିଦାନ ଓ ୧୯୪୭ର ଐତିହାସିକ ମିଶ୍ରଣକୁ କରାଗଲା ସ୍ମରଣ।
ନୀଳଗିରି: ଦିନେ ରାଜବାଟୀରୁ ବାହାରୁଥିଲା ରାଜାଙ୍କ ଆଦେଶ। ମୁଣ୍ଡପାତି ତାହାକୁ ପାଳନ କରୁଥିଲେ ପ୍ରଜା। ହେଲେ ସମୟ ବଦଳିବା ସହ ବଦଳିଛି ଶାସନ ବ୍ୟବସ୍ଥା। ରାଜତନ୍ତ୍ରର ଅବସାନ ଘଟି ଗଣତନ୍ତ୍ରର ପ୍ରତିଷ୍ଠା ହୋଇଛି। ଏହି ଐତିହାସିକ ପରିବର୍ତ୍ତନର ସାକ୍ଷୀ ହେଉଛି ବାଲେଶ୍ୱର ଜିଲ୍ଲାର ନୀଳଗିରି। ଗଡ଼ଜାତ ମିଶ୍ରଣର ସ୍ମୃତିକୁ ଉଜ୍ଜୀବିତ କରି ନୀଳଗିରିରେ ପାଳିତ ହୋଇଛି ୮୦ତମ ଗଡ଼ଜାତ ମିଶ୍ରଣ ଦିବସ। ୧୯୪୭ ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନ ହୋଇଥିଲେ ମଧ୍ୟ ଅନେକ ଦେଶୀୟ ରାଜ୍ୟରେ ଜାରି ରହିଥିଲା ରାଜାଶାସନ। ନୀଳଗିରିରେ ମଧ୍ୟ ରାଜାଙ୍କ ଅତ୍ୟାଚାର ବିରୋଧରେ ତୀବ୍ର ହୋଇଥିଲା ଜନଆନ୍ଦୋଳନ। ୧୯୩୮ ମସିହାରେ ଆରମ୍ଭ ହୋଇଥିବା ପ୍ରଜା ଆନ୍ଦୋଳନ ପରବର୍ତ୍ତୀ ସମୟରେ ଏକ ବଡ଼ ଜନଆନ୍ଦୋଳନର ରୂପ ନେଇଥିଲା। ହାତୀଖେଦାରେ ପ୍ରଜାଙ୍କ ଉପରେ ଅତ୍ୟାଚାର ଆନ୍ଦୋଳନକୁ ଆହୁରି ତୀବ୍ର କରିଥିଲା। କୈଳାସ ମହାନ୍ତି, ବନମାଳୀ ଦାସ, ହାଡ଼ିବନ୍ଧୁ ରାଜଙ୍କ ସମେତ ବହୁ ସଂଗ୍ରାମୀ ପ୍ରଜାମଣ୍ଡଳ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବା ସହ ରାଜାଶାସନ ବିରୋଧରେ ଜନମତ ସୃଷ୍ଟି କରିଥିଲେ। ଶେଷରେ ୧୯୪୭ ନଭେମ୍ବର ୧୪ ତାରିଖରେ ନୀଳଗିରି ରାଜ୍ୟ ଭାରତ ସହ ମିଶ୍ରଣ ହୋଇଥିଲା। ଏହା ସହ ଶେଷ ହୋଇଥିଲା ରାଜତନ୍ତ୍ର ଶାସନର ଅଧ୍ୟାୟ। ଏହି ଐତିହାସିକ ଦିନକୁ ମନେ ପକାଇ ବିଭିନ୍ନ ସଂଗଠନ ପକ୍ଷରୁ ଗଡ଼ଜାତ ମିଶ୍ରଣ ଦିବସ ପାଳନ କରାଯାଇଛି। ଏହି ଅବସରରେ ପୂର୍ବତନ ବିଧାୟକ, ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟ, ଗବେଷକ, ସାହିତ୍ୟିକ ଓ ସ୍ଥାନୀୟ ବାସିନ୍ଦା ପ୍ରଜାମଣ୍ଡଳ ଆନ୍ଦୋଳନର ସଂଘର୍ଷ ଓ ବଳିଦାନକୁ ସ୍ମରଣ କରିଛନ୍ତି। କେବଳ ଏକ ଉତ୍ସବ ନୁହେଁ, ନୀଳଗିରିର ଗଡ଼ଜାତ ମିଶ୍ରଣ ଦିବସ ହେଉଛି ଅନ୍ୟାୟ ବିରୋଧରେ ଜନତାଙ୍କ ଏକତା, ସାହସ ଓ ଗଣତନ୍ତ୍ର ପ୍ରତିଷ୍ଠାର ଏକ ଅମର ଇତିହାସ।
