NCB ଚଢ଼ାଉ: ଦେଢ଼ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୫ ଅଟକ
ଭଦ୍ରକରେ NCBର ଦ୍ୱିତୀୟ ବଡ଼ ଚଢ଼ାଉ: ଦୁଇ କାରରୁ ଦେଢ଼ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୫ ଅଟକ
ଭଦ୍ରକ: ନିଶା କାରବାର ବିରୋଧରେ ଭଦ୍ରକ ଜିଲ୍ଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB)ର ବଡ଼ କାର୍ଯ୍ୟାନୁଷ୍ଠାନ। ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏନ୍ସିବି ଟିମ୍ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଟୋଲ୍ ଗେଟ୍ ନିକଟରେ ଏନ୍ସିବି ଟିମ୍ ଗୁପ୍ତ ସୂଚନା ଆଧାରରେ ନଜର ରଖିଥିଲା। ଏହି ସମୟରେ ସନ୍ଦେହଜନକ ଭାବେ ଯାଉଥିବା ଦୁଇଟି କାରକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଦୁଇଟି କାର ଭିତରୁ ପ୍ରାୟ ୧୫୦ କିଲୋଗ୍ରାମ ବା ଦେଢ଼ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିଲା। ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ସନ୍ଦେହରେ ଏନ୍ସିବି ଟିମ୍ ୫ ଜଣଙ୍କୁ ଅଟକ ରଖିଛି। ଜବତ ଗଞ୍ଜେଇ ଓ ଅଟକ ବ୍ୟକ୍ତିମାନଙ୍କୁ ଭଣ୍ଡାରିପୋଖରୀ ଥାନାକୁ ଆଣି ଯାଞ୍ଚ କରାଯାଇଥିଲା। ପରବର୍ତ୍ତୀ ତଦନ୍ତ ପାଇଁ ଏନ୍ସିବି ଟିମ୍ ଜବତ ସାମଗ୍ରୀ ସହ ଅଟକ ବ୍ୟକ୍ତିମାନଙ୍କୁ ଭୁବନେଶ୍ୱର ନେଇଯାଇଛି। ଉଲ୍ଲେଖଯୋଗ୍ୟ, ଗତ ମାସ ୩୦ ତାରିଖରେ ମଧ୍ୟ ଭଦ୍ରକ ଜିଲ୍ଲାରେ ଏନ୍ସିବି ଚଢ଼ାଉ କରିଥିଲା। ଟୋଲ୍ ଗେଟ୍ ଓ ଧାମନଗର ଛକ ନିକଟରେ ଗାଡ଼ି ଯାଞ୍ଚ ସମୟରେ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିଲା। ଭଦ୍ରକରେ ଲଗାତାର ନିଶା ଚାଲାଣ ବିରୋଧରେ ଏନ୍ସିବିର ଏହି କାର୍ଯ୍ୟାନୁଷ୍ଠାନ ପରେ ଚୋରା ନିଶା କାରବାରରେ ଜଡ଼ିତ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
