nayagarh murder case:ପରକୀୟା ପ୍ରୀତିରୁ ଯୁବକଙ୍କୁ ଗଳାକାଟି ହତ୍ୟା
ନୟାଗଡ଼ରେ ଯୁବକଙ୍କୁ ଗଳାକାଟି ହତ୍ୟା | ଘଟଣାର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ କୁନା ବେହେରାକୁ ଗିରଫ କରିଛି ନୟାଗଡ଼ ଟାଉନ୍ ଥାନା ପୋଲିସ। ପୂର୍ବ ଶତ୍ରୁତା ଓ ପରକୀୟା ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି। ମୃତକ ବିଜୟ ବେହେରାଙ୍କ ମୃତଦେହ ଗାଁ ନିକଟ ଏକ ନାଳରୁ ଉଦ୍ଧାର ହୋଇଥିଲା।
ନୟାଗଡ଼: ଯୁବକଙ୍କୁ ଗଳାକାଟି ହତ୍ୟା ଘଟଣାରେ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଛି ନୟାଗଡ଼ ଟାଉନ୍ ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଉଛି ଭାଟସାହି ଗ୍ରାମର କୁନା ବେହେରା। ତାଙ୍କୁ ଗତକାଲି ବିଳମ୍ବିତ ରାତିରେ ପୋଲିସ ଗିରଫ କରିଥିବା ବେଳେ ଆଜି କୋର୍ଟଚାଲାଣ କରାଯିବ ବୋଲି ନୟାଗଡ଼ ଏସଡିପିଓ ସୃଷ୍ଟି ପ୍ରଧାନ ସୂଚନା ଦେଇଛନ୍ତି। ପୋଲିସର ସୂଚନା ଅନୁସାରେ, ପୂର୍ବ ଶତ୍ରୁତା ଓ ପରକୀୟା ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ଗତକାଲି ଭାଟସାହି ଗ୍ରାମର ବିଜୟ ବେହେରାଙ୍କ କ୍ଷତବିକ୍ଷତ ମୃତଦେହ ଗାଁ ନିକଟ ଏକ ନାଳରୁ ଉଦ୍ଧାର ହୋଇଥିଲା। ଟଙ୍କା ନେଣଦେଣକୁ କେନ୍ଦ୍ର କରି ହତ୍ୟା ହୋଇଥିବା ମୃତକଙ୍କ ଭାଇ ଅଭିଯୋଗ କରିଥିଲେ। ସୂଚନା ଅନୁଯାୟୀ, ବିଜୟ ଓ କୁନା ପୂର୍ବରୁ ମିଶି ପ୍ଲଟ୍ ବ୍ୟବସାୟ କରୁଥିଲେ। ପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଶତ୍ରୁତା ବଢ଼ିଥିଲା। ବିଜୟଙ୍କ ପତ୍ନୀଙ୍କ ମୃତ୍ୟୁ ପରେ କୁନାଙ୍କ ପତ୍ନୀଙ୍କ ସହ ବିଜୟଙ୍କ ଅନୈତିକ ସମ୍ପର୍କ ଥିବା ଅଭିଯୋଗକୁ ନେଇ ମଧ୍ୟ ବିବାଦ ତୀବ୍ର ହୋଇଥିଲା। ଦୁଇ ମାସ ତଳେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇ ମାମଲା ଥାନାକୁ ଯାଇଥିଲା। ପୋଲିସର କହିବା ଅନୁସାରେ, ଘଟଣା ଦିନ ବିଜୟ ନାଳ ନିକଟରେ ଥିବାବେଳେ କୁନା ଟାଙ୍ଗିଆରେ ଆକ୍ରମଣ କରିଥିଲା। ଗୁରୁତର ଆହତ ହୋଇ ବିଜୟଙ୍କ ମୃତ୍ୟୁ ହୋଇଥିଲା। ଘଟଣାର ତଦନ୍ତ ଜାରି ରହିଛି।
