୨୯ ଲଢ଼େଇ ଲାଗି କମରକଷିଲେ ନବୀନ- ସ୍କାନରରେ ଫିଟ୍ ଆଣ୍ଡ ଫାଇନ୍ ଥିଓରୀ!
୨୪ ନିର୍ବାଚନର ଫ୍ଲାସବ୍ୟାକରେ ବିଜେଡିର ନୀତି, ନେତୃତ୍ୱ, ପରିଚାଳନା ଓ ସଂଗଠନ ସଂରଚନାକୁ ୨୯ର ଭବିଷ୍ୟତକୁ ଦେଖି ପୁଣି ତୁଳନା କଲେ ଅନେକ ଭାବନା ଆପଣାଛାଏଁ ଆସିବ।ନା କଣ୍ଟାକୁ କାଢ଼ିପାରୁଛନ୍ତି ନା କଣ୍ଟାକୁ ଗିଳିପାରୁଛନ୍ତି। ଯଦି ଫିଟ୍। ନବୀନଙ୍କ ଅନୁଶାସନରେ ଚାଲୁଥିବା ଦଳରେ ଯେଉଁ ସମ୍ମାନ, ଭୟ ଓ ଏକତା ଥିଲା, ସେ ଗଲା କୁଆଡ଼େ।

୨୦୨୪ ନିର୍ବାଚନରେ କେଉଁ ନାରେଟିଭ୍ ନବୀନଙ୍କୁ ଗାଦିଚ୍ୟୁତ କଲା। ୨୦୨୯ରେ ପୁଣି କେମିତି ଦଳର ନେତୃତ୍ୱ ନେବେ। ଏମିତି ତମାମ ପ୍ରଶ୍ନ ଆଜି ପୁଣି ଓଡ଼ିଶା ରାଜନୈତିକ କ୍ଷେତ୍ରକୁ ଆଲୋଚନା ଲାଗି ବାଧ୍ୟ କରିଦେଇଛି। ଆଜି ଶଙ୍ଖଭବନରେ ସୁଜାତାଙ୍କୁ ଦଳରେ ମିଶାଇବା ପରେ କର୍ମୀଙ୍କୁ ନବୀନ ସ୍ପଷ୍ଟ ସନ୍ଦେଶ ଦେଲେ ଯେ, ସେ ହିଁ ୨୦୨୯ ନିର୍ବାଚନରେ ଦଳକୁ ଲିଡ୍ କରିବେ। ତେବେ ଏହି ସନ୍ଦେଶ ଓ ଏହାର ବାସ୍ତବତା ଭିତରେ କେତେ ଫରକ। ରାଜନୈତିକ ମଞ୍ଚ ଓ ମାହୋଲକୁ ପୁଣି ଏହା ଭାବିବାକୁ ବାଧ୍ୟ କରିଦେଇଛି ଏବେକାର ସ୍ଥିତି। ୨୪ ନିର୍ବାଚନର ଫ୍ଲାସବ୍ୟାକରେ ବିଜେଡିର ନୀତି, ନେତୃତ୍ୱ, ପରିଚାଳନା ଓ ସଂଗଠନ ସଂରଚନାକୁ ୨୯ର ଭବିଷ୍ୟତକୁ ଦେଖି ପୁଣି ତୁଳନା କଲେ ଅନେକ ଭାବନା ଆପଣାଛାଏଁ ଆସିବ। ମନେ ପକାନ୍ତୁ। ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ସାଜିଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ କେଉଁ ଗୋଟିଏ ମନ୍ତବ୍ୟ ଓ ଫଟୋ ପୁରା ଓଡ଼ିଶା ପଲିଟିକ୍ସକୁ ବଦଳାଇଦେଲା। ହାତ ଥରୁଥିଲା। ଭଲରେ ଦୁଇ ପାଦ ଚାଲିପାରୁନଥିଲେ। ଅନେକ ସମୟରେ କଅଣ କରୁଥିଲେ, ନିଜେ ବି ଜାଣିପାରୁନଥିଲେ ନବୀନ। ସୁରକ୍ଷାକର୍ମୀଙ୍କ ବିନା ସହଯୋଗରେ ଚାଲବୁଲ କରିବା ବି ଅସମ୍ଭବ ହୋଇପଡ଼ୁଥିଲା। ଏୟାରପୋର୍ଟରୁ ବାହାରିବା ବେଳେ ହେଉ ଅବା କ୍ୟାମ୍ପେନ ମଞ୍ଚରୁ ଓହ୍ଲାଇବା ବେଳେ ହେଉ। ତା ସତ୍ତ୍ୱେ ତାଙ୍କୁ ଯେଭଳି କ୍ୟାମ୍ପେନିଂ ଲାଗି ଚାରିଆଡ଼େ ବୁଲାଗଲା। ଏହାକୁ ଦେଖି ନିଜ ଅନ୍ଦାଜରେ ହିମନ୍ତ କହିଥିଲେ, ରାଜନୀତି ଅଲଗା କଥା। ହାର ଜିତ୍ ଲାଗିରହେ। ହେଲେ ଏଭଳି ବଡ଼ ନେତାଙ୍କୁ ଏଭଳି ସ୍ଥିତିରେ କେମିତି କ୍ୟାମ୍ପେନିଂ କରାଉଛି ବିଜେଡି। ନବୀନ ରେଷ୍ଟ ନିଅନ୍ତୁ। ଆଉ ନିର୍ବାଚନ ପ୍ରଚାରସଭା ସହ ରାଜ୍ୟ ବିଜେପି ମୁଖ୍ୟାଳୟରେ ପ୍ରେସମିଟ୍ କରି ହିମନ୍ତ କହିଥିଲେ, ଓଡ଼ିଶାରେ ନେତୃତ୍ୱ ପରିବର୍ତ୍ତନ ଜରୁରୀ। କାରଣ ନବୀନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାରୁ ସେ ରାଜ୍ୟକୁ ସଠିକ୍ ଢଙ୍ଗରେ ଚଳାଇପାରୁନାହାନ୍ତି। ତେବେ ଏହାର ତୁରନ୍ତ କାଉଣ୍ଟର କରିଥିଲେ ନବୀନ ଓ ପାଣ୍ଡିଆନ୍। ନବୀନ କହିଥିଲେ, ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ କରି ନିର୍ବାଚନୀ ଫାଏଦା ମାରିବାକୁ ଚାହୁଁଛନ୍ତି ବିଜେପି ନେତାଏ। ତାଙ୍କର ସ୍ୱାସ୍ଥ୍ୟବସ୍ଥା ଏକଦମ୍ ଠିକ ଅଛି। ହେଲେ ହାତରେ ଫଟୋ ଧରି ହିମନ୍ତଙ୍କ ଏହି କେଇପଦ କଥା ସେଦିନ ଭୋଟରଙ୍କୁ ଏତେଦୂର ପ୍ରଭାବିତ କରିଦେବ, ଏକଥା କିଏ ବା ଜାଣିଥିଲା। ୨୪ ବର୍ଷ ଧରି ଶାସନଗାଦି ସମ୍ଭାଳିଥିବା ନବୀନଙ୍କ ହାତରୁ କ୍ଷମତାଚୌକି ଛଡ଼ାଇନେଲେ ରାଜ୍ୟବାସୀ। ଏବେ କଥା ପଡ଼ିଛି। ଏବେ ନବୀନ ପୁରା ଫିଟ୍ ଆଣ୍ଡ ଫାଇନ୍ ବୋଲି ବିଜେଡି କହୁଛି। ହେଲେ ଯଦି ଫିଟ୍। ନବୀନଙ୍କ ଅନୁଶାସନରେ ଚାଲୁଥିବା ଦଳରେ ଯେଉଁ ସମ୍ମାନ, ଭୟ ଓ ଏକତା ଥିଲା, ସେ ଗଲା କୁଆଡ଼େ। ନିର୍ବାଚନୀ ବିପର୍ଯ୍ୟୟର କାରଣ ଖୋଜିବାକୁ ୨ ବର୍ଷ ଲାଗିଗଲା। ହେଲେ କାହାକୁ ଉତ୍ତରଦାୟୀ କରାଗଲା ସେ ସବୁ ଏବେ ବି ଅନ୍ଧାରରେ। ଶଙ୍ଖଭବନରୁ ନବୀନନିବାସ ଯାଏ ରାଲି ହେଲା। ଦଳର ଆଭ୍ୟନ୍ତରୀଣ କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା। କେହି କାହାକୁ ମାନିବାକୁ ଯେମିତି ପ୍ରସ୍ତୁତ ନଥିଲେ। ନବୀନ ଓ ପାଣ୍ଡିଆନଙ୍କ ବିନାନୁମତିରେ ମୁହଁ ଖୋଲୁନଥିବା ନେତା ନିଇତି ଟିଭି ଆଗରେ ଦଳର ପରିଚାଳନାକୁ ନେଇ ସମାଲୋଚନା କଲେ। ହେଲେ ନା ତାଗିଦ କଲେ ନବୀନ ନା କୌଣସି ଆକ୍ସନ। ନା କଣ୍ଟାକୁ କାଢ଼ିପାରୁଛନ୍ତି ନା କଣ୍ଟାକୁ ଗିଳିପାରୁଛନ୍ତି। ରାଜ୍ୟସଭାରେ ନବୀନଙ୍କୁ ବେଖାତିର କରି ୮ ବିଧାୟକ କଲେ କ୍ରସଭୋଟିଂ। ସେମାନଙ୍କୁ ନିଲମ୍ୱନର ଖଣ୍ଡେ ଖଣ୍ଡେ ନୋଟିସ ଧରାଇଦେଇ ଚୁପ୍ ନବୀନ। ବିରୋଧୀ ଦଳ ନେତା ଭାବେ ତାଙ୍କର ସ୍ୱର ଏତେ ପ୍ରଖର ହେଉନି ବୋଲି ଅନେକ ବରିଷ୍ଠ ନେତା ଖୁଲମଖୁଲା କହିବାକୁ ପଛାଇନାହାନ୍ତି। ନବୀନ ନିବାସରୁ ଯେଭଳି ରାଜନୈତିକ ହଲଚଲ ହେବା କଥା, ସେଭଳି ଦେଖିବାକୁ ମିଳୁନି। ବଦ୍ରି, ରାଜା, ଭୁପିନ୍ଦର, ପ୍ରଫୁଲ୍ଲ ସାମଲ, ଶଶୀଭୂଷଣଙ୍କ ଭଳି ଅନେକ ନେତା ହୋଟେଲରେ ମେଳି କରି ପାଣ୍ଡିଆନଙ୍କ ଉପରେ ବର୍ଷିଥିଲେ। ଯଦିଓ ଜାଣିଥିଲେ ପାଣ୍ଡିଆନ ହିଁ ନବୀନଙ୍କ ଆଖି ଓ କାନ। ହେଲେ ନବୀନ ନୀରବ ରହିଲେ। କିଛି ପରାଜିତ ବିଜେଡି ଯୁବ ବିଧାୟକ ଛୁଟି କଟାଇବାକୁ ଯାଇ ହାଇଦ୍ରାବାଦରେ ମେଳି ବାନ୍ଧିଥିଲେ। ରାଜ୍ୟସଭା ନିର୍ବାଚନରେ ବିଧାୟକ ବିଦ୍ରୋହୀ ସାଜିଲେ। ରାଜ୍ୟସଭାରୁ ମମତା,ସୁଜିତ, ଦେବାଶୀଷଙ୍କ ଭଳି ସାଂସଦ ବିଜେଡିକୁ ବାଏ ବାଏ କରିଦେଲେ। ଅମର ପଟ୍ଟନାୟକ ବି ବିଜେପିକୁ ଚାଲିଗଲେ। ବିଜେଡିର ରାଜ୍ୟସଭାରେ ୱାକଫ ବିଲ୍ ସମର୍ଥନରେ ଖପ୍ପା ମୁନା ଖାଁ ସଂଖ୍ୟାଲଘୁ ସଂଯୋଜକ ପଦରୁ ଇସ୍ତଫା ଦେଇଦେଲେ। କେତେବେଳେ ଡେରାସରେ ଭୋଜି ବାହାନାରେ ମେଳି ତ ପୁଣି କେତେବେଳେ କଟକ ଫାର୍ମହାଉସରେ ମେଳି। ଏକତା ଅନୁଶାସନର ଢାଞ୍ଚା ଯେମିତି ଦୋହଲିଯାଇଥିଲା ବିଜେଡିରେ। ଆଉ ଏବେ ନବୀନ ପୁଣି କମର କଷିଲେଣି ୨୦୨୯ରେ ଲିଡ୍ ନେବେ ବୋଲି। କଥା ପଡ଼ିଛି। ୨ ବର୍ଷ ତଳେ ନବୀନଙ୍କ ଅସୁସ୍ଥତା, ଦଳ ଓ ଶାସନକଳକୁ ପାଣ୍ଡିଆନଙ୍କ ହାଇଜାକ୍ ଥିଓରୀ ବିଜେଡିକୁ ବୁଡ଼ାଇଥିଲା। ବିଜେପି ଏହାର ଭରପୁର ଫାଏଦା ପାଇଲା। ନବୀନ ଯଦି ଶାସନଗାଦିରେ ଆଉ ଥରେ ବସିବେ, ହେଲେ ଅସଲ ଶାସନ ପାଣ୍ଡିଆନଙ୍କ ହାତରେ ରହିବ ବୋଲି ଜନମାନସରେ ବିଶ୍ୱାସ ଭରିଦେଇଥିଲା ସେତେବେଳେ ମୁଖ୍ୟ ବିରୋଧୀ ଦଳ ଆସନରେ ବସିଥିବା ବିଜେପି। କଂଗ୍ରେସ ବି ସମାନ କଥା କହିଥିଲା। ଆଉ ଏବେ ନବୀନ ପୁଣି ଦଳକୁ ସଶକ୍ତ କରି ପୂର୍ବରୁ ଥିବା ସଂଗଠନକୁ ମଝଭୁତ କରିବେ। ଶୃଙ୍ଖଳା, ଅନୁଶାସନ ସାଙ୍ଗକୁ ଦଳ ପ୍ରତି ଆନୁଗତ୍ୟ ଓ ସମର୍ପଣ ମନୋଭାବକୁ ନେଇ କର୍ମୀଙ୍କ ଭିତରେ ସେ ଉତ୍ସାହ ଭରିବେ। ଓଡ଼ିଶାର ବଳ, ବିଜୁଜନତା ଦଳ। ସଶକ୍ତ ଓଡ଼ିଶା,ରୂପାନ୍ତରିତ ଓଡ଼ିଶା। ନବୀନ ଓଡ଼ିଶା, ଶଙ୍ଖ ମୋ ଗର୍ବ ଆଦି ଅନେକ ଟ୍ୟାଗଲାଇନ। ହେଲେ ଏକା ପାରିବେ ତ। କାରଣ ପାଣ୍ଡିଆନଙ୍କ ବିନା କେମିତି ଏହା ସମ୍ଭବ। ସଂଗଠନ ସମ୍ଭାଳିଥିବା ବବି ଦାସ କେବେଠୁ କରଛଡ଼ା ହୋଇଗଲେଣି। ହଁ। ଏବେ ସୁଜାତା ଆସିଛନ୍ତି ସତ। ସୁଜାତାଙ୍କ କାନ୍ଧରେ ଦଳର ପରିଚାଳନା ଭାର ଦେଇ ନବୀନ କଅଣ ଶତପ୍ରତିଶତ ନିଶ୍ଚିତ ରହିପାରିବେ କି। ଏ ତମାମ ପ୍ରଶ୍ନ ଆଜିକା ଦିନରେ ରାଜନୈତିକ ମହଲକୁ ଆନ୍ଦୋଳିତ କରୁଛି।
