Naveen Patnaik: ୮୦ ବର୍ଷରେ ନବୀନ ପଟ୍ଟନାୟକ, ଜନ୍ମଦିନରେ ଛୁଟୁଛି ଶୁଭେଚ୍ଛାର ସୁଅ
ସାହିତ୍ୟରୁ ରାଜନୀତି, ୮୦ ବର୍ଷରେ ପାଦ ଥାପିଲେ ଓଡ଼ିଶା ରାଜନୀତିର ଜନନେତା ନବୀନ ପଟ୍ଟନାୟକ । ୧୬ ଅକ୍ଟୋବର ୧୯୪୬ରେ କଟକରେ ଜନ୍ମଗ୍ରହଣ କରିଥିଲେ ନବୀନ। ଓଡ଼ିଶା ରାଜନୀତିରେ ସେ ଏକ ଦୀର୍ଘ ଅଧ୍ୟାୟର ପାଲଟିଥିଲେ ନାୟକ ।
ଭୁବନେଶ୍ୱର: ୮୦ ବର୍ଷରେ ପାଦ ଥାପିଲେ ଓଡ଼ିଶା ରାଜନୀତିର ଚର୍ଚ୍ଚିତ ଚେହେରା ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ। ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶାସନ ଭାର ସମ୍ଭାଳିଥିବା ନବୀନ ଆଜି ବି ରାଜ୍ୟ ରାଜନୀତିର ଏକ ପ୍ରମୁଖ ଚେହେରା। ଜନ୍ମଦିନ ଅବସରରେ ତାଙ୍କ ନିକଟକୁ ନେତା, କର୍ମୀ ଓ ଶୁଭେଚ୍ଛୁଙ୍କ ଠାରୁ ଛୁଟୁଛି ଶୁଭେଚ୍ଛାର ସୁଅ। ୧୬ ଅକ୍ଟୋବର ୧୯୪୬ରେ କଟକରେ ଜନ୍ମଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ। ପିତା ବିଜୁ ପଟ୍ଟନାୟକ ଓ ମାତା ଜ୍ଞାନ ପଟ୍ଟନାୟକଙ୍କ ସାନ ପୁଅ ନବୀନ ପିଲାଦିନରୁ ସାହିତ୍ୟ, କଳା ଓ ସଂସ୍କୃତି ପ୍ରତି ରୁଚି ରଖୁଥିଲେ। ରାଜନୀତିଠାରୁ ଦୂରରେ ରହି ସାହିତ୍ୟ ଜଗତରେ ନିଜର ପରିଚୟ ଗଢ଼ିଥିବା ନବୀନ ଏକାଧିକ ପୁସ୍ତକ ରଚନା କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଓଡ଼ିଶା ରାଜନୀତିରେ ସେ ଏକ ଦୀର୍ଘ ଅଧ୍ୟାୟର ନାୟକ ପାଲଟିଥିଲେ।
୧୯୯୭ରେ ପିତା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ନବୀନଙ୍କ ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା। ଆସ୍କା ଲୋକସଭା ଆସନରୁ ନିର୍ବାଚିତ ହେବା ସହ ସେହିବର୍ଷ ଗଠନ କରିଥିଲେ ବିଜୁ ଜନତା ଦଳ (ବିଜେଡି)। ୨୦୦୦ ମସିହାରେ ରାଜ୍ୟରେ ମେଣ୍ଟ ସରକାରର ନେତୃତ୍ୱ ନେଇ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ। ୨୦୦୦ରୁ ୨୦୨୪। ଲଗାତାର ପାଞ୍ଚଟି କାର୍ଯ୍ୟକାଳରେ ମୁଖ୍ୟମନ୍ତ୍ରୀ ରହି ରାଜ୍ୟ ରାଜନୀତିରେ ଏକ ନୂଆ ଇତିହାସ ରଚିଥିଲେ ସେ। ମହିଳା ସଶକ୍ତୀକରଣ, ବିପର୍ଯ୍ୟୟ ପରିଚାଳନା, କ୍ରୀଡ଼ା ଓ ଭିତ୍ତିଭୂମି ବିକାଶ ଭଳି କ୍ଷେତ୍ରରେ ତାଙ୍କ ସରକାରର କାର୍ଯ୍ୟକଳାପ ଚର୍ଚ୍ଚାରେ ରହିଥିଲା। ନିର୍ବାଚନୀ ସଫଳତା ଓ ଦୀର୍ଘ ଶାସନକାଳ ତାଙ୍କୁ ଓଡ଼ିଶାର ଜଣେ ପ୍ରଭାବଶାଳୀ ଜନନେତା ଭାବେ ପରିଚିତ କରାଇଥିଲା। ତେବେ ୨୦୨୪ ନିର୍ବାଚନରେ ରାଜ୍ୟର ରାଜନୈତିକ ଚିତ୍ର ବଦଳିଥିଲା। ବିଜେଡିର ପରାଜୟ ସହ ଶେଷ ହୋଇଥିଲା ନବୀନଙ୍କ ୨୪ ବର୍ଷର ମୁଖ୍ୟମନ୍ତ୍ରିତ୍ୱ। ମୁଖ୍ୟମନ୍ତ୍ରୀ ଆସନରୁ ବିରୋଧୀ ଦଳ ନେତାଙ୍କ ଆସନକୁ ଆସିଥିଲେ ନବୀନ। ଏହା ତାଙ୍କ ରାଜନୈତିକ ଜୀବନର ଏକ ବଡ଼ ପରିବର୍ତ୍ତନ ଥିଲା। ବ୍ୟକ୍ତିଗତ ଜୀବନରେ ଅବିବାହିତ ନବୀନ ପଟ୍ଟନାୟକ ଅନେକ ସମୟରେ ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କୁ ନିଜ ପରିବାର ବୋଲି କହି ଆସିଛନ୍ତି। ଆଜି ତାଙ୍କ ୮୦ତମ ଜନ୍ମଦିନରେ ତାଙ୍କର ଦୀର୍ଘ ରାଜନୈତିକ ଯାତ୍ରା, ନେତୃତ୍ୱ ଓ ଓଡ଼ିଶା ପ୍ରତି ଅବଦାନକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି।

