Orang-utan: କ୍ୱାରେଣ୍ଟାଇନରେ ୫ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା
ନନ୍ଦନକାନନରେ ୫ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଜାରି। କ୍ୱାରେଣ୍ଟାଇନ୍ ରେ ରଖି କ୍ଲୋଜ୍ ମନିଟରିଂ, ଏପଟେ ଓରାଙ୍ଗଉଟାନ ଓଡ଼ିଶାକୁ କିପରି ଆସିଲେ ତାହାର ତଦନ୍ତ ଜୋରଦାର।
ଭୁବନେଶ୍ୱର: ନନ୍ଦନକାନନକୁ ଅଣାଯାଇଥିବା ୫ଟି ଓରାଙ୍ଗଉଟାନକୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଆବଶ୍ୟକ ଚିକିତ୍ସା ଓ ଯତ୍ନ ନିଆଯାଉଛି। ପ୍ରାଣୀ ଚିକିତ୍ସକ, ବିଶେଷଜ୍ଞ ଓ ବନ ବିଭାଗର ବୈଜ୍ଞାନିକମାନେ ଓରାଙ୍ଗଉଟାନ ଗୁଡ଼ିକୁ କ୍ଲୋଜ୍ ମନିଟରିଂରେ ରଖିଛନ୍ତି। ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ରେଞ୍ଜର ଦୁଇଟି ସେକ୍ସନରୁ ଉଦ୍ଧାର ହୋଇଥିବା ଏହି ୫ଟି ଓରାଙ୍ଗଉଟାନକୁ ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ନନ୍ଦନକାନନକୁ ଅଣାଯାଇଥିଲା। ଏମାନଙ୍କ ମଧ୍ୟରୁ କିଛିଙ୍କ ବୟସ ପ୍ରାୟ ଏକ ବର୍ଷ ବୋଲି ଜଣାପଡ଼ିଛି। ପ୍ରାଥମିକ ଭାବେ ଓରାଙ୍ଗଉଟାନ ଗୁଡ଼ିକୁ କିଛି ଦିନ କ୍ୱାରେଣ୍ଟାଇନ୍ରେ ରଖାଯିବ। ଏହି ସମୟରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସହ ଆଚରଣ ଉପରେ ମଧ୍ୟ ନଜର ରଖାଯିବ। ପରବର୍ତ୍ତୀ ସମୟରେ ନ୍ୟାସନାଲ ଜୁ ଅଥରିଟିଙ୍କ ଅନୁମତି ମିଳିବା ପରେ ନନ୍ଦନକାନନରେ ସେମାନଙ୍କୁ ରଖିବା ନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଅନ୍ୟପଟେ, ଏହି ଓରାଙ୍ଗଉଟାନ ଗୁଡ଼ିକ କେଉଁଠୁ ଆସିଲେ, କିଏ ଆଣିଲା ଏବଂ କିପରି ଓଡ଼ିଶାରେ ପହଞ୍ଚିଲେ, ତାହାର ତଦନ୍ତ ଆରମ୍ଭ ହୋଇଛି।
ସ୍ୱତନ୍ତ୍ର ଟାସ୍କଫୋର୍ସ, ବନ ବିଭାଗ ଏବଂ ୱାଇଲ୍ଡଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋର ମିଳିତ ଉଦ୍ୟମରେ ତଦନ୍ତ ଚାଲିଛି। ଓରାଙ୍ଗଉଟାନ ଓଡ଼ିଶା କିମ୍ବା ଭାରତର ସ୍ଥାନୀୟ ପ୍ରଜାତି ନୁହେଁ। ତେଣୁ ଏଗୁଡ଼ିକ ବାହାରୁ ଅଣାଯାଇଥିବା ନେଇ ତଦନ୍ତକାରୀମାନେ ସନ୍ଦେହ କରୁଛନ୍ତି। ସମ୍ଭାବ୍ୟ ରୁଟ୍, ଯୋଗାଯୋଗ ଓ ଗତିବିଧିକୁ ନେଇ ଖୋଳତାଡ଼ ଚାଲିଛି। ଏଥିସହ ବିମାନବନ୍ଦର, ରେଳ ଷ୍ଟେସନ ଓ ପୋର୍ଟରେ ଯାଞ୍ଚକୁ ଜୋରଦାର କରାଯାଇଛି। ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍ ଯାଞ୍ଚ ସହ ସନ୍ଦେହଜନକ ଗତିବିଧି ଉପରେ ନଜର ରଖାଯାଉଛି। ତଦନ୍ତ ଶେଷ ହେବା ପରେ ଓରାଙ୍ଗଉଟାନ ଗୁଡ଼ିକୁ କିଏ ଆଣିଥିଲା, କେଉଁଠୁ ଅଣାଯାଇଥିଲା ଏବଂ କିପରି ଓଡ଼ିଶାରେ ପହଞ୍ଚିଲା, ସେନେଇ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି। ଓରାଙ୍ଗଉଟାନ ମାନଙ୍କ ବୟସ ଓ ପ୍ରାକୃତିକ ଜୀବନଶୈଳୀକୁ ଦୃଷ୍ଟିରେ ରଖି ନନ୍ଦନକାନନରେ ସେମାନଙ୍କ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ଏବେ ବଡ଼ ଚ୍ୟାଲେଞ୍ଜ। ସେମାନଙ୍କ ଖାଦ୍ୟ, ରହଣି, ସ୍ୱାସ୍ଥ୍ୟ ଓ ଆବଶ୍ୟକ ପରିବେଶ ନେଇ ବିଶେଷଜ୍ଞଙ୍କ ସହ ପରାମର୍ଶ କରାଯାଉଛି।
