ନବରଙ୍ଗପୁରରେ ଅମାନବୀୟ କାଣ୍ଡ: ସମାଧି ଖୋଳି ମୃତ ଯୁବତୀଙ୍କ ମୁଣ୍ଡ କାଟିନେଲେ ଦୁର୍ବୃତ୍ତ
ନବରଙ୍ଗପୁର ନରସିଂହଗୁଡ଼ା ଗ୍ରାମରେ ମୃତ ଯୁବତୀଙ୍କ ସମାଧି ଖୋଳି ମୁଣ୍ଡ କାଟିନେଲେ ଦୁର୍ବୃତ୍ତ। ତନ୍ତ୍ର ସାଧନା ସନ୍ଦେହରେ ପୋଲିସର ତଦନ୍ତ ଆରମ୍ଭ।
ନବରଙ୍ଗପୁର: ଅନ୍ଧବିଶ୍ୱାସ ଓ ତନ୍ତ୍ର ସାଧନା ସନ୍ଦେହରେ ଏକ ଅତ୍ୟନ୍ତ ଅମାନବୀୟ ଘଟଣା ନବରଙ୍ଗପୁର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ନନ୍ଦାହାଣ୍ଡି ବ୍ଲକର ନରସିଂହଗୁଡ଼ା ଗ୍ରାମରେ ମୃତ ଯୁବତୀଙ୍କ ସମାଧି ଖୋଳି ତାଙ୍କ ମୁଣ୍ଡ କାଟି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଗ୍ରାମର ଅବିବାହିତା ଯୁବତୀ ନୀଳାନ୍ଦ୍ରୀ ମାଝୀଙ୍କର ଗତ ସେପ୍ଟେମ୍ବର ୨୬ ତାରିଖରେ ହାଡ଼ଫୁଟି ରୋଗରେ ମୃତ୍ୟୁ ହୋଇଥିଲା। ତାଙ୍କ ଶରୀରରେ ଠାକୁରାଣୀଙ୍କ ଆବିର୍ଭାବ ହୋଇଥିବା ବିଶ୍ୱାସ କରି ପରିବାର ଲୋକେ ଶବଦାହ ନକରି ଶ୍ମଶାନରେ ସମାଧି ଦେଇଥିଲେ। ସ୍ଥାନୀୟ ଅନ୍ଧବିଶ୍ୱାସ ଅନୁଯାୟୀ, ଅବିବାହିତା ଯୁବତୀଙ୍କ ଶବକୁ ନେଇ ତାନ୍ତ୍ରିକ କ୍ରିୟା ହେବାର ଆଶଙ୍କା ଥିବାରୁ ପରିବାର ସଦସ୍ୟ ୨୧ ଦିନ ପର୍ଯ୍ୟନ୍ତ ସମାଧି ଜଗି ରହିଥିଲେ। ତେବେ ମୃତ୍ୟୁର ୪୨ ଦିନ ପରେ ରାତିରେ ଅଜ୍ଞାତ ଦୁର୍ବୃତ୍ତମାନେ ସମାଧି ଖୋଳି ଦୁଇଟି କୁକୁଡ଼ା ବଳି ଦେବା ସହ ପୂଜାର୍ଚ୍ଚନା କରିଥିଲେ। ପରେ ମୃତଦେହରୁ ମୁଣ୍ଡ କାଟି ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଖବର ପାଇ ତେନ୍ତୁଳିଖୁଣ୍ଟି ପୋଲିସ, ସାଇଣ୍ଟିଫିକ୍ ଟିମ୍ ଏବଂ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ତଥା ଅତିରିକ୍ତ ତହସିଲଦାର ସୀମାଞ୍ଚଳ ପାତ୍ର ଘଟଣାସ୍ଥଳରେ ପହଞ୍ଚି ସମାଧିରୁ ମୃତଦେହ ବାହାର କରି ତଦନ୍ତ ଆରମ୍ଭ କରିଛନ୍ତି। 'କୁଆଁରୀ ବିଦ୍ୟା', ବଶୀକରଣ, ଗୁପ୍ତଧନ ପ୍ରାପ୍ତି କିମ୍ବା ଖପୁରୀ ସାଧନା ପାଇଁ ଏଭଳି କାଣ୍ଡ ଘଟାଯାଇଥିବା ସନ୍ଦେହ ପ୍ରକାଶ ପାଇଛି। ତେବେ ଘଟଣାର ପ୍ରକୃତ କାରଣ ଓ ଅଭିଯୁକ୍ତଙ୍କ ପରିଚୟ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ଏହି ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି।

