Subhashree Death: ଶୁଭଶ୍ରୀ ମୃତ୍ୟୁକୁ ନେଇ ରହସ୍ୟ, ଗାଏବ୍ ମୃତଦେହ
ରାଜନଗର ହଂସୁଆ ନଦୀର ଗର୍ଜନପୁର ନିକଟରେ ୧୯ ବର୍ଷୀୟା ଯୁବତୀ ଶୁଭଶ୍ରୀ ଦାସଙ୍କ ମୃତଦେହ ଲାଗିଥିବା ଖବର ପରେ ଘଟଣାକୁ ନେଇ ସନ୍ଦେହ ବଢ଼ିଛି | ଖବର ମିଳିବା ପରେ ମଧ୍ୟ ଶୁଭଶ୍ରୀଙ୍କ ମୃତଦେହର ସନ୍ଧାନ ମିଳୁନଥିବା କୁହାଯାଉଛି | ଘଟଣାର ପ୍ରକୃତ କାରଣ ଓ ମୃତ୍ୟୁର ପରିସ୍ଥିତି ନେଇ ଏବେ ତଦନ୍ତ ଜାରି ରହିଛି |
୧୯ ବର୍ଷୀୟା ଶୁଭଶ୍ରୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ | କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ରାଜପୁର ଗାଁର ୧୯ ବର୍ଷୀୟା ଯୁବତୀ ଶୁଭଶ୍ରୀ ଦାସଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସନ୍ଦେହ ରାଜନଗର ହଂସୁଆ ନଦୀର ଗର୍ଜନପୁର ନିକଟରେ ଶୁଭଶ୍ରୀଙ୍କ ମୃତଦେହ ଲାଗିଥିବା ଖବର ମିଳିଥିଲା। ଜଣେ ସ୍ଥାନୀୟ ମତ୍ସ୍ୟଜୀବୀ ଏନେଇ ତାଙ୍କ ପରିବାରକୁ ସୂଚନା ଦେଇଥିବା କୁହାଯାଉଛି । ସୂଚନା ପାଇ ପରିବାର ଲୋକେ ବୋଟ୍ ଯୋଗେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ମୃତଦେହକୁ ଏକ ନିଛାଟିଆ ସ୍ଥାନକୁ ନେଇ ନଦୀ ମଝିରେ ପଥର ବାନ୍ଧି ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି । ଘଟଣା ସାମ୍ନାକୁ ଆସିବା ପରେ ରାଜନଗର ପୋଲିସ ତଦନ୍ତ ଆରମ୍ଭ କରିଛି । ବିଳମ୍ବିତ ରାତିରେ ଶୁଭଶ୍ରୀଙ୍କ ପରିବାର ଓ ବୋଟ୍ ଡ୍ରାଇଭରଙ୍କ ସମେତ ୫ ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ଅନ୍ୟପଟେ, ଶୁଭଶ୍ରୀଙ୍କ ମୃତଦେହର ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ବେଳେ ମୃତଦେହର ସନ୍ଧାନ ମିଳୁନଥିବା କୁହାଯାଉଛି । ଶୁଭଶ୍ରୀଙ୍କ ମୃତ୍ୟୁ କିପରି ହେଲା, ମୃତଦେହ କେଉଁଠାକୁ ଗଲା ଏବଂ ଘଟଣା ପଛରେ ପ୍ରକୃତ କାରଣ କ’ଣ | ଏସବୁ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।
