ଚାଟ୍ ଜିପିଟିରୁ ଫ୍ୟାମିଲି ମର୍ଡରର ଥିଓରୀ!
ଅର୍ଜୁନ କିଛି ଦିନ ହେଲା ଇଣ୍ଟରନେଟ ଓ ଚାଟ୍ ଜିପିଟିରେ ନିଜ ପରିବାରକୁ ହତ୍ୟା ସହ ଜଡ଼ିତ କାଳ୍ପନିକ କାହାଣୀ ଓ ଏଭଳି ବିଷୟରେ ତଥ୍ୟ ଖୋଜୁଥିଲା। ପୁଲିସ ଏବେ ଅର୍ଜୁନର ଅନଲାଇନ ଗତିବିଧିକୁ ତଦନ୍ତ ପରିସରଭୁକ୍ତ କରିଛି।

ଚାଟ୍ ଜିପିଟି ସହଯୋଗରେ ମାଆ ଓ ଭାଇକୁ ମର୍ଡର। ଆମେରିକାରେ ଭାରତୀୟ ବଂଶୋଦ୍ଭବ ଅର୍ଜୁନ ଅରବିନ୍ଦଙ୍କ କାରନାମା ଯିଏ ଶୁଣୁଛି, ତାଜୁବ୍ ହୋଇଯାଉଛି। ପୁଲିସ ଅର୍ଜୁନକୁ ପାର୍କିଂ ଲଟରୁ ଗିରଫ କରିଛି। ଆମେରିକାର ମୈସାଚୁସେଟ୍ସ ରାଜ୍ୟରେ ଏଭଳି ଘଟଣା ଘଟିଛି। ମାଆ ଓ ଭାଇକୁ ମର୍ଡର କରି ଫେରାର୍ ହୋଇଯାଇଥିଲା ଅର୍ଜୁନ। ମା ସୁଧା ଭେଙ୍କଟେସନ ଓ ୧୪ ବର୍ଷର ଭାଇ ସିଦ୍ଧାର୍ଥକୁ ଅରବିନ୍ଦ ହତ୍ୟା କରିଥିବାର ଆରୋପ ଲାଗିଛି। ପରିବାରର ସଦସ୍ୟଙ୍କ ସହ ମାଡ଼ପିଟ୍, ବିନା ଅନୁମତିରେ ମାଆର କାରକୁ ନେଇ ଫେରାର ହେବା ସହ ଅନ୍ୟ ମାମଲା ବି ରୁଜୁ କରି଼ଛି ପୁଲିସ। ତଦନ୍ତରୁ ଜଣାପଡ଼ିଛି, ଅର୍ଜୁନ କିଛି ଦିନ ହେଲା ଇଣ୍ଟରନେଟ ଓ ଚାଟ୍ ଜିପିଟିରେ ନିଜ ପରିବାରକୁ ହତ୍ୟା ସହ ଜଡ଼ିତ କାଳ୍ପନିକ କାହାଣୀ ଓ ଏଭଳି ବିଷୟରେ ତଥ୍ୟ ଖୋଜୁଥିଲା। ପୁଲିସ ଏବେ ଅର୍ଜୁନର ଅନଲାଇନ ଗତିବିଧିକୁ ତଦନ୍ତ ପରିସରଭୁକ୍ତ କରିଛି। ମଙ୍ଗଳବାର ସଂଧ୍ୟା ସାଢ଼େ ୬ଟାରେ ଟ୍ୟୁସନ ସାର ଘରେ ପଢ଼ାଇବାକୁ ପହଞ୍ଚିଥିଲେ। କଲିଂ ବେଲ ମାରିବା ସତ୍ତ୍ୱେ ଦୀର୍ଘ ସମୟ ଧରି କେହି କବାଟ ଖୋଲିନଥିଲେ। ଫଳରେ ଟ୍ୟୁସନ ସାର ଅର୍ଜୁନଙ୍କ ପିତାଙ୍କୁ କଲ୍ କରିଥିଲେ। ତାଙ୍କ ବାପା ବି ଘରକୁ କଲ୍ କଲେ କେହି ଉଠାଇଲେନି। ଏହାପରେ ସେ ତୁରନ୍ତ ପୁଲିସକୁ କଲ୍ କରିଥିଲେ। ଆଉ ଘରର ସ୍ଥିତି ଜାଣିବାକୁ ଅନୁରୋଧ କରିଥିଲେ। ପୁଲିସ ଯେବେ ପହଞ୍ଚିଲା ତ ଦେଖିଲା, ବେସମେଣ୍ଟରେ ସୁଧାଙ୍କ ଶବ ଓ ପ୍ରଥମ ମହଲାରେ ସିଦ୍ଧାର୍ଥଙ୍କ ଶବ ପଡ଼ିଛି। ଘଟଣା ପରଠୁ ଅର୍ଜୁନ ଓ ତାଙ୍କ ମାଆଙ୍କ କାର୍ ଗାଏବ ଥିଲା। ସେଥିଲାଗି ପୁଲିସକୁ ସନ୍ଦେହ ହୋଇଥିଲା ଯେ, ଅର୍ଜୁନ କାର୍ ନେଇ ଫେରାର୍ ହୋଇଯାଇଛି। ଏହା ପରେ ପୁଲିସ ଆଖପାଖ ସହରର ପୁଲିସକୁ ଆଲର୍ଟ ଜାରି କରିଦେଇଥିଲା। ବୁଧବାର ସକାଳେ ଓ୍ୱେଇଲ୍ୟାଣ୍ଡ ଏରିଆରେ ଏକ ପାର୍କିଂରେ ପୁଲିସ ସନ୍ଦିଗ୍ଧ କାରକୁ ଠାବ କରିଥିଲା। ତା ଭିତରେ ଅର୍ଜୁନ ଥିଲା। ଆଉ ପୁଲିସ ତାକୁ ଗିରଫ କରି ଜେରା କରିଥିଲା। ହତ୍ୟାକାଣ୍ଡ ପଛରେ ଅସଲ ଉଦ୍ଦେଶ୍ୟ ଓ ରହସ୍ୟ ଜାଣିବାକୁ ପୁଲିସ ତନାଘନା କରୁଛି।
