Life Imprisonment For Police Van Murder Case:କଏଦୀ ଭ୍ୟାନରେ ନୃଶଂସ ହତ୍ୟା- ଅଭିଯୁକ୍ତକୁ ଆଜୀବନ ଜେଲ୍
ଦିନଦ୍ୱିପ୍ରହରରେ ଏହି ନୃଶଂସ ହତ୍ୟାକାଣ୍ଡକୁ ନେଇ ସମ୍ଭଲରୁ ଲକ୍ଷ୍ନୌ ଯାଏ ହଡ଼କମ୍ପ ଖେଳିଯାଇଥିଲା। ଘଟଣାର ଗମ୍ଭୀରତା ଦୃଷ୍ଟିରୁ ତତ୍କାଳୀନ ଏନକାଉଣ୍ଟର ସ୍ପେଶିଆଲିଷ୍ଟ ଆଇପିଏସ ଅଜୟ ପାଲ ଶର୍ମା ଓ ଏଡିଜି ଅମିତାଭ ୟଶ ଘଟଣାସ୍ଥଳରେ ପହଞ୍ଚିଥିଲେ। ଫେରାର ଅଭିଯୁକ୍ତ ଶକିଲ ଓ କମଲ ଉପରେ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ ପୁରଷ୍କାର ଘୋଷଣା କରାଯାଇଥିଲା

ଦୁଇ ସିପାହୀଙ୍କୁ ନୃଶଂସ ହତ୍ୟା ମାମଲାରେ ଅଭିଯୁକ୍ତ ଧର୍ମପାଲ ସିଂଙ୍କୁ ଆଜୀବନ ଜେଲ୍। ନିର୍ମମ ହତ୍ୟା,ଅସ୍ତ୍ରଶସ୍ତ୍ର ଲୁଟ୍ ମାମଲାରେ ସମ୍ଭଲ ଜିଲ୍ଲାର ପୋକ୍ସୋ କୋର୍ଟ ଧର୍ମପାଲଙ୍କୁ ଆଜୀବନ କାରାଦଣ୍ଡ ଦେଇଛନ୍ତି। ୭ ବର୍ଷ ତଳର ଘଟଣା। ଜୁଲାଇ ୧୭,୨୦୧୯ରେ କଏଦୀଙ୍କୁ ନେଇକି ଯାଉଥିବା ଭ୍ୟାନରେ ଏଭଳି କାଣ୍ଡ ଘଟାଇଥିଲା ଧର୍ମପାଲ। ଅଭିଯୁକ୍ତ ଧର୍ମପାଲ ନିଜର ଦୁଇ ସାଥୀ ଶକିଲ ଓ କମଲ ସହ ମିଶି ଭ୍ୟାନରେ ମୁତୟନ ସିପାହୀଙ୍କ ଆଖିରେ ଲଙ୍କାଗୁଣ୍ଡ ମାରିଥିଲା। ସେମାନଙ୍କଠୁ ରାଇଫଲ ଛଡ଼ାଇ ହତ୍ୟା କରି ଫେରାର୍ ହୋଇଯାଇଥିଲା। ଚଂଦୌସି ନ୍ୟାୟାଳୟରୁ ୨୪ କଏଦୀଙ୍କୁ ନେଇ ଭ୍ୟାନ୍ ମୁରାଦାବାଦ ଜିଲ୍ଲା କାରାଗାରକୁ ଫେରୁଥିଲା। ବନିୟାଠେରରେ କଏଦୀ ଭ୍ୟାନରେ ଥିବା ୩ କଏଦୀ ଧର୍ମପାଲ, ଶକିଲ ଓ କମଲ ଅଚାନକ ପୁଲିସ କର୍ମୀଙ୍କୁ ଆକ୍ରମଣ କରିଥିଲେ। ଦୁଇ କନଷ୍ଟେବଳ ବ୍ରିଜପାଲ ସିଂ ଓ ହରେନ୍ଦ୍ରଙ୍କୁ ନିର୍ମମ ହତ୍ୟା କରିଥିଲେ। ଦିନଦ୍ୱିପ୍ରହରରେ ଏହି ନୃଶଂସ ହତ୍ୟାକାଣ୍ଡକୁ ନେଇ ସମ୍ଭଲରୁ ଲକ୍ଷ୍ନୌ ଯାଏ ହଡ଼କମ୍ପ ଖେଳିଯାଇଥିଲା। ଘଟଣାର ଗମ୍ଭୀରତା ଦୃଷ୍ଟିରୁ ତତ୍କାଳୀନ ଏନକାଉଣ୍ଟର ସ୍ପେଶିଆଲିଷ୍ଟ ଆଇପିଏସ ଅଜୟ ପାଲ ଶର୍ମା ଓ ଏଡିଜି ଅମିତାଭ ୟଶ ଘଟଣାସ୍ଥଳରେ ପହଞ୍ଚିଥିଲେ। ଫେରାର ଅଭିଯୁକ୍ତ ଶକିଲ ଓ କମଲ ଉପରେ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ ପୁରଷ୍କାର ଘୋଷଣା କରାଯାଇଥିଲା। ଆଉ ଏହି ଦୁଇ ଅଭିଯୁକ୍ତଙ୍କୁ ଏନକାଉଣ୍ଟରରେ ମାରିଦିଆଗଲା। ଏଥିରେ ତତ୍କାଳୀନ ପୁଲିସ ଏସପି ଯମୁନା ପ୍ରସାଦଙ୍କ ବୁଲେଟପ୍ରୁଫ୍ ଜାକେଟରେ ଗୁଳି ବି ବାଜିଥିଲା। ଏନକାଉଣ୍ଟର ପରେ ଅଭିଯୁକ୍ତ ଧର୍ମପାଲକୁ ପୁଲିସ ଗିରଫ କରିଥିଲା। ଏହା ପରେ କୋର୍ଟରେ ଟ୍ରାଏଲ ଚାଲିଥିଲା। ଶୁଣାଣୀ ସମ୍ପୂର୍ଣ୍ଣ ପରେ ପୋକ୍ସୋ କୋର୍ଟ ଧର୍ମପାଲକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୧ଲକ୍ଷ ୬୪ହଜାର ଟଙ୍କାର ଜରିମାନା ବି ଲଗାଇଛନ୍ତି ଅଦାଲତ। ରାୟ ପରେ ଧର୍ମପାଲକୁ ମୁରାଦାବାଦ ଜିଲ୍ଲା ଜେଲକୁ ପଠାଇ ଦିଆଯାଇଛି।
