Mohammed Siraj: ହାଇଦ୍ରାବାଦର ନୂଆ କ୍ୟାପଟେନ୍ ମହମ୍ମଦ ସିରାଜ, ରଣଜୀ ଟ୍ରଫିର ନେବେ ନେତୃତ୍ୱ
ମହମ୍ମଦ ସିରାଜ ହେଲେ ଅଧିନାୟକ, ୨୦୨୬-୨୭ ରଣଜୀ ଟ୍ରଫି ପାଇଁ ହାଇଦ୍ରାବାଦ ସିନିୟର ଦଳର ଅଧିନାୟକ ହେଲେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ।

ହାଇଦ୍ରାବାଦ: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ୨୦୨୬-୨୭ ରଣଜୀ ଟ୍ରଫି ସିଜନ ପାଇଁ ହାଇଦ୍ରାବାଦ ସିନିୟର ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ଶୁକ୍ରବାର ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନର ସିନିୟର ଚୟନ କମିଟି ସିରାଜଙ୍କ ନାମ ଘୋଷଣା କରିଛି। ଗତ ରଣଜୀ ସିଜନରେ ପ୍ରଥମଥର ପାଇଁ ହାଇଦ୍ରାବାଦର ନେତୃତ୍ୱ ନେଇଥିଲେ ସିରାଜ। ରାହୁଲ ସିଂହଙ୍କ ସ୍ଥାନରେ ସେ ଦଳର ଅଧିନାୟକ ହୋଇ ମୁମ୍ବାଇ ଓ ଛତିଶଗଡ଼ ବିପକ୍ଷରେ ଦଳକୁ ନେତୃତ୍ୱ ଦେଇଥିଲେ। ତେବେ ଉଭୟ ମ୍ୟାଚରେ ହାଇଦ୍ରାବାଦ ବିଜୟୀ ହୋଇପାରିନଥିଲା। ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ମୁମ୍ବାଇ ୯ ୱିକେଟରେ ହାଇଦ୍ରାବାଦକୁ ପରାସ୍ତ କରିଥିଲା। ଏହି ମ୍ୟାଚରେ ସରଫରାଜ ଖାନଙ୍କ ଦ୍ୱିଶତକ ଏବଂ ସିଦ୍ଧେଶ ଲାଡଙ୍କ ଶତକ ମୁମ୍ବାଇର ବିଜୟରେ ପ୍ରମୁଖ ଭୂମିକା ନେଇଥିଲା।
ନିକଟରେ ଦଲୀପ ଟ୍ରଫି ଫାଇନାଲରେ ମଧ୍ୟ ଖେଳିଥିଲେ ସିରାଜ। ତେବେ ଏହି ମ୍ୟାଚରେ ତାଙ୍କ ପ୍ରଦର୍ଶନ ବିଶେଷ ପ୍ରଭାବଶାଳୀ ରହିନଥିଲା। ଏବେ ରଣଜୀ ଟ୍ରଫିର ନୂଆ ସିଜନରେ ଅଧିନାୟକ ଭାବେ ଦଳକୁ ସଫଳତା ଦେବା ସହ ନିଜ ବୋଲିଂରେ ମଧ୍ୟ ଭଲ ପ୍ରଦର୍ଶନ କରିବା ସିରାଜଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହେବ। ହାଇଦ୍ରାବାଦ ନିଜର ପ୍ରଥମ ମ୍ୟାଚରେ ତ୍ରିପୁରାକୁ ଭେଟିବ। ହାଇଦ୍ରାବାଦକୁ ଏଲିଟ୍ ଗ୍ରୁପ୍-ବିରେ ସ୍ଥାନ ମିଳିଥିବା ବେଳେ ଏହି ଗ୍ରୁପରେ ସୌରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଆସାମ ଓ ତ୍ରିପୁରା ଭଳି ଦଳ ରହିଛନ୍ତି। ଶକ୍ତିଶାଳୀ ଦଳଗୁଡ଼ିକୁ ନେଇ ଗଠିତ ଏହି ଗ୍ରୁପରେ ହାଇଦ୍ରାବାଦକୁ ଆଗକୁ ନେବା ସିରାଜଙ୍କ ପାଇଁ ବଡ଼ ପରୀକ୍ଷା ହେବ। ଅଧିନାୟକତ୍ୱର ଚାପ ସମ୍ଭାଳିବା ସହ ନିଜ ବୋଲିଂରେ ନିରନ୍ତର ଭଲ ପ୍ରଦର୍ଶନ କରିବା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ।
