Ms Dhoni: IPLକୁ ଅଲବିଦା କହିଲେ ଥାଲା, CSKର ନୂଆ ମେଣ୍ଟର
ଭାଙ୍ଗିଲା କୋଟି କୋଟି ଫ୍ୟାନଙ୍କ ହୃଦୟ । IPLରେ ଆଉ ନଜର ଆସିବେନି ଥାଲା, ଖେଳାଳି ଭାବେ ଧୋନିଙ୍କ ଅଧ୍ୟାୟ ଶେଷ ହେବା ସୂଚନା ଦେଲା CSK । ଚ୍ନେନାଇ ସୁପର କିଙ୍ଗସର ମେଣ୍ଟର ଭାବେ ତୁଲାଇବେ ଦାୟିତ୍ବ ।
ବ୍ଯୁରୋ: ଆଇପିଏଲ୍ ୨୦୨୭ର ରିଟେନସନ୍ ତାଲିକା ଆସିବା ପୂର୍ବରୁ କ୍ରିକେଟ ଫ୍ୟାନ୍ସଙ୍କୁ ବଡ଼ ଝଟକା । ଭାରତୀୟ କ୍ରିକେଟ୍ର ମହାନ ଖେଳାଳି ତଥା ‘ଥାଲା’ ଭାବେ ପରିଚିତ ମହେନ୍ଦ୍ର ସିଂହ ଧୋନିଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ନୂଆ ଟିମ୍ ମେଣ୍ଟର ଭାବେ ନିଯୁକ୍ତ କରାଯାଇଛି। ଏହା ସହିତ ଖେଳାଳି ଭାବେ ଧୋନିଙ୍କ ଅଧ୍ୟାୟ ଶେଷ ହୋଇଥିବା ସୂଚନା ଦିଆଯାଇଛି । CSK ପକ୍ଷରୁ ଏହି ନୂଆ ଦାୟିତ୍ୱକୁ ଧୋନିଙ୍କ କ୍ୟାରିୟରର ଏକ ନୂଆ ଅଧ୍ୟାୟ ବୋଲି କୁହାଯାଇଛି। CSK ନିଜର ଅଫିସିଆଲ୍ X ଆକାଉଣ୍ଟରେ ପୋଷ୍ଟ କରି ଏହି ଘୋଷଣା କରିଛି। ଧୋନିଙ୍କୁ ଜଣେ ‘ଜୀବନରେ ଥରେ ମିଳୁଥିବା ଖେଳାଳି’ ବୋଲି ଅଭିହିତ କରିବା ସହ ଦଳ ପ୍ରତି ତାଙ୍କର ଅବଦାନକୁ ପ୍ରଶଂସା କରିଛି CSK ।
୫ ଥର IPL ଚାମ୍ପିୟନ୍ କରାଇଛନ୍ତି ଧୋନି
ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ୫ ଥର IPL ଟ୍ରଫି ହାସଲ କରିଛି। ଏହାବ୍ୟତୀତ ଦଳ ଦୁଇଥର ଚାମ୍ପିୟନ୍ସ ଲିଗ୍ T20 ଟାଇଟଲ୍ ମଧ୍ୟ ଜିତିଛି। ଅଧିନାୟକ ଭାବେ ତାଙ୍କର ସଫଳତା ତାଙ୍କୁ IPL ଇତିହାସର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ଭାବେ ପରିଚିତ କରାଇଛି। କେବଳ ଅଧିନାୟକତ୍ୱ ନୁହେଁ, ବ୍ୟାଟିଂ ଓ ୱିକେଟ୍ କିପିଂରେ ମଧ୍ୟ ଧୋନିଙ୍କ ଅବଦାନ ଅତୁଳନୀୟ। CSK ପକ୍ଷରୁ ସେ ୫,୩୧୪ ରନ୍ ସଂଗ୍ରହ କରିଛନ୍ତି। ୨୭୨ଟି ମ୍ୟାଚ୍ ଖେଳି ସେ ଦଳର ସର୍ବାଧିକ ମ୍ୟାଚ୍ ଖେଳିଥିବା ଖେଳାଳି ହୋଇଛନ୍ତି। ତାଙ୍କର ହେଲିକପ୍ଟର ସଟ୍ ଏବଂ ଶେଷ ବଲ୍ରେ ମ୍ୟାଚ୍ ଜିତାଇବାର ଅନେକ ସ୍ମରଣୀୟ ମୁହୂର୍ତ୍ତ IPL ଇତିହାସରେ ସବୁଦିନ ପାଇଁ ରହିବ।
ଧୋନିଙ୍କୁ ନେଇ CSKର ଭାବପ୍ରବଣ ବାର୍ତ୍ତା
ଫ୍ରାଞ୍ଚାଇଜି କହିଛି ଯେ ବିଜୟ, ପରାଜୟ ଓ କଠିନ ସମୟରେ ଧୋନି ସବୁବେଳେ ଦଳର ମୂଳ ଶକ୍ତି ହୋଇ ରହିଛନ୍ତି। ଦଳକୁ ଚାମ୍ପିୟନ୍ କରାଇବାଠାରୁ ଆରମ୍ଭ କରି ନୂଆ ପିଢ଼ିର ଖେଳାଳିଙ୍କୁ ମାର୍ଗଦର୍ଶନ କରିବା ପର୍ଯ୍ୟନ୍ତ ତାଙ୍କ ଭୂମିକା ଅତୁଳନୀୟ। ଚେନ୍ନାଇ ସବୁବେଳେ ତାଙ୍କ ଘର ହୋଇ ରହିବ ବୋଲି ମଧ୍ୟ CSK ପକ୍ଷରୁ କୁହାଯାଇଛି। CSKର ପରିଚାଳନା ନିର୍ଦ୍ଦେଶକ କେ.ଏସ୍. ବିଶ୍ୱନାଥନ କହିଛନ୍ତି ଯେ ଧୋନି କେବଳ ଜଣେ କ୍ରିକେଟର୍ ନୁହନ୍ତି, ସେ ଚେନ୍ନାଇ ସହରର ଜଣେ ନିଜର ମଣିଷ ହୋଇଯାଇଛନ୍ତି। ଟ୍ରଫି ସହ ଦଳ କିପରି ବିଜୟ ହାସଲ କରିଥିଲା, ତାହା ମଧ୍ୟ ଧୋନିଙ୍କ ପ୍ରକୃତ ଐତିହ୍ୟ ବୋଲି ସେ କହିଛନ୍ତି।
୨୦୨୪ରେ ଋତୁରାଜଙ୍କୁ ମିଳିଥିଲା ଅଧିନାୟକ ଦାୟିତ୍ୱ
ସୂଚନା ଅନୁସାରେ, ୨୦୨୪ IPL ସିଜିନ୍ ପୂର୍ବରୁ ଧୋନି ଅଧିନାୟକ ପଦ ଛାଡ଼ି ଋତୁରାଜ ଗାଏକୱାଡ୍ଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ଦେଇଥିଲେ। ଏବେ ମେଣ୍ଟର ଭାବେ ତାଙ୍କର ନୂଆ ଯାତ୍ରା ଆରମ୍ଭ ହେବ। ମଇଦାନରେ ଧୋନିଙ୍କୁ ଖେଳାଳି ଭାବେ ଦେଖିବାକୁ ନମିଳିଲେ ମଧ୍ୟ ତାଙ୍କ ଅଭିଜ୍ଞତା ଓ ରଣନୀତି ଆଗାମୀ ଦିନରେ CSK ପାଇଁ ମାର୍ଗଦର୍ଶକ ହେବ।
