IPL Trade:୧୮ କୋଟିରେ ଟ୍ରେଡ୍ ହେଲେ ହାର୍ଦ୍ଦିକ
ପଞ୍ଜାବ ଏବଂ ମୁମ୍ବାଇ ମଧ୍ୟରେ ଟ୍ରେଡ୍ ହେଲେ ଖେଳାଳି | ଅଦଳବଦଳ ରେ ହାର୍ଦ୍ଦିକ ପାଣ୍ଡ୍ୟା PBKS (ପଞ୍ଜାବ କିଙ୍ଗ୍ସ) ରେ ଯୋଗ ଦେଇଥିବା ବେଳେ, ଅର୍ଶଦୀପ ସିଂହ MI (ମୁମ୍ବାଇ ଇଣ୍ଡିଆନ୍ସ) ରେ ସାମିଲ ହେଇଛନ୍ତି | ଅଧିନାୟକ ପଦରୁ ଆରମ୍ଭ କରି ଦଳର ରଣନୀତି ପର୍ଯ୍ୟନ୍ତ, ଏହି ଟ୍ରେଡ୍କୁ ନେଇ କ୍ରିକେଟ୍ ମହଲରେ ବଢ଼ିଛି ଉତ୍ସୁକତା।
ନୂଆ ଦିଲ୍ଲୀ : ଆଇପିଏଲ୍ (IPL) ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଳିଙ୍କୁ ନେଇ ହେଇଛି ଐତିହାସିକ ଟ୍ରେଡ୍ । ମୁମ୍ବାଇର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ପଞ୍ଜାବ ଦଳରେ ସାମିଲ ହେବେ,ଆଉ ବଦଳରେ ପଞ୍ଜାବର ଦ୍ରୁତ ବୋଲର ଅର୍ଶଦୀପ ସିଂହ ମୁମ୍ବାଇ ଇଣ୍ଡିଆନ୍ସ (MI) ରେ ଯୋଗ ଦେବେ। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ପକ୍ଷରୁ ଏହି ଅଦଳବଦଳ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରାଯାଇଛି। ଗତ କିଛି ଦିନ ଧରି ପାଣ୍ଡ୍ୟା ଏବଂ ଅର୍ଶଦୀପଙ୍କୁ ନେଇ ଏଭଳି ଏକ ଟ୍ରେଡ୍କୁ ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଚାଲିଥିବା ବେଳେ ବୁଧବାର ବିସିସିଆଇ ଏହାକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ଦେଇଥିବା ଖବର ରହିଛି।ହାର୍ଦ୍ଦିକଙ୍କୁ ମୁମ୍ବାଇ ୧୬.୩୫ କୋଟି ଟଙ୍କାରେ ଦଳରେ ସାମିଲ କରିଥିଲା। ଏବେ ସେ ୧୮ କୋଟି ଟଙ୍କାରେ ପଞ୍ଜାବ ଦଳକୁ ଯାଇଛନ୍ତି। ସେହିପରି ଅର୍ଶଦୀପଙ୍କୁ ପଞ୍ଜାବ ୧୮ କୋଟି ଟଙ୍କାରେ କିଣିଥିବା ବେଳେ ସେ ମଧ୍ୟ ସମାନ ମୂଲ୍ୟରେ ମୁମ୍ବାଇକୁ ଯାଇଛନ୍ତି। ୨୦୧୫ରେ ହାର୍ଦ୍ଦିକ ପ୍ରଥମ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହୋଇଥିଲେ। ଏହି ଦଳ ପକ୍ଷରୁ ଖେଳି ସେ ଚାରିଥର ଆଇପିଏଲ୍ ଟ୍ରଫି ଜିତିଥିଲେ। ପରେ ୨୦୨୨ ସିଜିନ୍ ପୂର୍ବରୁ ଗୁଜରାଟ ଟାଇଟନ୍ସକୁ ଯାଇ ଅଧିନାୟକ ହୋଇଥିଲେ। ପ୍ରଥମ ସିଜିନ୍ରେ ହିଁ ଗୁଜରାଟକୁ ଚାମ୍ପିୟନ୍ କରାଇଥିଲେ। ୨୦୨୪ରେ ପୁଣି ମୁମ୍ବାଇକୁ ଫେରି ଅଧିନାୟକ ଦାୟିତ୍ୱ ନେଇଥିଲେ। ତେବେ ତାଙ୍କ ନେତୃତ୍ୱରେ ଦଳ ତିନୋଟି ସିଜିନ୍ ଖେଳିଥିଲେ ମଧ୍ୟ କୌଣସି ଆଖିଦୃଶିଆ ସଫଳତା ଆଣିବାରେ ସଫଳତା ପାଇପାରିନଥିଲା। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗସ୍ର ଅଧିନାୟକ ଦାୟିତ୍ୱ ଶ୍ରେୟସ ଆୟରଙ୍କ ହାତରେ ରହିବ। ତାଙ୍କ ନେତୃତ୍ୱରେ ପଞ୍ଜାବ ୨୦୨୫ ଆଇପିଏଲ୍ ଫାଇନାଲ୍ରେ ପହଞ୍ଚିଥିଲା। ତେଣୁ ହାର୍ଦ୍ଦିକ ରାଜି ଅଛନ୍ତି ଆୟରଙ୍କ ଅଧିନାୟକତ୍ୱରେ ଖେଳିବା ପାଇଁ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସେପଟେ ଅର୍ଶଦୀପ ସିଂହ ଦୀର୍ଘ ଆଠଟି ସିଜିନ୍ ପରେ ପଞ୍ଜାବ ଛାଡ଼ିଛନ୍ତି। ୨୦୧୯ରେ ପଞ୍ଜାବ ପକ୍ଷରୁ ଆଇପିଏଲ୍ ପଦାର୍ପଣ କରିଥିବା ଅର୍ଶଦୀପ କ୍ରମାଗତ ଭଲ ପ୍ରଦର୍ଶନ କରି ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ସେ ପଞ୍ଜାବ ପାଇଁ ୯୬ଟି ମ୍ୟାଚ୍ ଖେଳି ୧୧୧ଟି ୱିକେଟ୍ ନେଇଛନ୍ତି। ଏହା ସହ ସେ ଦଳର ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ହୋଇଥିଲେ। ଏହି ଟ୍ରେଡ୍ ପରେ ମୁମ୍ବାଇ ଇଣ୍ଡିଆନ୍ସକୁ ଜଣେ ଦକ୍ଷ ବାମହାତୀ ଦ୍ରୁତ ବୋଲର ମିଳିଥିବା ବେଳେ ପଞ୍ଜାବକୁ ମିଳିଛନ୍ତି ଜଣେ ଅଭିଜ୍ଞ ଅଲ୍ରାଉଣ୍ଡର। ତେବେ ହାର୍ଦ୍ଦିକଙ୍କ ଆଗମନ ପଞ୍ଜାବର ଦଳୀୟ ସନ୍ତୁଳନ ଏବଂ ଆଗାମୀ ସିଜିନ୍ର ପ୍ରଦର୍ଶନକୁ କେତେ ପ୍ରଭାବିତ କରିବ, ତାହା ଉପରେ ଏବେ କ୍ରିକେଟ୍ ପ୍ରେମୀଙ୍କ ନଜର।
