Hockey India Election:ସ୍ଥଗିତ ରହିଲା ହକି ଇଣ୍ଡିଆ ନିର୍ବାଚନ
ହକି ଇଣ୍ଡିଆ ନିର୍ବାଚନକୁ ନେଇ ଆଇନଗତ ବିବାଦ ନୂଆ ମୋଡ଼ ନେଇଛି। ନିର୍ବାଚନ ପ୍ରକ୍ରିୟାରୁ ଓଡ଼ିଶା ହକି ସଂଘକୁ ବାଦ୍ ଦେବା ପ୍ରସଙ୍ଗରେ ହସ୍ତକ୍ଷେପ କରିଛନ୍ତି ଓଡ଼ିଶା ହାଇକୋର୍ଟ। ଡିସେମ୍ବର ୯ରେ ହେବ ପରବର୍ତ୍ତୀ ଶୁଣାଣି।
କଟକ:ସ୍ଥଗିତ ରହିଲା ହକି ଇଣ୍ଡିଆ ନିର୍ବାଚନ। ନିର୍ବାଚନ ପ୍ରକ୍ରିୟା ଉପରେ ରହିତାଦେଶ ଜାରି କରିଛନ୍ତି ଓଡ଼ିଶା ହାଇକୋର୍ଟ। ଓଡ଼ିଶା ହକି ସଂଘକୁ ନିର୍ବାଚନ ପ୍ରକ୍ରିୟାରୁ ବାଦ୍ ଦେବା ପାଇଁ ହକି ଇଣ୍ଡିଆ ପକ୍ଷରୁ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସ୍ ଉପରେ ମଧ୍ୟ ହାଇକୋର୍ଟ ରୋକ୍ ଲଗାଇଛନ୍ତି। ଆସନ୍ତା ଡିସେମ୍ବର ୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସେପର୍ଯ୍ୟନ୍ତ ନିର୍ବାଚନ ଉପରେ ରହିତାଦେଶ ବଳବତ୍ତର ରହିବ।ଏହି ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ। ଭାରତ ସରକାରଙ୍କ NSG ଆଇନର ବ୍ୟବସ୍ଥା ଅନୁଯାୟୀ ଓଡ଼ିଶା ହକି ସଂଘକୁ ନିର୍ବାଚନ ପ୍ରକ୍ରିୟାରୁ ବାଦ୍ ଦେବା ନିଷ୍ପତ୍ତି ବେଆଇନ ବୋଲି ଏଜି ଯୁକ୍ତି ରଖିଥିଲେ। ତାଙ୍କ ଯୁକ୍ତି ଉପସ୍ଥାପନ ପରେ ହାଇକୋର୍ଟ ନିର୍ବାଚନ ସହ କାରଣ ଦର୍ଶାଅ ନୋଟିସ୍ ଉପରେ ମଧ୍ୟ ରହିତାଦେଶ ଜାରି କରିଛନ୍ତି।ଅନ୍ୟପଟେ ଭାରତୀୟ ହକିର ବିକାଶ ଓ ପ୍ରଚାର ପ୍ରସାରରେ ଓଡ଼ିଶାର ଅବଦାନକୁ ନେଇ ମଧ୍ୟ ଏହି ପ୍ରସଙ୍ଗ ଗୁରୁତ୍ୱ ବହନ କରୁଛି। ହକିର ଉନ୍ନତି ଓ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଓଏମସି ପକ୍ଷରୁ ହକି ଇଣ୍ଡିଆକୁ ୧୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଆର୍ଥିକ ସହାୟତା ଦିଆଯାଇଛି। ଏଥିସହ ଭାରତୀୟ ହକିକୁ ଅନେକ ପ୍ରତିଭାବାନ ଖେଳାଳି ମଧ୍ୟ ଦେଇଛି ଓଡ଼ିଶା। ତେଣୁ ଓଡ଼ିଶା ହକି ସଂଘକୁ ନିର୍ବାଚନରୁ ବାଦ୍ ଦେବା ପ୍ରସଙ୍ଗ ଏବେ ଆଇନଗତ ବିଚାରାଧୀନ ରହିଛି। ଡିସେମ୍ବର ୯ର ଶୁଣାଣି ଉପରେ ଏହି ମାମଲାର ପରବର୍ତ୍ତୀ ଦିଗ ନିର୍ଭର କରିବ।
