India's Hockey Dominance Continues :ଜାପାନକୁ ଚିତ୍ପଟାଙ୍ଗ କଲା ଭାରତ, ଷଷ୍ଠ ଥର ଏସୀୟ ଚାମ୍ପିୟନ୍
ଭାରତୀୟ ହକି ଦଳ ମୋହାଲିରେ ଜାପାନକୁ ୪-୧ ଗୋଲ୍ରେ ପରାସ୍ତ କରି କ୍ରମାଗତ ତୃତୀୟ ତଥା ଷଷ୍ଠ ଥର ପାଇଁ ଏସୀୟ ଚାମ୍ପିୟନ୍ସ ଟ୍ରଫି ଟାଇଟଲ୍ ହାସଲ କରିଛି।

ଏସୀୟନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତର ଦମଦାର ବିଜୟ। ମୋହାଲିସ୍ଥିତ ବଲବୀର ସିଂହ ସିନିୟର ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଜାପାନକୁ ୪-୧ ଗୋଲ୍ରେ ପରାସ୍ତ କରି ଭାରତ ଟାଇଟଲ୍ ବଜାୟ ରଖିଛି। ଏହା ଭାରତର କ୍ରମାଗତ ତୃତୀୟ ଏସୀୟ ଚାମ୍ପିୟନ୍ସ ଟ୍ରଫି ବିଜୟ ଏବଂ ମୋଟ ଷଷ୍ଠ ଟାଇଟଲ୍। ଏଥିସହ ପୂରା ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜେୟ ରହିଛି।
ଫାଇନାଲ୍ ମ୍ୟାଚ୍ରେ ଜାପାନ ପ୍ରଥମେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ତୃତୀୟ ମିନିଟ୍ରେ କାଜୁମାସା ମାତ୍ସୁମୋତୋଙ୍କ ଟୋମାହକ୍ ସଟ୍ରୁ ଗୋଲ୍ ହାସଲ କରି ଜାପାନ ୧-୦ରେ ଅଗ୍ରଣୀ ନେଇଥିଲା। ପ୍ରଥମ ଦୁଇଟି କ୍ୱାର୍ଟରରେ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ୨୦ତମ ମିନିଟ୍ରେ ଜାପାନକୁ ଲଗାତାର ଦୁଇଟି ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଭାରତୀୟ ରକ୍ଷଣଭାଗ ତାହାକୁ ବିଫଳ କରିଥିଲା।
୩୩ତମ ମିନିଟ୍ରେ ଭାରତକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା। କିନ୍ତୁ ଅଧିନାୟକ ହରମନପ୍ରୀତ ସିଂହଙ୍କ ଫ୍ଲିକ୍କୁ ଜାପାନୀ ଗୋଲକିପର କିଶୋ କୁରୋଡା ଅଟକାଇ ଦେଇଥିଲେ। ୩୯ତମ ମିନିଟ୍ରେ ଜାପାନର ଆଉ ଏକ ପେନାଲ୍ଟି କର୍ଣ୍ଣର ମଧ୍ୟ ସଫଳ ହୋଇନଥିଲା।
ଦ୍ୱିତୀୟାର୍ଦ୍ଧରେ ଭାରତ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା। ୪୨ତମ ମିନିଟ୍ରେ ଲଗାତାର ଦୁଇଟି ପେନାଲ୍ଟି କର୍ଣ୍ଣର ହାସଲ କରିଥିବା ଭାରତ ପକ୍ଷରୁ ଶିଳାନନ୍ଦ ଲାକ୍ରା ଆଦିତ୍ୟ ଅର୍ଜୁନ ଲାଲାଗେଙ୍କ ପାସ୍ରୁ ରିବାଉଣ୍ଡରେ ଗୋଲ୍ କରି ସ୍କୋର୍କୁ ୧-୧ କରିଥିଲେ।
ଶେଷ କ୍ୱାର୍ଟରରେ ଭାରତର ଆଧିପତ୍ୟ ଦେଖିବାକୁ ମିଳିଥିଲା। ୪୮ତମ ମିନିଟ୍ରେ ହାର୍ଦ୍ଦିକ ସିଂହଙ୍କ ଚମତ୍କାର ପାସ୍ରୁ ଦିଲପ୍ରୀତ ସିଂହ ରିଭର୍ସ ହିଟ୍ ଜରିଆରେ ଗୋଲ୍ କରି ଭାରତକୁ ୨-୧ରେ ଅଗ୍ରଣୀ ଦେଇଥିଲେ। ୫୩ତମ ମିନିଟ୍ରେ ପେନାଲ୍ଟି କର୍ଣ୍ଣରରୁ ଯୁଗରାଜ ସିଂହ ତୃତୀୟ ଗୋଲ୍ କରିଥିଲେ। ଏହାର ପରବର୍ତ୍ତୀ ମିନିଟ୍ରେ ବିବେକ ସାଗର ପ୍ରସାଦ ସର୍କଲ୍ ବାହାରୁ ଶକ୍ତିଶାଳୀ ସଟ୍ ମାରି ଭାରତର ବିଜୟ ବ୍ୟବଧାନକୁ ୪-୧ କରିଦେଇଥିଲେ।
ମ୍ୟାଚ୍ ଶେଷ ହେବାର ୧୨ ସେକେଣ୍ଡ ପୂର୍ବରୁ ଜାପାନକୁ ଚତୁର୍ଥ ପେନାଲ୍ଟି କର୍ଣ୍ଣର ମିଳିଥିଲା। ତେବେ ରାଇକି ଫୁଜିଶିମାଙ୍କ ସଟ୍ ଗୋଲ୍ପୋଷ୍ଟ ବାହାରକୁ ଚାଲିଯିବାରୁ ଜାପାନ ଆଉ ଗୋଲ୍ କରିପାରିନଥିଲା।
ଏହି ମ୍ୟାଚ୍ ହାର୍ଦ୍ଦିକ ସିଂହଙ୍କ ପାଇଁ ମଧ୍ୟ ସ୍ମରଣୀୟ ଥିଲା। ସେ ନିଜ ଅନ୍ତର୍ଜାତୀୟ କ୍ୟାରିୟରର ୨୦୦ତମ ମ୍ୟାଚ୍ ଖେଳିଥିଲେ। ମିଡଫିଲ୍ଡରେ ତାଙ୍କର ଦମଦାର ପ୍ରଦର୍ଶନ ସହ ଜରମନପ୍ରୀତ ସିଂହଙ୍କ ଦୃଢ଼ ରକ୍ଷଣଭାଗ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା |ଉଲ୍ଲେଖଯୋଗ୍ୟ, ଲିଗ୍ ପର୍ଯ୍ୟାୟରେ ମଧ୍ୟ ଭାରତ ଜାପାନକୁ ୪-୧ ଗୋଲ୍ରେ ପରାସ୍ତ କରିଥିଲା। ଏହି ବିଜୟ ସହ ଭାରତ ଅପରାଜେୟ ରହି ଟୁର୍ଣ୍ଣାମେଣ୍ଟ ଶେଷ କରିଛି।
ଏପଟେ ଏସୀୟ ଚାମ୍ପିୟନ୍ସ ଟ୍ରଫି ପଞ୍ଜାବ-୨୦୨୬ର ସଫଳ ଆୟୋଜନ ଓ ଭାରତର ବିଜୟ ପାଇଁ ପଞ୍ଜାବ ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆ ଏବଂ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଆୟୋଜନ ପଞ୍ଜାବର କ୍ରୀଡ଼ା ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛି।
