Dhoni Craze:ଷ୍ଟାଡିୟମ୍ ରେ ଆଉ ଶୁଭିବନି ‘ଥାଲା’, ଆଉ ଦେଖିବାକୁ ମିଳିବନି ମାହିଙ୍କ ହେଲିକପ୍ଟର ସଟ୍!
ଆଇପିଏଲ୍ କୁ ଅଲବିଦା କହିଲେ ଧୋନି! ପ୍ରଶଂସକଙ୍କ ଆଖିରେ ଲୁହ, ଚେନ୍ନାଇ ସୁପର କିଙ୍ଗସ୍ ର ହଳଦିଆ ଜର୍ସିରେ ଆଉ ଦେଖିବାକୁ ମିଳିବନି ତାଙ୍କ ବ୍ୟାଟିଂର ଯାଦୁ।
ବ୍ଯୁରୋ: ଦୀର୍ଘ ୧୮ ବର୍ଷର ସମ୍ପର୍କ, ଅଗଣିତ ସ୍ମୃତି, ଆଉ କୋଟି କୋଟି ପ୍ରଶଂସକଙ୍କ ଅତୁଟ ଭଲପାଇବା। ଆଇପିଏଲ୍ ମୈଦାନରେ ଖେଳାଳି ଭାବେ ମହେନ୍ଦ୍ର ସିଂହ ଧୋନିଙ୍କ ଯାତ୍ରାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଆଉ ଷ୍ଟାଡିୟମ୍ରେ ଶୁଭିବନି ଖେଳାଳି ଧୋନିଙ୍କ ପାଇଁ 'ଥାଲା ଥାଲା' ନାରା। ଚେନ୍ନାଇ ସୁପର କିଙ୍ଗସ୍ର ହଳଦିଆ ଜର୍ସିରେ ଆଉ ଦେଖିବାକୁ ମିଳିବନି ତାଙ୍କ ବ୍ୟାଟିଂର ଯାଦୁ। ମାହିଙ୍କ ହେଲିକପ୍ଟର ସଟ୍ ଦେଖିବାକୁ ଆଉ ଅପେକ୍ଷା କରିବେନି ଫ୍ୟାନ୍ସ। ଖେଳାଳି ଭାବେ ଆଇପିଏଲ୍କୁ ବିଦାୟ ଜଣାଇ ଏବେ ନୂଆ ଭୂମିକାରେ ନଜର ଆସିବେ ଧୋନି। ବିହାରରେ ଜନ୍ମ, ଉତ୍ତରାଖଣ୍ଡରେ ବଢ଼ିବା, ଝାଡ଼ଖଣ୍ଡରୁ କ୍ରିକେଟ୍ ଯାତ୍ରାର ଆରମ୍ଭ। ହେଲେ ହୃଦୟ ଜିତିଥିଲେ ଚେନ୍ନାଇବାସୀଙ୍କର। ୨୦୦୮ରେ ଆଇପିଏଲ୍ର ପ୍ରଥମ ସଂସ୍କରଣରୁ ଚେନ୍ନାଇ ସୁପର କିଙ୍ଗସ୍ ସହ ଯୋଡ଼ି ହୋଇଥିଲେ ଧୋନି। ନିଜର ଧୈର୍ଯ୍ୟ, ଶାନ୍ତ ସ୍ୱଭାବ ଓ ଅସାଧାରଣ ଅଧିନାୟକତ୍ୱ ପାଇଁ ସେ ପାଲଟିଥିଲେ 'କ୍ୟାପଟେନ୍ କୁଲ୍'। ଧୋନି କେବଳ ଜଣେ ଖେଳାଳି ନଥିଲେ, ସେ ଥିଲେ ଚେନ୍ନାଇବାସୀଙ୍କ ଭାବନା। ତାମିଲନାଡୁବାସୀଙ୍କ ମୁହଁରେ ତାଙ୍କ ପାଇଁ ଥିଲା ଗୋଟିଏ ନାଁ—'ଥାଲା'।

ଅନ୍ତର୍ଜାତୀୟ କ୍ରିକେଟ୍ରେ ଭାରତକୁ ଅନେକ ସ୍ମରଣୀୟ ବିଜୟ ଭେଟି ଦେଇଥିବା ଧୋନି ଆଇପିଏଲ୍ରେ ମଧ୍ୟ ନିଜ ନେତୃତ୍ୱର ଛାପ ଛାଡ଼ିଛନ୍ତି। ଚେନ୍ନାଇ ସୁପର କିଙ୍ଗସ୍କୁ ୧୦ ଥର ଫାଇନାଲ୍ରେ ପହଞ୍ଚାଇବା ସହ ୫ ଥର ଚାମ୍ପିଅନ୍ କରାଇବାରେ ତାଙ୍କ ଭୂମିକା ଥିଲା ଅତୁଳନୀୟ। ଆଇପିଏଲ୍ କ୍ୟାରିୟରରେ ମାହି ୨୭୮ଟି ମ୍ୟାଚ୍ ଖେଳି ୫,୪୩୯ ରନ୍ ସଂଗ୍ରହ କରିଛନ୍ତି। କେବଳ ବ୍ୟାଟିଂ ନୁହେଁ, ୱିକେଟ୍ ପଛରେ ମଧ୍ୟ ତାଙ୍କ ଦକ୍ଷତା ଥିଲା ଅସାଧାରଣ। ୧୫୮ଟି କ୍ୟାଚ୍ ଓ ୪୭ଟି ଷ୍ଟମ୍ପିଂ ତାଙ୍କ ୱିକେଟ୍କିପିଂ ଦକ୍ଷତାର ପ୍ରମାଣ। ସିଏସ୍କେ ପାଇଁ ସେ କେବଳ ଜଣେ ଖେଳାଳି ନଥିଲେ, ବରଂ ଦଳର ପରିଚୟ ପାଲଟିଥିଲେ। ୨୦୧୮ରେ ଦୁଇ ବର୍ଷର ବାସନ୍ଦାଦେଶ ପରେ ଚେନ୍ନାଇର ଦମ୍ଦାର ପ୍ରତ୍ୟାବର୍ତ୍ତନ ହେଉ କି ୨୦୨୩ର ରୋମାଞ୍ଚକର ଫାଇନାଲ୍ ବିଜୟ, ପ୍ରତିଟି ସଫଳତାରେ ଧୋନିଙ୍କ ନେତୃତ୍ୱ ଥିଲା ଚର୍ଚ୍ଚାରେ। ହଳଦିଆ ଜର୍ସି ପଛରେ 'THALA' ଲେଖି ଷ୍ଟାଡିୟମ୍ରେ ପହଞ୍ଚୁଥିବା ପ୍ରଶଂସକଙ୍କ ଭଲପାଇବା ହିଁ ତାଙ୍କ ଲୋକପ୍ରିୟତାର ସବୁଠୁ ବଡ଼ ପ୍ରମାଣ।
ହେଲେ ଗତ କିଛି ବର୍ଷ ଧରି ଧୋନିଙ୍କ ଆଇପିଏଲ୍ ଭବିଷ୍ୟତକୁ ନେଇ ଲାଗି ରହିଥିଲା ଅନେକ ଚର୍ଚ୍ଚା। ଆଣ୍ଠୁରେ ଆଘାତ, ଫିଟନେସ୍ ଓ ଖେଳିବାକୁ ନେଇ ଅନିଶ୍ଚିତତା ଭିତରେ ଥିଲେ ପ୍ରଶଂସକ। ୨୦୨୩ରେ ଚେନ୍ନାଇକୁ ଚାମ୍ପିଅନ୍ କରାଇବା ପରେ ଅବସର ନେଇଯିବେ ବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ ମାହି ହାର ମାନିନଥିଲେ। ଖେଳ ଜାରି ରଖିଥିଲେ। ଆଉ ଏବେ ଖେଳାଳି ଭାବେ ବିଦାୟ ନେଇ ନୂଆ ଭୂମିକାରେ ଦଳକୁ ଦିଗ୍ଦର୍ଶନ ଦେବାକୁ ଆଗେଇବେ। ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଧୋନିଙ୍କ ବିଦାୟ କେବଳ ଜଣେ ଖେଳାଳିଙ୍କ ଅନୁପସ୍ଥିତି ନୁହେଁ, ବରଂ ଏକ ଯୁଗର ଅବସାନ। ତଥାପି ତାଙ୍କ ଅଭିଜ୍ଞତା, ରଣନୀତି ଓ ନେତୃତ୍ୱର ଛାପ ଦଳ ସହ ସବୁବେଳେ ରହିବ। ଖେଳାଳି ବଦଳିବେ, ଅଧିନାୟକ ବଦଳିବେ ଦଳର ଚେହେରା ବି ବଦଳିବ। କିନ୍ତୁ ଚେନ୍ନାଇବାସୀଙ୍କ ହୃଦୟରେ ଧୋନିଙ୍କ ସ୍ଥାନ କେବେ ବଦଳିବନି। କାରଣ ଧୋନି କେବଳ ଗୋଟିଏ ନାଁ ନୁହେଁ, ସେ ଏକ ଭାବନା, ଏକ ପରିଚୟ, ଆଉ ସବୁଦିନ ପାଇଁ ଚେନ୍ନାଇର 'ଥାଲା'!
