Jay Shah: ଦ୍ୱିତୀୟଥର ICCର ଚେୟାରମ୍ୟାନ ହେଲେ ଜୟ ଶାହ
ICCର ଅଧ୍ୟକ୍ଷ ଭାବେ ଦ୍ୱିତୀୟ ଥର ପାଇଁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେଲେ ଜୟ ଶାହ। ବାଲିରେ ICCର ବୋର୍ଡ ବୈଠକରେ ତାଙ୍କୁ ପୁନର୍ବାର ଏହି ଦାୟିତ୍ୱ ମିଳିଥିବା ନେଇ ICC ପକ୍ଷରୁ ସୂଚନା, ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍ର ପ୍ରତ୍ୟାବର୍ତ୍ତନ ରହିବ ପ୍ରମୁଖ ଦାୟିତ୍ୱ।

ବ୍ଯୁରୋ: ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC)ର ଅଧ୍ୟକ୍ଷ ଭାବେ ଜୟ ଶାହ ଦ୍ୱିତୀୟ ଥର ପାଇଁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ସୋମବାର ବାଲିରେ ଅନୁଷ୍ଠିତ ICC ବୋର୍ଡ ବୈଠକରେ ସମସ୍ତ ଡାଇରେକ୍ଟର ଏକମତ ହୋଇ ତାଙ୍କ ନାମ ପ୍ରସ୍ତାବ ଦେଇଥିଲେ । ଅନ୍ୟ କୌଣସି ପ୍ରାର୍ଥୀ ନଥିବାରୁ ଜୟ ଶାହ ବିନା ବିରୋଧରେ ପୁଣି ଥରେ ଏହି ଗୁରୁତ୍ୱପୂର୍ଣ୍ଣ ପଦରେ ନିର୍ବାଚିତ ହୋଇଛନ୍ତି । ଭାରତୀୟ କ୍ରିକେଟ୍ ବୋର୍ଡର ପୂର୍ବତନ ସଚିବ ଜୟ ଶାହ ୨୦୨୪ ମସିହାରେ ମାତ୍ର ୩୫ ବର୍ଷ ବୟସରେ ICCର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ସବୁଠାରୁ କମ୍ ବୟସର ଅଧ୍ୟକ୍ଷ ହେବାର ଗୌରବ ହାସଲ କରିଥିଲେ। ଦ୍ୱିତୀୟ ଦୁଇବର୍ଷିଆ କାର୍ଯ୍ୟକାଳରେ ସେ ୨୦୨୮ ମସିହାରେ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍ର ପ୍ରତ୍ୟାବର୍ତ୍ତନ ଦାୟିତ୍ୱ ତୁଲାଇବେ। ଏହି ଅବସରରେ ଜୟ ଶାହ କହିଛନ୍ତି, “ଅଲିମ୍ପିକ୍ସକୁ କ୍ରିକେଟ୍ର ପ୍ରତ୍ୟାବର୍ତ୍ତନ ଏହି ଖେଳକୁ ନୂଆ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ସହ ନୂଆ ପିଢ଼ିର ଖେଳାଳି ଓ ପ୍ରଶଂସକଙ୍କୁ ପ୍ରେରଣା ଯୋଗାଇବାର ଏକ ଅସାଧାରଣ ସୁଯୋଗ।”ସୂଚନାଯୋଗ୍ଯ, ଜୟ ଶାହ ହେଉଛନ୍ତି ଭାରତର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ।
