The Next Big Collab : ହିଟ୍ ଯୋଡ଼ିଙ୍କ ନୂଆ ମାଷ୍ଟରପ୍ଲାନ୍
‘ଧୁରନ୍ଧର’ର ସଫଳତା ପରେ ପୁଣି ଏକାଠି ହେବେ ରଣବୀର-ଆଦିତ୍ୟ! ଏଥର କେଉଁ ନୂଆ କାହାଣୀ ନେଇ ପରଦାକୁ ଆସିବ ଏହି ହିଟ୍ ଯୋଡ଼ି? ଜାଣନ୍ତୁ ଏହି ନୂଆ ପ୍ରୋଜେକ୍ଟ ବିଷୟରେ।

ଅଭିନେତା ରଣବୀର ସିଂହ ଓ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଯୋଡ଼ି ବଲିଉଡ୍ରେ ଏକ ସଫଳ ଯୋଡ଼ି ଭାବେ ପରିଚିତ ହୋଇଛି। ଏହି ଯୋଡ଼ିଙ୍କ ନିର୍ମିତ ‘ଧୁରନ୍ଧର’ ଓ ‘ଧୁରନ୍ଧର ୨’ ଭଳି ବ୍ଲକବଷ୍ଟର ଫିଲ୍ମ ହିନ୍ଦୀ ସିନେମାରେ ସଫଳତାର ନୂଆ ଇତିହାସ ରଚିଛି। ଏବେ ପୁଣି ଏହି ଯୋଡ଼ିଙ୍କୁ ବଡ଼ ପରଦାରେ ଏକାଠି ଦେଖିବାକୁ ମିଳିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ସୂଚନା ଅନୁଯାୟୀ, ରଣବୀର ଓ ଆଦିତ୍ୟ ତୃତୀୟ ଫିଲ୍ମ ପାଇଁ ଏକାଠି ହେବାକୁ ଯାଉଥିବା ବେଳେ ଏହି ପ୍ରୋଜେକ୍ଟକୁ ନେଇ ଦର୍ଶକଙ୍କ ମଧ୍ୟରେ ଏବେଠାରୁ ଉତ୍ସୁକତା ବଢ଼ିଛି।
ରଣବୀର ଓ ଆଦିତ୍ୟଙ୍କ ତୃତୀୟ ଫିଲ୍ମ!
ବଲିଉଡ୍ରେ ପୁଣି ଏକାଠି ହେବେ ଅଭିନେତା ରଣବୀର ସିଂ ଓ ନିର୍ଦ୍ଦେଶକ ଆଦିତ୍ୟ ଧର। ‘ଧୁରନ୍ଧର’ ଫ୍ରାଞ୍ଚାଇଜ୍ର ଅପାର ସଫଳତା ପରେ ଏହି ଯୋଡ଼ିଙ୍କ ଆଗାମୀ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଖବର ଅନୁସାରେ, ଆଦିତ୍ୟ ଧର ରଣବୀରଙ୍କ ସହ ତୃତୀୟ ଫିଲ୍ମ କରିବାକୁ ଯୋଜନା କରୁଛନ୍ତି। ଏଥିପାଇଁ ଅଭିନେତା ମଧ୍ୟ ରାଜି ହୋଇଥିବା କୁହାଯାଉଛି। ରିପୋର୍ଟ ଅନୁସାରେ, ଆଦିତ୍ୟ ଧର ମୌର୍ଯ୍ୟ ସାମ୍ରାଜ୍ୟର ଉତ୍ଥାନକୁ ନେଇ ଏକ ଐତିହାସିକ ମହାକାବ୍ୟ ନିର୍ମାଣ କରିବାକୁ ଚିନ୍ତା କରୁଛନ୍ତି। ଏହି ଫିଲ୍ମରେ ମୌର୍ଯ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଜୀବନୀ ଓ ସାମ୍ରାଜ୍ୟର ଗୌରବମୟ ଇତିହାସକୁ ପରଦାରେ ଦେଖିବାକୁ ମିଳିପାରେ। ଏହି ପିରିୟଡ୍ ଡ୍ରାମା ପାଇଁ ନିର୍ଦ୍ଦେଶକ ପ୍ରଥମେ ରଣବୀର ସିଂଙ୍କ ନାମ ବିଚାରକୁ ନେଇଥିବା ଚର୍ଚ୍ଚା ହେଉଛି। ତେବେ ଏନେଇ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ଘୋଷଣା ହୋଇନାହିଁ।
ଆଦିତ୍ୟ ଧରଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଧୁରନ୍ଧର’ର ପ୍ରଥମ ଓ ଦ୍ୱିତୀୟ ଭାଗର ସଫଳତା ରଣବୀରଙ୍କ କ୍ୟାରିୟରକୁ ନୂଆ ଉଚ୍ଚତା ଦେଇଛି। ଏହି ଫ୍ରାଞ୍ଚାଇଜ୍ ବିଶ୍ୱବ୍ୟାପୀ ୩,୧୦୦ କୋଟି ଟଙ୍କାର ବ୍ୟବସାୟ କରି ବଲିଉଡ୍ରେ ନୂଆ ରେକର୍ଡ ସୃଷ୍ଟି କରିଥିବା ରିପୋର୍ଟରେ ଦାବି କରାଯାଇଛି। ଏହା ପରେ ରଣବୀରଙ୍କ ଚାହିଦା ମଧ୍ୟ ଫିଲ୍ମ ନିର୍ମାତାଙ୍କ ମଧ୍ୟରେ ବଢ଼ିଛି। ଏବେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଭୂମିକାରେ ରଣବୀରଙ୍କୁ ଦେଖିବାକୁ ମିଳିବ କି ନାହିଁ, ତାହା ଉପରେ ଦର୍ଶକଙ୍କ ନଜର।
ରଣବୀର ସିଂହଙ୍କ ଆଗାମୀ ଫିଲ୍ମ
ଅଭିନେତା ଭାବେ ରଣବୀର ସିଂହଙ୍କ ଆଗାମୀ ଫିଲ୍ମର ନାଁ ରହିଛି ‘ପ୍ରଳୟ’। ଏହି ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇସାରିଛି। ଏହା ଏକ ଜମ୍ବି ସର୍ଭାଇଭାଲ୍ ଥ୍ରିଲର୍ ଫିଲ୍ମ। ଏଥିରେ ରଣବୀର ସିଂହଙ୍କ ସହ ଦକ୍ଷିଣ ଭାରତୀୟ ସିନେମାର ଲେଡି ସୁପରଷ୍ଟାର କଲ୍ୟାଣୀ ପ୍ରିୟଦର୍ଶନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଆସନ୍ତା ବର୍ଷ ଏହି ଫିଲ୍ମଟି ସିନେମା ହଲ୍ରେ ମୁକ୍ତିଲାଭ କରିପାରେ।
