MMDR: କାହା ସ୍ୱାର୍ଥରେ ଲଢ଼େଇ- ମାଟି ନା ପାର୍ଟି
ଜେନ-ଜିଙ୍କ ଭବିଷ୍ୟତ ଲାଗି ଏ ଲଢ଼େଇ ବୋଲି କହିଛନ୍ତି ନବୀନ। ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ବି ଉତ୍ତର ଆସିଲାନି। ଏ ମାଟିରୁ ପାର୍ଟି କେବେ ବି ବଡ଼ ହୋଇପାରିବନି। ଚୌକି ଆଜି ଅଛି, କାଲିନଥିବ। କିନ୍ତୁ ମାଟିକୁ ଧୋକା ଦେଲେ ନିନ୍ଦା ମିଳିବ। ଶାସକ ଦଳ କହିଛି, ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ ହୋଇଥିଲେ ଦାୟିତ୍ୱସମ୍ପନ୍ନ ବ୍ୟବହାର ଦେଖାଇଥାଆନ୍ତେ

ସଂଶୋଧିତ ଏମଏମଡିଆର ଆଇନ ପ୍ରତ୍ୟାହାର ଦାବିରେ ଲୋୟର ପିଏମଜିରେ ଗର୍ଜିଲା ବିଜେଡି। ଏହି ବିଲ୍ କଳା ବିଲ୍ କହି ବିଧାନସଭା ଘେରାଓ କରିଥିଲା। ଏହି ବିଲ୍ ପାଇଁ ଓଡ଼ିଶା ହରାଇବ ହଜାର ହଜାର କୋଟି ଟଙ୍କା। ଖଣି ଓ ଖଣି ଥିବା ଜମି ଉପରେ ରାଜ୍ୟର ଅଧିକାରକୁ ଏହି ସଂଶୋଧନ ଆଇନ ଛଡ଼ାଇନେଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଅନୁସାରେ, ଓଡ଼ିଶା ବକେୟା ବାବଦକୁ ଏକ ଲକ୍ଷ କୋଟି ଓ ବର୍ଦ୍ଧିତ ରାଜସ୍ୱ ବାବଦକୁ ୧୨ହଜାର କୋଟି ଟଙ୍କା ପାଇବାର ସୁଯୋଗ ସୃଷ୍ଟି ହୋଇଥିଲା। ହେଲେ ଏମଏମଡିଆର ଏହି ସୁଯୋଗକୁ ଛଡ଼ାଇନେଲା। ରାଜ୍ୟର ସ୍ୱାର୍ଥ ବିରୋଧୀ ଏହି ଆଇନ ପ୍ରତ୍ୟାହାର ନହେଲା ଯାଏ ଚୁପ୍ ବସିବନି ବିଜେଡି। ଆଉ ଏଭଳି ଓଡ଼ିଶା ବିରୋଧୀ ବିଲ୍କୁ ବିରୋଧ ପରିବର୍ତ୍ତେ ବିଜେପିର ୨୦ ସାଂସଦଙ୍କ ନୀରବତାକୁ ନେଇ ବର୍ଷିଛି ଦଳ। ଏ ଲଢ଼େଇରେ ସବୁ ଦଳ ସାମିଲ ହେବାକୁ ଅପିଲ୍ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶେଷ ନିଃଶ୍ୱାସ ଯାଏ ଲଢ଼ିବି ବୋଲି କହିଛନ୍ତି ନବୀନ। ଜେନ-ଜିଙ୍କ ଭବିଷ୍ୟତ ଲାଗି ଏ ଲଢ଼େଇ ବୋଲି କହିଛନ୍ତି ନବୀନ। ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ବି ଉତ୍ତର ଆସିଲାନି। ଏ ମାଟିରୁ ପାର୍ଟି କେବେ ବି ବଡ଼ ହୋଇପାରିବନି। ଚୌକି ଆଜି ଅଛି, କାଲିନଥିବ। କିନ୍ତୁ ମାଟିକୁ ଧୋକା ଦେଲେ ନିନ୍ଦା ମିଳିବ। ନା ଜେନ୍-ଜି ନା ଓଡ଼ିଶାବାସୀ କ୍ଷମା ଦେବେ। କାରଣ ଓଡ଼ିଶାର ଖଣି, ଓଡ଼ିଶାର ଜମି ଉପରେ ଓଡ଼ିଶାବାସୀ ହେଉଛନ୍ତି ମାଲିକ। ବିନା ଆଲୋଚନାରେ ଏଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍ ସଂସଦରେ ପାରିତ ହୋଇଗଲା। ଆଉ ଓଡ଼ିଶା ବିଜେପିର ୨୦ ସାଂସଦ ଚୁପ୍ ବସିଲେ। ସେପଟେ ବିଜେଡି ନେତ୍ରୀ ସୁଜାତା ରାଉତ ବି କଡ଼ା ଭାଷାରେ ବିଜେପି ସରକାରଙ୍କ ଓଡ଼ିଶା ବିରୋଧୀ ମନୋଭାବକୁ ନେଇ ଟାର୍ଗେଟ କରିଛନ୍ତି। ମା ଲକ୍ଷ୍ମୀଙ୍କୁ ଦ୍ୱାରଦେଶରୁ ଫେରାଇଦେଇ ମାତୃଭୂମି ପ୍ରତି ଅନ୍ୟାୟ କରାଯାଇଛି। ଏ ସରକାର ଦିଲ୍ଲୀର ରିମୋଟ କଣ୍ଟ୍ରୋଲରେ ଚାଲିଛି। ବିଜେଡି ଏକମାତ୍ର ଦଳ ଯିଏ ସାଢ଼େ ୪କୋଟି ଲୋକଙ୍କ ରିମୋଟ କଣ୍ଟ୍ରୋଲରେ ଚାଲିଛି। ଲୋୟର ପିଏମଜି ପୁରା ଲୋକାରଣ୍ୟ ହୋଇଉଠିଥିଲା। କିଏ ହାତରେ ସମ୍ୱିଧାନ ଧରି ନିଆରା ପ୍ରତିବାଦ କରୁଥିଲା ତ କିଏ ରାସ୍ତାରେ ପାରମ୍ପରିକ ଅସ୍ତ୍ରଶସ୍ତ୍ରକୁ ଧାର ଦେଇ ଆଦିବାସୀଙ୍କ ଜମି, ଜଙ୍ଗଲର ଅଧିକାର କଥା କହିବାକୁ ପ୍ରୟାସ କରୁଥିଲା। ଆଉ କେହି ରାଜ୍ୟ ସରକାରଙ୍କ ଓଡ଼ିଶା ସ୍ୱାର୍ଥବିରୋଧୀ ପୋଷ୍ଟର, ପ୍ଲାକାର୍ଡ ଧରି ନାରାବାଜି କରିଥିଲେ। ସେପଟେ ଏମଏମଡିଆର ଆଇନ ବିରୋଧରେ କଂଗ୍ରେସ କାଲି ବିଧାନସଭା ଘେରିବ। ବିଧାନସଭାରେ ଆଗ ଏ ମୁଦ୍ଦାକୁ ଉଠାଇ ତୁମ୍ୱିତୋଫାନ କରିଥିଲା କଂଗ୍ରେସ। ସେଥିଲାଗି ଏହି ଆଇନ ପ୍ରତ୍ୟାହାର ନହେଲା ଯାଏ, ବରଦାସ୍ତ କରାଯିବନି ବୋଲି ସଫା ସଫା ଶୁଣାଇଦେଇଛି। ଆଉ କାଉଣ୍ଟରରେ ଶାସକ ଦଳ କହିଛି, ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ ହୋଇଥିଲେ ଦାୟିତ୍ୱସମ୍ପନ୍ନ ବ୍ୟବହାର ଦେଖାଇଥାଆନ୍ତେ ବିରୋଧୀ। ବିଜେଡି କେବଳ ବିରୋଧ କରି ଜାଣେ। କିନ୍ତୁ ରାଜ୍ୟର ରାଜସ୍ୱ ବୃଦ୍ଧି ଦିଗରେ କିଛି କରିନି। ଜେନ-ଜିଙ୍କୁ ଭ୍ରମିତ କରୁଛନ୍ତି ନବୀନ। ଏ ଆନ୍ଦୋଳନ ମାଟି ପାଇଁ ନୁହେଁ, ପାର୍ଟି ପାଇଁ। ଆଜି ଓଡ଼ିଶାର ୨୬ ଜିଲ୍ଲା ବନ୍ୟା ପରିସ୍ଥିତିରେ ପ୍ରଭାବିତ ଥିବା ବେଳେ ଗୃହ ଭିତରେ ଓ ବାହାରେ ବିରୋଧୀ ଦଳ ଏମଏମଡିଆର ମୁଦ୍ଦାକୁ ନେଇ ଏବେ ଉଠାଇବା କେତେଦୂର ଯୁକ୍ତିସଙ୍ଗତ। ଏମଏମଡିଆର ଆଇନ ପ୍ରତ୍ୟାହାର ଦାବିରେ ଯୁଦ୍ଧଂଦେହି ଡାକରା ଦେଇଛନ୍ତି ନବୀନ। ସେପଟେ କଂଗ୍ରେସ ବି ଏହି ମୁଦ୍ଦାରେ କାଲି ଶକ୍ତି ପ୍ରଦର୍ଶନ କରିବ। ଦେଖିବାର କଥା, ଏ ମୁଦ୍ଦାକୁ ନେଇ ସରକାରଙ୍କ ପରବର୍ତ୍ତୀ ଆଭିମୁଖ୍ୟ କଅଣ ରହିବ।
