Missing youth from UP:୨୦୦୦ କିମି ଦୂରରୁ ଆସିଲେ, ହେଲେ ପାଇଲେନି ଭାଇ: ପୁଣି ନିଖୋଜ ୟୁପିର ଯୁବକ
ଉତ୍ତର ପ୍ରଦେଶରୁ ନିଜର ମାନସିକ ବିକୃତ ଭାଇକୁ ଘରକୁ ଫେରାଇ ନେବା ପାଇଁ ପ୍ରାୟ ଦୁଇ ହଜାର କିଲୋମିଟର ପଥ ଅତିକ୍ରମ କରି ଓଡ଼ିଶା ଆସିଥିବା ଜଣେ ବ୍ୟକ୍ତିଙ୍କୁ ନିରାଶ କରିଛି ଓଡିଶା ପୋଲିସ | ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ପୋଲିସ ହେପାଜତରେ ଥିବା ନିଖୋଜ ଯୁବକ ଜଣକ ପୁଣିଥରେ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି। ପୋଲିସର ଦାୟିତ୍ୱବୋଧତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ ଉଠୁଥିବା ବେଳେ ବର୍ତ୍ତମାନ ଏହି ରହସ୍ୟମୟ ଘଟଣାର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ସାମ୍ନାକୁ ଆସିଛି।
ମୟୂରଭଞ୍ଜ:ମସ୍ତିଷ୍କ ବିକୃତ ହୋଇ ଦୀର୍ଘ ଆଠ ମାସ ହେବ ସୁଦୂର ଉତ୍ତର ପ୍ରଦେଶ ଚିତ୍ରକୂଟ ଅଞ୍ଚଳରୁ ନିଖୋଜ ଥିଲେ ୨୩ ବର୍ଷୀୟ ଯୁବକ ସନ୍ଦୀପ ଶ୍ରୀନିବାସ। ତେବେ ଏକ ଅଜବ ଘଟଣାକ୍ରମରେ ସେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନସ୍ଥ ନୁଦୁଡିହା ଅଞ୍ଚଳରେ ପହଞ୍ଚିଥିଲେ। ଗତ ୨୫ ତାରିଖ ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଜଣେ ଅପରିଚିତ ବ୍ୟକ୍ତି ଫାଣ୍ଡି ସାମ୍ନା ଦେଇ ଯାଉଥିବା ଦେଖି ସନ୍ଦେହରେ ତାଙ୍କୁ ଅଟକାଇ ପଚରାଉଚରା କରିଥିଲା।ପଚରାଉଚରା ପରେ ଯୁବକ ଜଣକ ଉତ୍ତର ପ୍ରଦେଶର ସନ୍ଦୀପ ଶ୍ରୀନିବାସ ବୋଲି ପୋଲିସ ଜାଣିବାକୁ ପାଇଥିଲା ଏବଂ ତୁରନ୍ତ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା। ଏହି ଖବର ପାଇବା ପରେ ନିଜ ଭାଇକୁ ଫେରି ପାଇବାର ଆଶା ନେଇ ଉତ୍ତର ପ୍ରଦେଶରୁ ପ୍ରାୟ ୨୦୦୦ କିଲୋମିଟରରୁ ଅଧିକ ପଥ ଅତିକ୍ରମ କରି କପ୍ତିପଦାର ନୁଦୁଡିହା ଫାଣ୍ଡିରେ ପହଞ୍ଚିଥିଲେ ସନ୍ଦୀପଙ୍କ ଭାଇ ଜିତେନ୍ଦ୍ର ଶ୍ରୀନିବାସ।
କିନ୍ତୁ ଦୁର୍ଭାଗ୍ୟର ବ୍ୟାପାର, ଫାଣ୍ଡିରେ ପହଞ୍ଚିବା ପରେ ଜିତେନ୍ଦ୍ର ଜାଣିବାକୁ ପାଇଲେ ଯେ ତାଙ୍କ ଭାଇ ସନ୍ଦୀପ ସେଠାରେ ନାହାନ୍ତି। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ରାତିରେ ଫାଣ୍ଡି ସମ୍ମୁଖରେ ଗ୍ରାମବାସୀମାନେ ଏକାଠି ହୋଇ ପଚରାଉଚରା କରିଥିଲେ। ନିଜ ଭାଇକୁ ଏପରି ପୁନର୍ବାର ହରାଇ ଭାଙ୍ଗିପଡ଼ିଥିବା ଜିତେନ୍ଦ୍ର, ତାଙ୍କ ଭାଇକୁ ଖୋଜିବାରେ ସାହାଯ୍ୟ କରିବାକୁ ସମସ୍ତ ଦର୍ଶକ ଓ ସାଧାରଣ ଜନତାଙ୍କୁ ନିବେଦନ କରିଥିଲେ । ଯଦି କୌଣସି ବ୍ୟକ୍ତି ଏହି ନିଖୋଜ ଯୁବକ ସନ୍ଦୀପଙ୍କର ସନ୍ଧାନ ପାଆନ୍ତି, ତେବେ ତୁରନ୍ତ ନିକଟସ୍ଥ ଥାନା କିମ୍ବା ଫାଣ୍ଡିରେ ଜଣାଇବାକୁ ତାଙ୍କ ପରିବାର ପକ୍ଷରୁ ଅନୁରୋଧ କରାଯିବା ପରେ ଜଣାପଡ଼ିଛି ବର୍ତ୍ତମାନ ଜିତେନ୍ଦ୍ର ଶ୍ରୀନିବାସ ନୁଦୁଡିହା ଗ୍ରାମରେ ଅଛନ୍ତି ଏବଂ ସ୍ଥାନୀୟ 'ମୟୂର କ୍ଲବ୍'ର ସଦସ୍ୟମାନେ ତାଙ୍କୁ ସହଯୋଗ କରୁଛନ୍ତି।
