Raid Sparks Suspense : ଅଚାନକ ଚଢ଼ାଉ, ଆରମ୍ଭ ହେଲା ଯାଞ୍ଚ ! କ୍ରସର ଉପରେ ଖଣି ବିଭାଗର ରେଡ୍
ଲଘୁ ଖଣିଜ ଉତ୍ତୋଳନକୁ ନେଇ ବଢ଼ିଲା ସନ୍ଦେହ! ଓସ୍ତପୁରା କ୍ରସରରୁ କନ୍ତୋ ପିଚୁ ପ୍ଲାଣ୍ଟ ପର୍ଯ୍ୟନ୍ତ ଖଣି ଓ ପୋଲିସ ବିଭାଗର ମିଳିତ ଯାଞ୍ଚ। | ଏବେ ଡ୍ରୋନ୍ ନଜରରେ ହେବ ତଦନ୍ତ |
ପୁଣି ଆକ୍ସନ ମୋଡ୍କୁ ଆସିଲା ଖଣି ବିଭାଗ | ମାତ୍ରାଧିକ ଲଘୁ ଖଣିଜ ଉତ୍ତୋଳନ ଅଭିଯୋଗକୁ ନେଇ ଖଣି ବିଭାଗର ଚଢ଼ାଉ । କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଲକ ଅନ୍ତର୍ଗତ ଓସ୍ତପୁରାରେ ଥିବା ଏକ କ୍ରସର ୟୁନିଟ୍ ଏବଂ ଆନନ୍ଦପୁର ବ୍ଲକର କନ୍ତୋଠାରେ ଥିବା ଏକ ପିଚୁ ପ୍ଲାଣ୍ଟ ଉପରେ ଖଣି ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି |ଗତକାଲି ଚଢ଼ାଉ ସମୟରେ ପିଚୁ ପ୍ଲାଣ୍ଟର ବୈଧ କାଗଜପତ୍ର ଯାଞ୍ଚ କରାଯିବା ସହ ଓସ୍ତପୁରାସ୍ଥିତ କ୍ରସର ପରିସରରେ ମଧ୍ୟ ତଦନ୍ତ କରାଯାଇଥିଲା | ନିର୍ଦ୍ଧାରିତ ନିୟମ ଅନୁଯାୟୀ ଖଣିଜ ଉତ୍ତୋଳନ ଓ ଉତ୍ପାଦନ ହେଉଛି କି ନାହିଁ, ସେନେଇ ବିଭାଗ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି | ତେବେ କ୍ରସର ୟୁନିଟ୍ର ପ୍ରକୃତ ଉତ୍ପାଦନ ପରିମାଣ ଯାଞ୍ଚ କରିବା ପରେ ହିଁ ସଠିକ୍ ତଥ୍ୟ ଦିଆଯାଇପାରିବ ବୋଲି ଖଣି ବିଭାଗର ଅଧିକାରୀମାନେ କହିଛନ୍ତି । ଆଗାମୀ ଦିନରେ ଡ୍ରୋନ୍ର ସହାୟତା ନେଇ ଯାଞ୍ଚ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି | ଏହି ଚଢ଼ାଉ ପରେ ଲଘୁ ଖଣିଜ ଉତ୍ତୋଳନ ଓ କ୍ରସର ୟୁନିଟ୍ଗୁଡ଼ିକର କାର୍ଯ୍ୟପ୍ରଣାଳୀ ଉପରେ ଖଣି ବିଭାଗର ତଦାରଖ ଆହୁରି କଡ଼ାକଡ଼ି ହେବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଯାଞ୍ଚ ପରେ ହିଁ ଅନିୟମିତତା ସମ୍ପର୍କରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।
