‘ସେବା ସଂକଳ୍ପ ଅଭିଯାନ’: ଭୁବନେଶ୍ୱରରେ ମେଗା ରକ୍ତଦାନ ଶିବିର
ଭୁବନେଶ୍ୱରରେ ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ମେଗା ରକ୍ତଦାନ ଶିବିର। ୬,୫୦୦ରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ ଲକ୍ଷ୍ୟ ସହ ରକ୍ତ ସୁରକ୍ଷା ନେଇ ସରକାରଙ୍କ ପଦକ୍ଷେପ।

ଭୁବନେଶ୍ୱର : ରକ୍ତର କୌଣସି ବିକଳ୍ପ ନାହିଁ ଏବଂ ବିଜ୍ଞାନ ଯେତେ ଆଗକୁ ବଢ଼ିଲେ ମଧ୍ୟ ରକ୍ତ କାରଖାନାରେ ତିଆରି ହୋଇପାରିବ ନାହିଁ। ତେଣୁ ରକ୍ତଦାନ ମାଧ୍ୟମରେ ଜୀବନ ବଞ୍ଚାଇବା ମାନବୀୟ ମୂଲ୍ୟବୋଧର ଏକ ଉତ୍କୃଷ୍ଟ ଉଦାହରଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ଭୁବନେଶ୍ୱର ୟୁନିଟ୍-୩ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ଏହା ପୂର୍ବରୁ ସେ ଲୋକସେବା ଭବନ ପରିସରରେ ଏକ ଅଶୋକ ଚାରା ରୋପଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ଓଡ଼ିଶାବାସୀଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ତାଙ୍କ ଜନସେବା ଓ ଶାସନର ଦୀର୍ଘ ଯାତ୍ରାରୁ ପ୍ରେରଣା ନେଇ ଏକ ମାସ ବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ପାଳନ କରାଯାଉଛି। ଏହା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ମାନବସେବା ଓ ତ୍ୟାଗର ଏକ ଜନଆନ୍ଦୋଳନ ବୋଲି ସେ କହିଛନ୍ତି। ରାଜ୍ୟରେ ରକ୍ତ ଅଭାବରୁ କୌଣସି ଜୀବନ ଅସମୟରେ ଝଡ଼ି ନପଡ଼ିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜିର ଶିବିରରେ ୬,୫୦୦ ୟୁନିଟ୍ରୁ ଅଧିକ ରକ୍ତ ସଂଗ୍ରହ କରିବାର ଲକ୍ଷ୍ୟ ରହିଛି। ରାଜ୍ୟରେ ରକ୍ତ ସୁରକ୍ଷାକୁ ମଜବୁତ କରିବା ପାଇଁ ୨୦୨୬-୨୭ ବଜେଟ୍ରେ ୫୦ କୋଟି ୫୪ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇ ‘ଅଟଳ ରକ୍ତଦାନ ଅଭିଯାନ’ ଆରମ୍ଭ ହୋଇଛି। ଏହା ଅଧୀନରେ ନୂତନ ମେଡିକାଲ କଲେଜରେ ରକ୍ତଭଣ୍ଡାର ସ୍ଥାପନ ସହ ପୁରୁଣା ରକ୍ତଭଣ୍ଡାରଗୁଡ଼ିକର ଆଧୁନିକୀକରଣ କରାଯାଉଛି।
ଯୁବବର୍ଗଙ୍କୁ ସମାଜସେବା ପାଇଁ ଆହ୍ୱାନ
ଦେଶର ବିକାଶ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭାରତ ବର୍ତ୍ତମାନ ବିଶ୍ୱର ଏକ ପ୍ରଭାବଶାଳୀ ଭୂ-ରାଜନୈତିକ ଓ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇଛି। ସେମିକଣ୍ଡକ୍ଟର ଓ ସ୍ପେସ୍ ଟେକ୍ନୋଲୋଜି ଭଳି କ୍ଷେତ୍ରରେ ଦେଶ ଆତ୍ମନିର୍ଭରତା ଦିଗରେ ଆଗକୁ ବଢ଼ୁଥିବା ସେ କହିଥିଲେ। ଯୁବବର୍ଗ ନିଜ ଦୈନନ୍ଦିନ ଜୀବନରୁ କିଛି ସମୟ ବାହାର କରି ସମାଜସେବାରେ ନିୟୋଜିତ ହେବା ସହ ଦେଶସେବା ପାଇଁ ଆଗେଇ ଆସିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ।
‘ରକ୍ତଦାନ ଶିବିର ନୂଆ ରେକର୍ଡ ସୃଷ୍ଟି କରିବ’
ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, ରକ୍ତଦାନ ଜଣେ ବ୍ୟକ୍ତିର ମୂଲ୍ୟବାନ ଜୀବନ ବଞ୍ଚାଇବାରେ ଅତ୍ୟନ୍ତ ଆବଶ୍ୟକ। ଆଜିର ମେଗା ରକ୍ତଦାନ ଶିବିର ରାଜ୍ୟରେ ରକ୍ତ ସଂଗ୍ରହ କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ରାଜ୍ୟସଭା ସାଂସଦ ମନମୋହନ ସାମଲ କହିଥିଲେ ଯେ, ଦୀର୍ଘ ୨୫ ବର୍ଷର ଜନସେବାକୁ ସ୍ମରଣ କରିବା ସହ ରକ୍ତଦାନ ଭଳି ସେବାମୂଳକ କାର୍ଯ୍ୟ ମାଧ୍ୟମରେ ସମାଜ ପ୍ରତି ଦାୟିତ୍ୱବୋଧ ପ୍ରକାଶ କରାଯାଇପାରିବ। କୋଭିଡ୍-୧୯ ପରେ ରକ୍ତଭଣ୍ଡାରଗୁଡ଼ିକରେ ଦେଖାଦେଇଥିବା ରକ୍ତ ଆବଶ୍ୟକତା ପୂରଣରେ ଏହି ଶିବିର ସହାୟକ ହେବ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଏକାମ୍ର ବିଧାୟକ ବାବୁ ସିଂ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ, ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ଯୁବନେତା ଅଭିଲାଷ ପଣ୍ଡାଙ୍କ ସମେତ ବରିଷ୍ଠ ନେତୃବୃନ୍ଦ, ରକ୍ତଦାତା, ଯୁବ ସ୍ୱେଚ୍ଛାସେବୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
