Meerut Blue Drum Case: ମୁସ୍କାନକୁ ଆଜୀବନ ଜେଲ୍ ଓ ସାହିଲକୁ ଫାଶୀ!
ମୁସ୍କାନ ଓ ସାହିଲଙ୍କୁ ଦୋଷୀ ସାବ୍ୟସ୍ତ କରି ଅଦାଲତ ସେମାନଙ୍କୁ ଦଣ୍ଡ ଦେଇଛନ୍ତି। ମୁଖ୍ୟ ଅଭିଯୁକ୍ତ ସାହିଲକୁ ଫାଶୀ ଦଣ୍ଡ ଓ ସହ ଅଭିଯୁକ୍ତ ମୁସ୍କାନକୁ ଆଜୀବନ ଜେଲ୍ ଦଣ୍ଡ ମିଳିଛି। ସଜ୍ଜା ପୂର୍ବରୁ ସାହିଲ ୪ ଦିନ ଯାଏ ପୁରା ଗୁମସୁମ ଥିଲା। ସେପଟେ ମୁସ୍କାନ ଅଧିକ ସମୟ ପୂଜାପାଠରେ ବିତାଉଥିଲା।

ୟୁପିର ବହୁଚର୍ଚ୍ଚିତ ନୀଳ ଡ୍ରମ୍ ମର୍ଡର ମାମଲାରେ ଆସିଲା କୋର୍ଟଙ୍କ ରାୟ। ସୌରଭ ରାଜପୁତ ହତ୍ୟାକାଣ୍ଡରେ ପତ୍ନୀ ମୁସ୍କାନକୁ ଆଜୀବନ କାରାଦଣ୍ଡ ଓ ତା ପ୍ରେମିକ ସାହିଲକୁ ମୃତ୍ୟୁଦଣ୍ଡ। ବୟଫ୍ରେଣ୍ଡ ସାହିଲ ସହ ମିଶି ସ୍ୱାମୀ ସୌରଭ ରାଜପୁତଙ୍କୁ ହତ୍ୟା କରିଥିଲା ମୁସ୍କାନ। ଆଉ ପରେ ଶବକୁ ନୀଳ ଡ୍ରମରେ ପ୍ୟାକ୍ କରିଦେଇଥିଲା। ୧୨୬ଟି ତାରିଖ, ୨୨ ସାକ୍ଷୀଙ୍କ ବୟାନ ଆଧାରରେ ୫୪୫ ଦିନ ପରେ କୋର୍ଟ ଶୁଣାଲେ ରାୟ। ୧୩ ମାସ ଯାଏ ଚାଲିଥିଲା ଏହି ଚର୍ଚ୍ଚିତ ମାମଲାର ଶୁଣାଣୀ। ମିରଟର ଜିଲ୍ଲା ଜଜ୍ ଅରବିନ୍ଦ କୁମାର ମିଶ୍ରାଙ୍କ ରାୟକୁ ସମସ୍ତଙ୍କ ଅପେକ୍ଷା ଥିଲା। ଅଭିଯୁକ୍ତ ମୁସ୍କାନ ରସ୍ତୋଗି ଓ ତା ପ୍ରେମିକ ସାହିଲ ବି କୋର୍ଟରେ ହାଜର ହୋଇଥିଲେ। ସୌରଭ ହତ୍ୟାକାଣ୍ଡ ପୁରା ସୁନିୟୋଜିତ ଥିଲା। ଅଭିଯୁକ୍ତମାନେ ଆଗୁଆ ଚାକୁ, ଅସ୍ତୁରା, ସିମେଣ୍ଟ, ବାଲି ଓ ବଡ଼ ନୀଳ ଡ୍ରମ କିଣିକି ରଖିଥିଲେ। ପୁଲିସର ଫରେନସିକ ଟିମ୍ ର ସାକ୍ଷ୍ୟ ଘଟଣାସ୍ଥଳର ଭୟାବହତାକୁ ଉଜାଗର କରିଥିଲା। ରକ୍ତର ଛିଟା ପୁରା ଘରେ ଲାଗିଥିଲା। ଶବକୁ ନିର୍ମମ ଭାବେ କାଟି ସିମେଣ୍ଟର ନୀଳ ଡ୍ରମରେ ପ୍ଲାଷ୍ଟର କରିଦିଆଯାଇଥିଲା। ଶବ ବ୍ୟବଛେଦ ରିପୋର୍ଟରେ ହତ୍ୟାର କ୍ରୁରତାର ପୁଷ୍ଟି ହୋଇଥିଲା। ମୁସ୍କାନ ଓ ସାହିଲକୁ ଫାଶୀ ଦିଆଯାଉ ବୋଲି ସୌରଭଙ୍କ ପରିବାର ଦାବି କରିଥିଲେ। ଫେବୃଆରୀ ୨୪ରେ ଲଣ୍ଡନରୁ ଫେରି ମିରଟ ଆସିଥିଲେ ସୌରଭ। ଇନ୍ଦ୍ରାନଗରେ ପତ୍ନୀ ଓ ଝିଅ ସହ ସମୟ କାଟିବାକୁ ଆସିଥିଲେ। ଫେବୃଆରୀ ୨୫ରେ ପତ୍ନୀ ମୁସ୍କାନର ବାର୍ଥ-ଡେ ପାଳିବାକୁ ଯାଇ ଘରେ ପାର୍ଟି ରଖିଥିଲେ। ଫେବୃଆରୀ ୨୮ରେ ଝିଅ ପିହୁର ଜନ୍ମଦିନ ପାଳିଥିଲେ। ମାର୍ଚ୍ଚ ୩ରେ ରାତ୍ରିଭୋଜନରେ ନିଦର ବଟିକା ମିଶାଇଦେଇଥିଲେ ମୁସ୍କାନ। ଆଉ ସୌରଭକୁ ବେଡରୁମରେ ଶୁଆଇଦେଲା। ଏହା ପରେ ସାହିଲକୁ ଫୋନ୍ କରି ଘରକୁ ଡାକିଥିଲା। ସୌରଭଙ୍କୁ ମାରିବା ପରେ ଶରୀରକୁ ଖଣ୍ଡ ଖଣ୍ଡ କରି ହାଣିଲା। ଏହା ପର ଦିନ ଝିଅକୁ ନିଜ ମାଆ ଘରେ ଛାଡ଼ି ଦେଇଥିଲା। ଆଉ ସାହିଲ ସହ ସିମଲା ଚାଲିଗଲା। ମାର୍ଚ୍ଚ ୧୭ରେ ସିମଲାରୁ ଫେରିଥିଲା। ଆଉ ବାପ ଘରେ ପହଞ୍ଚି ବାପା ମାଆଙ୍କୁ ପୁରା ଘଟଣା ବତାଇଥିଲା। ମର୍ଚ୍ଚାଣ୍ଟ ନେଭିରେ କାମ କରୁଥିଲେ ସୌରଭ। ପରିବାରର ଇଛା ବିରୁଦ୍ଧରେ ଯାଇ ମୁସ୍କାନଙ୍କୁ ସେ ଭଲ ପାଇ ୨୦୧୬ରେ ବିବାହ କରିଥିଲେ। ବିବାହ ପରେ ସୌରଭ ଲଣ୍ଡନରେ ଚାକିରୀ କରୁଥିଲେ। ମୁସ୍କାନ କିନ୍ତୁ ମିରଟରେ ରହୁଥିଲେ। ଏହା ଭିତରେ ସାହିଲ ନାମକ ଯୁବକ ସହ ତାଙ୍କର ଆଫେୟାର ଆରମ୍ଭ ହୋଇଥିଲା। ମୁସ୍କାନ ଓ ସାହିଲଙ୍କୁ ଦୋଷୀ ସାବ୍ୟସ୍ତ କରି ଅଦାଲତ ସେମାନଙ୍କୁ ଦଣ୍ଡ ଦେଇଛନ୍ତି। ମୁଖ୍ୟ ଅଭିଯୁକ୍ତ ସାହିଲକୁ ଫାଶୀ ଦଣ୍ଡ ଓ ସହ ଅଭିଯୁକ୍ତ ମୁସ୍କାନକୁ ଆଜୀବନ ଜେଲ୍ ଦଣ୍ଡ ମିଳିଛି। ସଜ୍ଜା ପୂର୍ବରୁ ସାହିଲ ୪ ଦିନ ଯାଏ ପୁରା ଗୁମସୁମ ଥିଲା। ସେପଟେ ମୁସ୍କାନ ଅଧିକ ସମୟ ପୂଜାପାଠରେ ବିତାଉଥିଲା।
