Bamboo Handicrafts: ଆଧୁନିକତାର ଚାକଚକ୍ୟରେ ହଜୁଛି ବାଉଁଶ କଳା, ପରମ୍ପରା ବଞ୍ଚାଇବାକୁ ମହିଳାଙ୍କ ସଂଘର୍ଷ
ଆଧୁନିକତା ଭିତରେ ହଜୁଛି ପାରମ୍ପରିକ ବାଉଁଶ କଳା। ବିଶୋଇ ଓ ରାଇରଙ୍ଗପୁରର ମହିଳା କାରିଗର ନୂଆ ସାମଗ୍ରୀ ତିଆରି କରୁଥିବାବେଳେ ଉପଯୁକ୍ତ ପାରିଶ୍ରମିକ ଓ ବଜାର ସୁବିଧା ଏବେ ବଡ଼ ଚ୍ୟାଲେଞ୍ଜ।
ମୟୁରଭଞ୍ଜ: ଆଧୁନିକତାର ପ୍ରଭାବରେ ଧୀରେ ଧୀରେ ହଜିବାକୁ ବସିଛି ପାରମ୍ପରିକ ବାଉଁଶ ହସ୍ତଶିଳ୍ପ। ଦିନେ ଘରେ ଘରେ ବ୍ୟବହୃତ କୁଲା, ଚାଲୁଣି, ଡାଲା, ଝୁଡ଼ି ଓ ବିଞ୍ଚଣାର ଚାହିଦା ଏବେ କମିବାରେ ଲାଗିଛି। ପ୍ଲାଷ୍ଟିକ୍ ଓ ଷ୍ଟିଲ୍ ସାମଗ୍ରୀର ବଢ଼ୁଥିବା ବ୍ୟବହାର ବାଉଁଶ କାରିଗରଙ୍କ ଜୀବିକା ଉପରେ ପ୍ରଭାବ ପକାଇଛି। ତଥାପି ହାର ମାନିନାହାନ୍ତି ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଓ ରାଇରଙ୍ଗପୁର ଅଞ୍ଚଳର ମହିଳା କାରିଗର। ପାରମ୍ପରିକ କଳାକୁ ବଞ୍ଚାଇ ରଖିବା ସହ ଆଧୁନିକ ଚାହିଦାକୁ ଦୃଷ୍ଟିରେ ରଖି ସେମାନେ ବାଉଁଶରେ ତିଆରି କରୁଛନ୍ତି ଆକର୍ଷଣୀୟ ଫୁଲଦାନୀ, ଟି-ଟ୍ରେ ଓ ବିଭିନ୍ନ ସାଜସଜ୍ଜା ସାମଗ୍ରୀ। ନିଜର କଳା ଓ କୌଶଳ ବଳରେ ଏହି ମହିଳାମାନେ ହସ୍ତଶିଳ୍ପକୁ ନୂଆ ପରିଚୟ ଦେବା ସହ ଆତ୍ମନିର୍ଭରଶୀଳ ହେବାର ପ୍ରୟାସ କରୁଛନ୍ତି। ତେବେ ଏହି ଉଦ୍ୟମ ପଛରେ ରହିଛି ଅନେକ ସଂଘର୍ଷ।
ବାଉଁଶ ସଂଗ୍ରହଠାରୁ ଆରମ୍ଭ କରି କାଟିବା, ଚିରିବା ଓ ବିଭିନ୍ନ ଆକୃତି ଦେବା ପର୍ଯ୍ୟନ୍ତ ଦୀର୍ଘ ସମୟ ଓ କଠିନ ପରିଶ୍ରମ କରିବାକୁ ପଡ଼ୁଛି। ହେଲେ ଏହି ପରିଶ୍ରମ ଅନୁସାରେ ଉପଯୁକ୍ତ ପାରିଶ୍ରମିକ ମିଳୁଛି କି ନାହିଁ, ତାହା ଏବେ ବଡ଼ ପ୍ରଶ୍ନ। କଞ୍ଚାମାଲର ଅଭାବ, ଉତ୍ପାଦନ ଖର୍ଚ୍ଚ, ମଧ୍ୟସ୍ଥିଙ୍କ ହସ୍ତକ୍ଷେପ ଓ ସ୍ଥାୟୀ ବଜାରର ଅଭାବ ସେମାନଙ୍କ ଆୟକୁ ପ୍ରଭାବିତ କରୁଛି। ଅନ୍ୟପଟେ ସରକାରଙ୍କ ମହିଳା ସଶକ୍ତୀକରଣ ଓ ଆତ୍ମନିର୍ଭରତା ଯୋଜନାର ସୁଫଳ ଏହି କାରିଗରଙ୍କ ପାଖରେ କେତେ ପହଞ୍ଚୁଛି, ତାହା ମଧ୍ୟ ତଦନ୍ତର ବିଷୟ। କାରିଗରଙ୍କୁ ଉନ୍ନତ ତାଲିମ, ଆଧୁନିକ ଯନ୍ତ୍ରପାତି, ଆର୍ଥିକ ସହାୟତା ଓ ବଜାର ସୁବିଧା ଯୋଗାଇଦେବା ଜରୁରୀ। କେବଳ ପ୍ରଶଂସା ନୁହେଁ, ସେମାନଙ୍କ ପରିଶ୍ରମର ଉଚିତ ମୂଲ୍ୟ ମିଳିଲେ ହିଁ ଏହି ପାରମ୍ପରିକ କଳା ବଞ୍ଚି ରହିବା ସହ ମହିଳାଙ୍କ ଆର୍ଥିକ ସ୍ୱାବଲମ୍ବନ ସୁଦୃଢ଼ ହୋଇପାରିବ।

