ସାପ କାମୁଡ଼ିବା ପରେ ସାପକୁ ମାରି ମେଡିକାଲରେ ପହଞ୍ଚିଲେ ଯୁବକ
ମୟୂରଭଞ୍ଜରେ ଅଭୂତପୂର୍ବ ଘଟଣା। ସାପ କାମୁଡ଼ିଲା, ସାପକୁ ମାରି ସାଇକେଲରେ ଟାଙ୍ଗି ମେଡିକାଲରେ ପହଞ୍ଚିଲେ ଯୁବକ। ମୃତ ସାପକୁ ଦେଖି ଡାକ୍ତର ଓ କର୍ମଚାରୀ ଆଶ୍ଚର୍ଯ୍ୟ, ଦେଖିବାକୁ ଜମିଲା ଲୋକଙ୍କ ଭିଡ଼।
ମୟୂରଭଞ୍ଜ: ସାପ କାମୁଡ଼ିବା ପରେ ସାଧାରଣତଃ ଲୋକେ ତୁରନ୍ତ ହସ୍ପିଟାଲ ମୁହାଁ କରନ୍ତି। କିନ୍ତୁ ମୟୂରଭଞ୍ଜ ଜିଲ୍ଲାର ଉଦଳାରେ ଘଟିଛି ଏକ ଭିନ୍ନ ଘଟଣା। ସାପ କାମୁଡ଼ିବା ପରେ ଯୁବକ ଜଣକ ସାପଟିକୁ ମାରି ପଲିଥିନରେ ଭରିଲେ ଏବଂ ସେହି ମୃତ ସାପକୁ ସାଇକେଲରେ ଟାଙ୍ଗି ଉଦଳା ମେଡିକାଲରେ ପହଞ୍ଚିଲେ। ଘଟଣାଟି ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ଏକ ସରକାରୀ କାର୍ଯ୍ୟାଳୟରେ କାମ କରୁଥିବା ମୋଚିରାମ ଟୁଡୁ ଗତକାଲି ରାତିରେ ଅଫିସ୍ ରୁମ୍କୁ ଯାଇଥିଲେ। ସେ ଚେୟାରରେ ବସିବା ସମୟରେ ତଳେ ଲୁଚି ରହିଥିବା ଏକ ସାପ ହଠାତ୍ ତାଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା। ସାପ କାମୁଡ଼ିବା ପରେ ମୋଚିରାମ ଭୟଭୀତ ନହୋଇ ସାପଟିକୁ କାବୁ କରି ମାରିଦେଇଥିଲେ। ପରେ କାମୁଡ଼ିଥିବା ସାପଟିକୁ ଚିହ୍ନଟ କରିବା ସହ ଡାକ୍ତରଙ୍କୁ ଦେଖାଇବା ପାଇଁ ମୃତ ସାପଟିକୁ ଏକ ପଲିଥିନରେ ଭରିଥିଲେ।
ଏହାପରେ ପଲିଥିନରେ ଥିବା ସାପକୁ ସାଇକେଲରେ ଟାଙ୍ଗି ସେହି ସାଇକେଲରେ ହିଁ ଉଦଳା ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିଥିଲେ। ଡାକ୍ତରଙ୍କୁ ସାପଟି ଦେଖାଇବା ପରେ ହସ୍ପିଟାଲରେ ଉପସ୍ଥିତ ଡାକ୍ତର ଓ କର୍ମଚାରୀମାନେ ମଧ୍ୟ ଚକିତ ହୋଇଯାଇଥିଲେ। ବର୍ତ୍ତମାନ ମୋଚିରାମ ଉଦଳା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଘଟଣାଟି ପ୍ରଘଟ ହେବା ପରେ ହସ୍ପିଟାଲ ବାହାରେ ସାଇକେଲରେ ଟଙ୍ଗା ହୋଇଥିବା ମୃତ ସାପକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ସାପକୁ ମାରି ତାହାକୁ ନେଇ ମେଡିକାଲରେ ପହଞ୍ଚିବା ଘଟଣା ଏବେ ଉଦଳା ଅଞ୍ଚଳରେ ଚର୍ଚ୍ଚାର କାରଣ ହୋଇଛି।
