Mayurbhanj-Sick-Elephant:ଅସୁସ୍ଥ ହାତୀର ଚିକିତ୍ସାରେ ବନ ବିଭାଗର ଅବହେଳା
ଜଙ୍ଗଲରେ ଯନ୍ତ୍ରଣାରେ ଛଟପଟ ମାଈହାତୀ, ଫୁଲିଯାଇଛି ଡାହାଣପଟ ପଛଗୋଡ଼। ସପ୍ତାହେ ଧରି ଏଭଳି ଅବସ୍ଥାରେ ରହିଥିବା ହାତୀର ଚିକିତ୍ସାକୁ ନେଇ ଉଠିଛି ପ୍ରଶ୍ନ। ବନ ବିଭାଗ ବିରୋଧରେ ଏତଲା ଦେଇ ତୁରନ୍ତ ଉନ୍ନତ ଚିକିତ୍ସା ଦାବି କରିଛନ୍ତି ଗ୍ରାମବାସୀ।

ମୟୂରଭଞ୍ଜ:ମୟୂରଭଞ୍ଜ ଜିଲ୍ଲା ଦେଉଳି ରେଞ୍ଜ ଅନ୍ତର୍ଗତ କୁଳିଅଣା ସେକ୍ସନର ଶୁଖୁଆପୋଡ଼ା କାଜୁ ଜଙ୍ଗଲରେ ଅସୁସ୍ଥ ମାଈହାତୀକୁ ନେଇ ଚିନ୍ତା ବଢ଼ିଛି। ଡାହାଣପଟ ପଛଗୋଡ଼ ଫୁଲିଯିବାରୁ ହାତୀଟି ଠିକ୍ରେ ଚାଲିପାରୁନାହିଁ। ଏପରିକି ଖାଦ୍ୟ ଗ୍ରହଣ କରିବାରେ ମଧ୍ୟ ତାକୁ କଷ୍ଟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ପ୍ରାୟ ୩୦ଟି ହାତୀଙ୍କୁ ନେଇ ଗଠିତ ଏକ ପଲରୁ ଏହି ମାଈହାତୀଟି ପଛରେ ରହିଯାଇଛି। ଗତ ଗୁରୁବାରଠାରୁ ଅସୁସ୍ଥ ଥିବା ହାତୀଟି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଏହାର ଉପଯୁକ୍ତ ଚିକିତ୍ସା କରାଯାଉନଥିବା ନେଇ ବନ ବିଭାଗ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ। ହାତୀଟିର ଚିକିତ୍ସା ଦିଗରେ ଠୋସ୍ ପଦକ୍ଷେପ ନିଆଯାଉନଥିବା ଏବଂ କେବଳ ଦୂରରୁ ପାଣି ଛିଞ୍ଚି ଦାୟିତ୍ୱ ସାରିଦିଆଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଏହାକୁ ନେଇ ଅସନ୍ତୋଷ ବଢ଼ିବା ପରେ କୁଳିଅଣା ପଞ୍ଚାୟତର ଗ୍ରାମବାସୀ ଥାନାରେ ଏତଲା ଦେଇଛନ୍ତି। ହାତୀଟିର ଗୁରୁତର ସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ଏକ ଅଭିଜ୍ଞ ପ୍ରାଣୀ ଚିକିତ୍ସକ ଦଳ ଡକାଇ ଉନ୍ନତ ଚିକିତ୍ସା, ସ୍ୱାସ୍ଥ୍ୟ ପରୀକ୍ଷା ଓ ନିୟମିତ ନିରୀକ୍ଷଣ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଏନେଇ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କୁ ମଧ୍ୟ ଅବଗତ କରାଯାଇଥିବା ଜଣାପଡ଼ିଛି। ଗ୍ରାମବାସୀ ଚେତାବନୀ ଦେଇଛନ୍ତି ଯେ, ହାତୀଟିର ଚିକିତ୍ସାରେ ଆଉ ବିଳମ୍ବ କରାଗଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ। ତେବେ ହାତୀଟିର ଚିକିତ୍ସାକୁ ନେଇ ଉଠିଥିବା ଅଭିଯୋଗ ଉପରେ ବନ ବିଭାଗର ପକ୍ଷ ଏବଂ ଚିକିତ୍ସାର ବର୍ତ୍ତମାନ ସ୍ଥିତି ସ୍ପଷ୍ଟ ହେବା ଜରୁରୀ। ଏବେ ସମସ୍ତଙ୍କ ନଜର ହାତୀଟିର ଜୀବନ ରକ୍ଷା ପାଇଁ ତୁରନ୍ତ କେଉଁ ପଦକ୍ଷେପ ନିଆଯାଉଛି, ତା’ ଉପରେ।
