Mayurbhanj ED Raid:ଟ୍ରେଡିଂ ନାଁରେ ୭୦ କୋଟି ଠକେଇ ମାମଲାରେ ED ରେଡ୍
ଏକ ଟ୍ରେଡିଂ କମ୍ପାନୀର ଓଡ଼ିଶା ମୁଖ୍ୟ କହି ଠକି ନେଇଥିଲେ କୋଟି କୋଟି ଟଙ୍କା | ଅଧିକ ଲାଭର ପ୍ରଲୋଭନ ଦେଇ ନିବେଶକାରୀଙ୍କୁ ୭୦ କୋଟିରୁ ଅଧିକ ଟଙ୍କାର ଚୂନ ଲଗାଇଥିଲେ ମୟୂରଭଞ୍ଜର ଈଶ୍ୱର ବିନ୍ଧାଣୀ। ଏହି ଆର୍ଥିକ କାରବାରର ଖୋଳତାଡ଼ ପାଇଁ ତାଙ୍କ ଘରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତକାରୀ ଟିମ୍।

ମୟୂରଭଞ୍ଜ: ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଆର୍ଥିକ ଠକେଇ ଅଭିଯୋଗକୁ ନେଇ ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଚଢ଼ାଉ। କପ୍ତିପଦା ଥାନା ଅନ୍ତର୍ଗତ ବିଶୋଳ ଗ୍ରାମର ଈଶ୍ୱର ବିନ୍ଧାଣୀଙ୍କ ଘରେ ଆଜି ସକାଳୁ ଏହି ଚଢ଼ାଉ ଜାରି ରହିଛି। ସେ କଲିକତା ଭିତ୍ତିକ ଏକ ଟ୍ରେଡିଂ କମ୍ପାନୀର ଓଡ଼ିଶା ମୁଖ୍ୟ ଭାବେ କାମ କରୁଥିବା ସୂଚନା ମିଳିଛି। ଅଭିଯୋଗ ଅନୁଯାୟୀ, ଉକ୍ତ କମ୍ପାନୀ ନାଁରେ ଈଶ୍ୱର ବିନ୍ଧାଣୀ ମୟୂରଭଞ୍ଜ, କଟକ, ଭୁବନେଶ୍ୱର ଓ ଜଗତସିଂହପୁର ସମେତ ବିଭିନ୍ନ ଅଞ୍ଚଳର ଲୋକଙ୍କୁ ଅଧିକ ଲାଭର ପ୍ରଲୋଭନ ଦେଖାଇଥିଲେ। ଏହି ଉପାୟରେ ପ୍ରାୟ ୭୦ କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏହି ଅଭିଯୋଗ ସହ ଜଡ଼ିତ ବେଆଇନ ଅର୍ଥ କାରବାର ଏବଂ ମନି ଲଣ୍ଡରିଂ ଦିଗର ତଦନ୍ତ ପାଇଁ ED ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଆଜି ସକାଳୁ EDର ୩ ଜଣିଆ ତଦନ୍ତକାରୀ ଟିମ୍ ସହ ୨ ଜଣ ବ୍ୟାଙ୍କ ଅଧିକାରୀ ଓ ସ୍ଥାନୀୟ ପୋଲିସ ବିଶୋଳ ଗ୍ରାମରେ ପହଞ୍ଚିଥିଲେ। ଚଢ଼ାଉ ସମୟରେ ଈଶ୍ୱର ବିନ୍ଧାଣୀ ନିଜ ଘରେ ଉପସ୍ଥିତ ଥିବାବେଳେ ଅଧିକାରୀମାନେ ତାଙ୍କୁ ପଚରାଉଚରା କରୁଛନ୍ତି। ଏଥିସହ ଘରର ବିଭିନ୍ନ କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟ ଓ ଆର୍ଥିକ କାରବାର ସମ୍ପର୍କିତ ତଥ୍ୟ ଯାଞ୍ଚ କରାଯାଉଛି। ତଦନ୍ତ ପରେ ଏହି ମାମଲାରେ ଆର୍ଥିକ କାରବାରର ଅଧିକ ତଥ୍ୟ ଏବଂ ସମ୍ପତ୍ତି ସମ୍ପର୍କିତ ସୂଚନା ସାମ୍ନାକୁ ଆସିବା ଆଶା କରାଯାଉଛି।

