Prisoner Death: ବିଚାରାଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ମାଲକାନଗିରିରେ ଉତ୍ତେଜନା
ମାଲକାନଗିରିରେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। ମୃତଦେହ ଧରି ଜିଲ୍ଲା ଚିକିତ୍ସାଳୟ ସମ୍ମୁଖରେ ପରିବାରର ଧାରଣା; ପୋଷ୍ଟମର୍ଟମ ପାଇଁ କୋରାପୁଟ ପଠାଗଲା ମୃତଦେହ।
ମାଲକାନଗିରି: ଗଞ୍ଜେଇ ଚୋରାଚାଲାଣ ମାମଲାରେ ଗିରଫ ହୋଇ ମାଲକାନଗିରି ଉପକାରାଗାରରେ ବିଚାରାଧୀନ କଏଦୀ ଭାବେ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଉତ୍ତେଜନା ଦେଖାଦେଇଛି। ମୃତ କଏଦୀଙ୍କ ପରିବାର ଲୋକେ ମୃତଦେହକୁ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବେଗୁଣିଆପଡ଼ା ଗ୍ରାମର କବିରାଜ ରାଉତ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଗିରଫ ହୋଇ ମାଲକାନଗିରି ଉପକାରାଗାରରେ ବିଚାରାଧୀନ କଏଦୀ ଭାବେ ରହୁଥିଲେ। ତେବେ ଗତକାଲି ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଜେଲ କର୍ତ୍ତୃପକ୍ଷ ତାଙ୍କୁ ତୁରନ୍ତ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ମେଡିକାଲକୁ ଆଣିବା ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ, କବିରାଜଙ୍କ ପରିବାର ଲୋକେ ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ପରିବାର ସଦସ୍ୟମାନେ ମୃତଦେହକୁ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକ ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରିବାର ଲୋକଙ୍କ ସହ ଆଲୋଚନା କରି ଘଟଣାର ସମାଧାନ ପାଇଁ ପଦକ୍ଷେପ ନେବା ସହ ମୃତଦେହକୁ ପୋଷ୍ଟମର୍ଟମ ପାଇଁ କୋରାପୁଟ ମେଡିକାଲ କଲେଜକୁ ପଠାଯାଇଛି। ମୃତ କଏଦୀଙ୍କ ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି।
