Malkangiri Hearse Delay:ମୃତଦେହ ଅପେକ୍ଷା କରିଥିଲା ଶବବାହକ ଆମ୍ବୁଲାନ୍ସକୁ
ମୃତ୍ୟୁ ପରେ ବି ଶେଷଯାତ୍ରାରେ ବାଧା! ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ଶବ ନେବାକୁ ଚାରି ଘଣ୍ଟା ଧରି ଅପେକ୍ଷା କରୁଥିବା ଅଭିଯୋଗ ହୋଇଛି। ଶବବାହକ ଗାଡ଼ିର ଅଭାବ ଏବଂ ବିକଳ୍ପ ବ୍ୟବସ୍ଥାକୁ ନେଇ ପ୍ରଶାସନ ଉପରେ ଉଠିଛି ପ୍ରଶ୍ନ।

ମାଲକାନଗିରି: ମୃତ୍ୟୁ ପରେ ବି ଦୁର୍ଦ୍ଦଶାରୁ ମୁକ୍ତି ନାହିଁ! ମାଲକାନଗିରିରେ ଜଣେ ପ୍ରସୂତିଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହ ଘରକୁ ନେବା ପାଇଁ ପରିବାର ଲୋକେ ଚାରି ଘଣ୍ଟା ଧରି ଶବବାହକ ଆମ୍ବୁଲାନ୍ସକୁ ଅପେକ୍ଷା କରିଥିବା ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ, ନା ମିଳୁଛି ଶବବାହକ ଗାଡ଼ି, ନା ନିଜ ବ୍ୟବସ୍ଥାରେ ଅଟୋରେ ଶବ ନେବାକୁ ମିଳୁଛି ଅନୁମତି। ମାଲକାନଗିରି ସଦର ମହକୁମା ଚିକିତ୍ସାଳୟରେ ଏହି ଘଟଣା ଘଟିଥିବା ବେଳେ ଏହାକୁ ନେଇ ସ୍ୱାସ୍ଥ୍ୟସେବା ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।
ସୂଚନା ଅନୁସାରେ, ଏମ୍ଭି-୭ ଗ୍ରାମର ଜଣେ ମହିଳା ଅସୁସ୍ଥତା କାରଣରୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କର ମୃତ୍ୟୁ ପରେ ମୃତଦେହ ନେବା ପାଇଁ ପରିବାର ଲୋକଙ୍କୁ ଶବବାହକ ଗାଡ଼ି ମିଳିନଥିବା ବେଳେ ପରିବାର ଲୋକେ ନିଜ ବ୍ୟବସ୍ଥାରେ ଅଟୋ ଯୋଗେ ମୃତଦେହ ନେବାକୁ ଚାହିଁଥିଲେ ମଧ୍ୟ ଏଥିପାଇଁ ବିଭାଗୀୟ କତୃପକ୍ଷଙ୍କ ପକ୍ଷରୁ ଅନୁମତି ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ, ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରିବାରୁ ଗାଡ଼ି ନାହିଁ, ଆସିଲେ ଯିବ ବୋଲି କୁହାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି। ଏହି ଘଟଣା ପରେ ଜିଲ୍ଲାରେ ଶବ ପରିବହନ ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଯଦି ପୁରା ଜିଲ୍ଲା ପାଇଁ ଗୋଟିଏ ମାତ୍ର ଶବବାହକ ଆମ୍ବୁଲାନ୍ସ ରହିଛି, ତେବେ ଜରୁରୀ ସମୟରେ ବିକଳ୍ପ ବ୍ୟବସ୍ଥା କାହିଁକି ନାହିଁ ବୋଲି ପ୍ରଶ୍ନ ଉଠୁଛି। ସ୍ୱାସ୍ଥ୍ୟସେବାର ବଡ଼ ବଡ଼ ଦାବି ଭିତରେ ଏହା କି ପ୍ରକାର ବ୍ୟବସ୍ଥା? ମୃତ୍ୟୁ ପରେ ବି ମଣିଷକୁ ମିଳିବନି କି ଶେଷ ସମ୍ମାନ? ତେବେ ଏହି ଅଭିଯୋଗ ଉପରେ ଜିଲ୍ଲା ପ୍ରଶାସନର କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ।
