Red Alert: ବାତ୍ୟାକୁ ନେଇ ରେଡ୍ ଆଲର୍ଟରେ ‘ମାଲକାନଗିରି’
ବାତ୍ୟା ‘ଅର୍ଣ୍ଣବ’ ପାଇଁ ମାଲକାନଗିରିକୁ ରେଡ୍ ଆଲର୍ଟ। ୩ ଓଡ୍ରାଫ୍ ଟିମ୍ ମୁତୟନ ସହ ସମସ୍ତ ବିଭାଗକୁ ସଜାଗ ରଖିଛି ଜିଲ୍ଲା ପ୍ରଶାସନ।
ମାଲକାନଗିରି: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ମାଲକାନଗିରି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି ହୋଇଥିବାବେଳେ ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ। ଜିଲ୍ଲାର ସମସ୍ତ ବିଭାଗକୁ ସଜାଗ ରହିବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରୁରୀକାଳୀନ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ଜିଲ୍ଲାରେ ୩ଟି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ୭ଟି ବ୍ଲକ୍ର ବିଡିଓ, ତହସିଲଦାର ଏବଂ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। କୌଣସି ଅଧିକାରୀ ନିଜ ମୁଖ୍ୟାଳୟ ନଛାଡ଼ିବାକୁ ମଧ୍ୟ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିକୂଳ ପାଣିପାଗ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି।
ଅନ୍ୟପଟେ, ଜରୁରୀକାଳୀନ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ୩ଟି ଓଡ୍ରାଫ୍ ଟିମ୍ ମାଲକାନଗିରିରେ ପହଞ୍ଚିଛନ୍ତି। କାଲିମେଳା ଓ ମାଥିଲି ବ୍ଲକ୍ର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଏହି ଟିମ୍ଗୁଡ଼ିକୁ ନିୟୋଜିତ କରାଯାଇଛି। ଆବଶ୍ୟକ ସ୍ଥଳେ ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ କରିବାକୁ ଟିମ୍ଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିରକେ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ସମସ୍ତ ଅଧିକାରୀଙ୍କୁ ସଜାଗ ରଖାଯାଇଛି। ସମ୍ଭାବ୍ୟ ବିପର୍ଯ୍ୟୟ ସମୟରେ ଜିଲ୍ଲାବାସୀଙ୍କ ସୁରକ୍ଷା ଓ ତୁରନ୍ତ ଉଦ୍ଧାର କାର୍ଯ୍ୟକୁ ପ୍ରାଥମିକତା ଦିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
