ବହି ତ୍ରୁଟି ଘଟଣାରେ ବଡ଼ ଆକ୍ସନ: ୪ ନିଲମ୍ବିତ, ୬ଙ୍କ ବିରୋଧରେ ଶୃଙ୍ଖଳାଗତ ପଦକ୍ଷେପ
ରାଜ୍ୟର ସ୍କୁଲ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଘଟଣାକୁ ନେଇ ସରକାର ତିନିଜଣିଆ ତଦନ୍ତ କମିଟିର ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ । ୪ ଜଣ ଅଧିକାରୀଙ୍କୁ ନିଲମ୍ବନ, ଅନ୍ୟ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ ପଦକ୍ଷେପ ନିଆଯାଇଛି।
ଭୁବନେଶ୍ୱର:ସ୍କୁଲ ପାଠ୍ୟପୁସ୍ତକରେ ଦେଖାଦେଇଥିବା ବ୍ୟାପକ ତ୍ରୁଟି ଘଟଣାକୁ ନେଇ ରାଜ୍ୟ ସରକାର ବଡ଼ ପଦକ୍ଷେପ । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ତଦନ୍ତ କମିଟି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନିଜର ରିପୋର୍ଟ ପ୍ରଦାନ କରିଛି। ରିପୋର୍ଟ ଆଧାରରେ ସରକାର ତୁରନ୍ତ ପ୍ରଶାସନିକ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ତଦନ୍ତ ରିପୋର୍ଟ ଅନୁଯାୟୀ, ପାଠ୍ୟ ପୁସ୍ତକ ସହ ସଂପୃକ୍ତ ୪ ଜଣ ଅଧିକାରୀଙ୍କୁ ସରକାର ନିଲମ୍ବନ କରିଛନ୍ତି । ନିଲମ୍ବନ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶ ମନୋଜ ପାଢ଼ୀ, ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତା ପାଢ଼ୀ, ଦିଲ୍ଲୀପ କୁମାର ସାହୁ ଓ ଭାରତୀ ଟୁଡ଼ୁ । ସେହିପରି ୬ ଜଣ ସହକାରୀ ନିର୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ବନ୍ଦିତା ପଟ୍ଟନାୟକ, ମାନସ ରଞ୍ଜନ ରାଉତ, ମନୋରଞ୍ଜନ ମହାପାତ୍ର, ଡଃ ପ୍ରଶାନ୍ତ କୁମାର ସାହୁ, ମାନସ କୁମାର ନାୟକ ଏବଂ ଡଃ ସୁଦର୍ଶନ ସନ୍ତରାଙ୍କ ବିରୋଧରେ ଶୃଙ୍ଖଳାଗତ ପଦକ୍ଷେପ ନିଆଯାଇଛି। ପିଲାମାନଙ୍କ ଶିକ୍ଷାର ମାନ ସୁନିଶ୍ଚିତ କରିବା ପାଇଁ କମିଟିର ୧୪ଟି ସୁପାରିଶକୁ କାର୍ଯ୍ୟକାରୀ କରାଯିବ। ଏଥିରେ SCERT ପକ୍ଷରୁ ମାଷ୍ଟର ଏରାଟା (Errata) ରେଜିଷ୍ଟର ପ୍ରସ୍ତୁତି କରାଯିବ, ସମସ୍ତ ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ତଥ୍ୟ ପ୍ରଧାନ କରାଯିବ, SCERT ରେ Quality Assurance Cell ଖୋଲାଯିବ । ଏହା ସହିତ ଭବିଷ୍ୟତରେ କୌଣସି ପାଠ୍ୟ ପୁସ୍ତକ ଭାଷା, ଚିତ୍ର, ତଥ୍ୟ ଓ ଛପା ହେବାପାଇଁ ଆବଶ୍ୟକ ଅନୁମୋଦନ ବିନା ପ୍ରିଣ୍ଟିଙ୍ଗ ପ୍ରେସ କୁ ଯିବ ନାହିଁ।ସ୍କୁଲ ବହି ତ୍ରୁଟି ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ପାଠ୍ୟପୁସ୍ତକରେ ଥିବା ସମସ୍ତ ତ୍ରୁଟିପୂର୍ଣ୍ଣ ବହିକୁ ପ୍ରତ୍ୟାହାର କରାଯିବ। ନୂଆ କରି ନିର୍ଭୁଲ ବହି ଛପାଯାଇ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବ। ଯେଉଁମାନେ ଏହି ଘଟଣାରେ ଷଡ଼ଯନ୍ତ୍ର କିମ୍ବା ଅବହେଳାରେ ସାମିଲ ଥିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ତ୍ରୁଟିପୂର୍ଣ୍ଣ ବହି ଛପା ଖର୍ଚ୍ଚ ମଧ୍ୟ ଆଦାୟ କରାଯିବ।
