ବୋର୍ଡ ପରୀକ୍ଷାର ଷ୍ଟେଟ ଟପ୍ପରଙ୍କଠୁ ଫେରାଇନିଆଯିବ ମେଡାଲ ଓ ପ୍ରଶଂସାପତ୍ର
ରଜନୀଶର ଅସଲ ନାଁ, ଆଧାର କାର୍ଡ, ରାସନ କାର୍ଡ ଓ ଅନ୍ୟ ସରକାରୀ ଦସ୍ତାବିଜରେ ଅଜୟ କୁମାର ବୋଲି ଉଲ୍ଲେଖ ରହିଛି। ଅଜୟ ଜାଣିଶୁଣି ଦସ୍ତାବିଜରେ ହେରାଫେରି କରି ନିଜ ନାଁ ରଜନୀଶ କରିନେଲେ। ଷ୍ଟେଟ୍ ଟପ୍ପର ହୋଇଥିବା ରଜନୀଶ ଯାଦବଙ୍କ ଉପରେ ଏବେ ଏଭଳି ମୁସ୍କିଲ ବଢ଼ିଛି। ମକଦ୍ଦମାରୁ ବର୍ତ୍ତିବାକୁ ନିଜର ଅସଲ ପରିଚୟ ଲୁଚାଇଥିଲେ।

ହେରାଫେରି କରି ରାଜ୍ୟ ଟପ୍ପର ହୋଇଥିଲେ। ହେଲେ ଧରାପଡ଼ିଗଲେ। ଏବେ ଟପ୍ପରଙ୍କଠୁ ଫେରାଇନିଆଯିବ ଟାବଲେଟ୍ ଓ ମେଡାଲ୍। ଏହ ସହ ତାଙ୍କଠୁ ୧ଲକ୍ଷ ଟଙ୍କା ରିକଭରି କରିବାକୁ ଆଦେଶ ଜାରି କରିଛନ୍ତି ସରକାର। ୟୁପିର ମାଧ୍ୟମିକ ସଂସ୍କୃତ ଶିକ୍ଷା ପରିଷଦ ପକ୍ଷରୁ ଆୟୋଜିତ ମଧ୍ୟମା ପରୀକ୍ଷାରେ ଷ୍ଟେଟ୍ ଟପ୍ପର ହୋଇଥିବା ରଜନୀଶ ଯାଦବଙ୍କ ଉପରେ ଏବେ ଏଭଳି ମୁସ୍କିଲ ବଢ଼ିଛି। ଅଭିଲେଖରେ ହେରାଫେରି ଅଭିଯୋଗରେ ବିଭାଗୀୟ ଯାଞ୍ଚରେ ଦସ୍ତାବିଜରେ ଗମ୍ଭୀର ଅନିୟମିତତା ସାମ୍ନାକୁ ଆସିଛି। ସେଥିଲାଗି ପ୍ରଶାସନ ପକ୍ଷରୁ ତାଙ୍କୁ ମିଳିଥିବା ମେଧାବୀ ସମ୍ମାନ, ଅର୍ଥରାଶି, ଟାବଲେଟ୍, ମେଡାଲ ଓ ପ୍ରଶଂସାପତ୍ର ଫେରାଇନେବାକୁ ଆଦେଶ ଜାରି ହୋଇଛି। ରଜନୀଶଙ୍କର ସମସ୍ତ ଶିକ୍ଷାଗତ ଓ ସରକାରୀ ଦସ୍ତାବିଜ୍ ଯାଞ୍ଚ ହୋଇଛି। ପ୍ରତାପଗଡ଼ର ଆସପୁର ଦେବସରା ଥାନା କ୍ଷେତ୍ରର ରଜନୀଶ ଯାଦବ ନିଜ ନାଁ ଓ ଜନ୍ମତିଥିରେ ହେରାଫେରି କରି ପରୀକ୍ଷା ଦେଇଥିବାର ଆରୋପ ଲାଗିଛି। ଧୋକାଦାରି, କୂଟରଚନା ଓ ଷଡ଼ଯନ୍ତ୍ରର ସଙ୍ଗୀନ ଧାରାରେ ମକଦ୍ଦମା ରୁଜୁ ହୋଇଛି। ଶ୍ରୀରାମ ଟହଲ ସଂସ୍କୃତ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ଯଦୁନାଥପୁରର ଛାତ୍ର ରଜନୀଶଙ୍କ ନାଁ ଷ୍ଟେଟ ଟପ୍ପର ଭାବେ ଏପ୍ରିଲ ୨୪ରେ ଘୋଷଣା ହୋଇଥିଲା। ହେଲେ ଏହାକୁ ନେଇ ପଡ଼ୋଶୀ ଜଗତ ପ୍ରସାଦ ପୁଲିସରେ ଅଭିଯୋଗ କରିଥିଲେ। ରଜନୀଶର ଅସଲ ନାଁ, ଆଧାର କାର୍ଡ, ରାସନ କାର୍ଡ ଓ ଅନ୍ୟ ସରକାରୀ ଦସ୍ତାବିଜରେ ଅଜୟ କୁମାର ବୋଲି ଉଲ୍ଲେଖ ରହିଛି। ଅଜୟ ଜାଣିଶୁଣି ଦସ୍ତାବିଜରେ ହେରାଫେରି କରି ନିଜ ନାଁ ରଜନୀଶ କରିନେଲେ। ଆଉ ଏହି ଜାଲି ନାଁରେ ସଂସ୍କୃତ ବିଦ୍ୟାଳୟରେ ଆଡମିଶନ କରିନେଲେ। ଏହା ପରେ ବୋର୍ଡ ପରୀକ୍ଷା ଦେଇ ଟପ୍ପର ହୋଇଗଲେ। ପଡ଼ୋଶୀ ଜଗତପ୍ରସାଦ କହିଥିଲେ, ମକଦ୍ଦମାରୁ ବର୍ତ୍ତିବାକୁ ନିଜର ଅସଲ ପରିଚୟ ଲୁଚାଇଥିଲେ। ୨୦୨୦ରେ ଜମି ବିବାଦକୁ ନେଇ ଅଜୟ କୁମାରଙ୍କ ବିରୁଦ୍ଧରେ ଏତଲା ରୁଜୁ କରିଥିଲେ। ଗୋଟିଏ ପଟେ ଟପ୍ପର ଖୁସିରେ ତାଙ୍କ ପରିବାରରେ ଖୁସିର ମାହୋଲ ଥିଲା ବେଳେ ଆରୋପ ପରେ ଏହି ଖୁସି ମିଳାଇଯାଇଛି। ୩ଜଣିଆ ତଦନ୍ତ କମିଟି ରିପୋର୍ଟ ପ୍ରସ୍ତୁତ କରି ପ୍ରଶାସନକୁ ପଠାଇଛି। ଆଉ ରିପୋର୍ଟରେ ସ୍ପଷ୍ଟ କରିଛି, ରଜନୀଶ ଯାଦବ ଜାଲି ଦସ୍ତାବିଜ ଜରିଆରେ ପୂର୍ବ ମଧ୍ୟମାରୁ ଉତ୍ତର ମଧ୍ୟମା ଯାଏ ପରୀକ୍ଷା ପାସ୍ କରିଛନ୍ତି। ସେଥିଲାଗି ରଜନୀଶଙ୍କ ସମସ୍ତ ଶିକ୍ଷାଗତ ଯୋଗ୍ୟତାକୁ ନିରସ୍ତ୍ର କରିଦିଆଯିବ। ୮୯.୩୬ ପ୍ରତିଶତ ମାର୍କ ସହ ରାଜ୍ୟ ଟପ୍ପର ରଜନୀଶ ଜାଲି ଦସ୍ତାବିଜ ବଳରେ ନିଜର ଅସଲ ପରିଚୟ ଲୁଚାଇଥିଲେ। ଅଜୟ କୁମାର ନାଁ ସହ ଆଧାର କାର୍ଡରେ ରଜନୀଶ କରାଯାଇଥିଲା। ମେ ୧୩, ୧୯୯୮ ଜନ୍ମତିଥିକୁ ହେରାଫେରି କରି ଏହାକୁ ଜୁଲାଇ ୧, ୨୦୧୦ କରିଦିଆଯାଇଥିଲା। .ୟୁପି ସଂସ୍କୃତ ବୋର୍ଡ ୨୦୨୬ର ଦ୍ୱାଦଶ ଟପ୍ପର। ଜୁନ୍ ୧, ୨୦୨୬ରେ ଲକ୍ଷ୍ନୌର ଲୋକଭବନରେ ଆୟୋଜିତ ରାଜ୍ୟସ୍ତରୀୟ ସମ୍ମାନ ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଦୀ ଆଦିତ୍ୟନାଥ ତାଙ୍କୁ ସମ୍ମାନିତ କରିଥିଲେ।
