Mahanga Block: ମାହାଙ୍ଗା ବ୍ଲକ କାର୍ଯ୍ୟାଳୟରେ ଅବ୍ୟବସ୍ଥା ଅଭିଯୋଗ
କଟକ ଜିଲ୍ଲା ମାହାଙ୍ଗା ବ୍ଲକ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଅନୁପସ୍ଥିତି, ବିଦ୍ୟୁତ୍ ସମସ୍ୟା, ଅପରିଷ୍କାର ପରିବେଶ ଓ ଦିବ୍ୟାଙ୍ଗ ଶୌଚାଳୟର ରକ୍ଷଣାବେକ୍ଷଣକୁ ନେଇ ଅଭିଯୋଗ। ତଦନ୍ତ ଦାବି।
ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା ବ୍ଲକ କାର୍ଯ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ବାତ୍ୟା ପାଇଁ ସରକାରୀ ଛୁଟି ବାତିଲ ହୋଇଥିବା ସତ୍ତ୍ୱେ କେତେକ କର୍ମଚାରୀ ଅନୁପସ୍ଥିତ ଥିବା ଅଭିଯୋଗ ହୋଇଛି। ଏଥିସହ ବିଡିଓଙ୍କ ବିଳମ୍ବରେ କାର୍ଯ୍ୟାଳୟ ଆସିବା ଓ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଅନୁପସ୍ଥିତିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। କେବଳ କର୍ମଚାରୀଙ୍କ ଉପସ୍ଥିତି ନୁହେଁ, କାର୍ଯ୍ୟାଳୟର ଭିତ୍ତିଭୂମି ଓ ପରିମଳ ବ୍ୟବସ୍ଥା ମଧ୍ୟ ଚର୍ଚ୍ଚାରେ ରହିଛି। ବିଦ୍ୟୁତ୍ ନଥିବାରୁ କେତେକ କକ୍ଷ ଅନ୍ଧାରରେ ରହିଥିବା ବେଳେ ଜେନେରେଟର ଅଚଳ ଥିବା ଅଭିଯୋଗ ହୋଇଛି।
ସେହିପରି କାର୍ଯ୍ୟାଳୟ ପରିସରରେ ପାନଛେପ, ଗୁଟ୍ଖା ଓ ଅଳିଆ ଆବର୍ଜନା ପଡ଼ିରହିଥିବାରୁ ସ୍ୱଚ୍ଛତା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଅନ୍ୟପକ୍ଷରେ, ଦିବ୍ୟାଙ୍ଗଙ୍କ ପାଇଁ ନିର୍ମିତ ଶୌଚାଳୟର ବ୍ୟବହାର ଓ ରକ୍ଷଣାବେକ୍ଷଣକୁ ନେଇ ମଧ୍ୟ ଅଭିଯୋଗ ହୋଇଛି। ସରକାରୀ ଅର୍ଥରେ ନିର୍ମିତ ଏହି ସୁବିଧାର ଉପଯୁକ୍ତ ଯତ୍ନ ନିଆଯାଉଛି କି ନାହିଁ, ତାହା ନେଇ ପ୍ରଶ୍ନ ଉଠିଛି। ଏସବୁ ଅଭିଯୋଗ ନେଇ ବିଡିଓଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିବା ବେଳେ ତାଙ୍କ ପ୍ରତିକ୍ରିୟାକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଅଭିଯୋଗଗୁଡ଼ିକର ସତ୍ୟତା ଯାଞ୍ଚ କରିବା ସହ ଦାୟିତ୍ୱରେ ଅବହେଳା ହୋଇଛି କି ନାହିଁ, ତାହାର ନିରପେକ୍ଷ ତଦନ୍ତ ଦାବି ହୋଇଛି। ଏବେ ମାହାଙ୍ଗା ବ୍ଲକ କାର୍ଯ୍ୟାଳୟରେ ଶୃଙ୍ଖଳା ଓ ସ୍ୱଚ୍ଛତା ଫେରାଇ ଆଣିବାକୁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ନଜର ରହିଛି।
