A Journey That Turned Into a Tragedy :ସାଙ୍ଗଙ୍କ ସହ ଯାତ୍ରା ହେଲା ଶେଷ ଯାତ୍ରା
ଟିକିଏ ଅସାବଧାନତା ଛଡ଼ାଇଦେଲା ସବୁଦିନ ପାଇଁ ଅନ୍ଧାର! ଚଳନ୍ତା ଟ୍ରେନରୁ ଖସି ଚାଲିଗଲା ଜଣେ ଯୁବକଙ୍କ ଅମୂଲ୍ୟ ଜୀବନ।
ଟିକେ ଅସାବଧାନତା ଯୋଗୁଁ ଚାଲିଗଲା ଏକ ଜୀବନ | ଗତକାଲି ଚଳନ୍ତା ଟ୍ରେନରୁ ଖସିପଡ଼ି ଜଣେ ଯୁବକଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ମୃତ ଯୁବକ ପରିଚୟ ହେଉଛି ଉତ୍ତରପ୍ରଦେଶର ଗୋରଖପୁର ଅଞ୍ଚଳର ଦେବା ଯାଦବଙ୍କ ପୁଅ କ୍ରିଷ୍ଣା କୁମାର ଯାଦବ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, କ୍ରିଷ୍ଣା ତାଙ୍କର ତିନିଜଣ ସାଙ୍ଗଙ୍କ ସହ ଗତକାଲି ବିଶାଖାପାଟଣା ଏକ୍ସପ୍ରେସ୍ ଯୋଗେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରୁଥିଲେ। ବିଷମ କଟକ ରେଳ ଷ୍ଟେସନ ଅତିକ୍ରମ କରିବାର ପ୍ରାୟ ୫୦୦ ମିଟର ପରେ କୌଣସି କାରଣବଶତଃ ସେ ଚଳନ୍ତା ଟ୍ରେନରୁ ଖସିପଡ଼ିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ରେଳ ଷ୍ଟେସନ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବିଷମ କଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ପରୀକ୍ଷା କରିବା ପରେ କ୍ରିଷ୍ଣାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ସୂଚନା ଅନୁସାରେ, କ୍ରିଷ୍ଣା ବିଶାଖାପାଟଣାସ୍ଥିତ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିଲେ। ଏହି ଦୁଃଖଦ ଘଟଣାକୁ ନେଇ ତାଙ୍କ ପରିବାର ଓ ସାଙ୍ଗମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟେ, ଖବର ପାଇ ମୁନିଗୁଡ଼ା ରେଳବାଇ ପୋଲିସ ବିଷମ କଟକ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
