Chhadakhai: ଆମିଷ ବଜାରରେ ଛାଡଖାଇ, ବେଲଗାମ ବଜାର ଦର
ଛାଡ଼ଖାଇ ପାଇଁ ଆମିଷ ବଜାରରେ ଭିଡ଼। ମାଛ, ମାଂସ, ଚିକେନ୍ ଓ କଙ୍କଡ଼ା କିଣିବାକୁ ଲାଗିଛି ଲମ୍ବା ଲାଇନ୍।
ଭୁବନେଶ୍ୱର: କାର୍ତ୍ତିକ ମାସ ସରିଲା, ଏବେ ଆମିଷ ଖାଇବାର ପାଳି। ଆଜି ଛାଡ଼ଖାଇ। ଓଡ଼ିଆଙ୍କ ଘରେ ଘରେ ଜମିବ ଆମିଷ ଭୋଜିର ଆସର। ମାଛ, ମାଂସ, ଚିକେନ୍ ଓ ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନରେ ମହକିବ ରୋଷେଇ ଘର। ସକାଳୁ ସକାଳୁ ବିଭିନ୍ନ ଆମିଷ ବଜାରରେ ଜମିଛି ଗ୍ରାହକଙ୍କ ଭିଡ଼।
ମାଛ, ମାଂସ, ଚିଙ୍ଗୁଡ଼ି ଓ କଙ୍କଡ଼ା କିଣିବାକୁ ଦୋକାନ ଆଗରେ ଲାଗିଛି ଲମ୍ବା ଲାଇନ୍। ନିଜ ପସନ୍ଦର ଆମିଷ କିଣିବାକୁ ବଜାରମୁହାଁ ଲୋକେ।
କେବଳ ଘରେ ନୁହେଁ, ହୋଟେଲ ଓ ରେଷ୍ଟୁରାଣ୍ଟରେ ମଧ୍ୟ ଆମିଷପ୍ରିୟଙ୍କ ଭିଡ଼ ଜମିବାର ଆଶା ରହିଛି। ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ଭୋଜିଭାତ କରି ଛାଡ଼ଖାଇର ମଜା ନେବେ ଲୋକେ।
ପବିତ୍ର କାର୍ତ୍ତିକ ମାସରେ ଅନେକ ଲୋକ ଆମିଷ ତ୍ୟାଗ କରିଥାନ୍ତି। କାର୍ତ୍ତିକ ପୂର୍ଣ୍ଣିମାର ପରଦିନ ପୁଣି ଆମିଷ ଖାଇବାର ପରମ୍ପରାକୁ ଛାଡ଼ଖାଇ କୁହାଯାଏ। ଏହାର ସମ୍ପର୍କ ପ୍ରାଚୀନ ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟ ଓ ବାଲିଯାତ୍ରା ସହ ଜଡ଼ିତ ବୋଲି ଏକ ଐତିହାସିକ ମତ ରହିଛି। ପରମ୍ପରା ଓ ସ୍ୱାଦର ଏହି ଉତ୍ସବକୁ ନେଇ ଓଡ଼ିଆଙ୍କ ମଧ୍ୟରେ ରହିଛି ବେଶ୍ ଉତ୍ସାହ।
