Baliyatra 2026: ରାଷ୍ଟ୍ରପତିଙ୍କ କରକମଳରେ ଉଦଘାଟିତ ହେଲା ଐତିହାସିକ କଟକ ବାଲିଯାତ୍ରା-୨୦୨୬
କଟକ ବାଲିଯାତ୍ରା-୨୦୨୬କୁ ଉଦ୍ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାନଦୀ ରିଭର ଫ୍ରଣ୍ଟ, ସିଲିକନ୍ ଭ୍ୟାଲି ଓ ଶିଳ୍ପ ବିକାଶ ନେଇ ବଡ଼ ଘୋଷଣା।

କଟକ: ଐତିହାସିକ କଟକ ବାଲିଯାତ୍ରାରେ ଯୋଡ଼ି ହୋଇଛି ନୂଆ ଇତିହାସ। ପ୍ରଥମ ଥର ପାଇଁ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବାଲିଯାତ୍ରାକୁ ଉଦ୍ଘାଟନ କରିଛନ୍ତି। ରାଷ୍ଟ୍ରପତିଙ୍କ ଗରିମାମୟ ଉପସ୍ଥିତି ଉଦ୍ଘାଟନୀ ଉତ୍ସବକୁ ସ୍ମରଣୀୟ କରିଥିବା ବେଳେ ଓଡ଼ିଶାବାସୀଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତ ଓ କୃତଜ୍ଞତା ଜଣାଯାଇଛି। ଉତ୍ସବରେ ଇଣ୍ଡୋନେସିଆ ଦୂତାବାସର ଚାର୍ଜ ଡି ଆଫେୟାର୍ସ ଶ୍ରୀ ଯୁଧୋ ସାସୋଙ୍କୋ ଏବଂ ରାଜ୍ୟପାଳ ଶ୍ରୀ ବ୍ରଜ ମୋହନ ରାମ ଯୋଗଦେଇଥିଲେ।

କାର୍ତ୍ତିକ ପୂର୍ଣ୍ଣିମା, ବୋଇତ ବନ୍ଦାଣ ଓ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣ କରି କଟକର ଐତିହାସିକ ଅବଦାନ ଉପରେ ଆଲୋକପାତ କରାଯାଇଥିଲା। ଏହି ଅବସରରେ ବକ୍ତବ୍ୟରେ ରାଜ୍ୟର ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇଛି। ୨୧୦ କୋଟି ଟଙ୍କା ବ୍ୟୟରେ ମହାନଦୀ ରିଭର ଫ୍ରଣ୍ଟ ବିକାଶ, ବାରବାଟୀ ଷ୍ଟାଡିୟମର ଆଧୁନିକୀକରଣ ଏବଂ ଏସ୍ସିବି ମେଡିକାଲ କଲେଜର ପୁନର୍ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ।

ଏଥିସହ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ (BKPPER) ପାଇଁ ୫ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ଅନୁମୋଦନ, ୮,୩୦୦ କୋଟି ଟଙ୍କାର କ୍ୟାପିଟାଲ ରିଜନ୍ ରିଙ୍ଗ୍ ରୋଡ୍ ଏବଂ ନରାଜରେ ୨୪ ହଜାର କୋଟି ଟଙ୍କାର ଓଡ଼ିଶା ସିଲିକନ୍ ଭ୍ୟାଲି ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଇଛି। କଟକ ଜିଲ୍ଲାରେ ୩୨,୨୫୨ କୋଟି ଟଙ୍କାର ୪୭ଟି ଶିଳ୍ପ ପ୍ରକଳ୍ପ ମାଧ୍ୟମରେ ନିଯୁକ୍ତି ଓ ଶିଳ୍ପ ବିକାଶର ନୂଆ ସମ୍ଭାବନା ସୃଷ୍ଟି ହେବ। ଅନ୍ୟପକ୍ଷରେ ବାଲିଯାତ୍ରାକୁ UNESCOର ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟ ମାନ୍ୟତା ଦେବା ପାଇଁ ଉଦ୍ୟମ ଜାରି ରହିଥିବା କୁହାଯାଇଛି।
