Odisha Flood:ମହାନଦୀରେ ନାହିଁ ବଡ଼ ବନ୍ୟା!
ମୁଣ୍ଡୁଳିରେ ଯେଭଳି ୧୦ଲକ୍ଷ କ୍ୟୁସେକରୁ ଅଧିକ ପାଣି ନ ପହଞ୍ଚେ, ସେଥିଲାଗି ଜଳସମ୍ପଦ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଯଦି ପାଣି ବଢ଼େ ଓ କିଛି ଅଞ୍ଚଳ ପ୍ରଭାବିତର ସମ୍ଭାବନା ରହିବ, ତାହେଲେ ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତି କରାଯାଇଛି। ବିଭିନ୍ନ ନଦୀର ଜଳସ୍ତର ବାବଦରେ ବି ମନ୍ତ୍ରୀ ସୂଚନା ଦେଇଛନ୍ତି।

ମହାନଦୀକୁ ନେଇ ଏବେ କୌଣସି ବଡ଼ ବିପଦ ନାହିଁ। ଛତିଶଗଡ଼ ପଟୁ ପ୍ରାୟ ୬ଲକ୍ଷ ୪୦ହଜାର କ୍ୟୁସେକ ପାଣି ଆସୁଛି ଓ ପ୍ରାୟ ୪ଲକ୍ଷ ୪୯ହଜାର କ୍ୟୁସେକ ପାଣି ନିଷ୍କାସିତ ହେଉଛି। ମୁଣ୍ଡୁଳିରେ ଆଜି ସକାଳ ୯ଟା ସମୟରେ ପ୍ରାୟ ୭ଲକ୍ଷ ୬୦ହଜାର କ୍ୟୁସେକ ପାଣି ପ୍ରବେଶ କରିଥିଲା। ଏବେ ଅତ୍ୟନ୍ତ ଚିନ୍ତାଜନକ ସ୍ଥିତି ନୁହେଁ। ତଥାପି ମହାନଦୀର ପାଣି ସହ ଉପରମୁଣ୍ଡରୁ ଆସୁଥିବା ପାଣି ବି ମୁଣ୍ଡୁଳିରେ ପହଞ୍ଚୁଛି। ମୁଣ୍ଡୁଳିରେ ଯେଭଳି ୧୦ଲକ୍ଷ କ୍ୟୁସେକରୁ ଅଧିକ ପାଣି ନ ପହଞ୍ଚେ, ସେଥିଲାଗି ଜଳସମ୍ପଦ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଯଦି ପାଣି ବଢ଼େ ଓ କିଛି ଅଞ୍ଚଳ ପ୍ରଭାବିତର ସମ୍ଭାବନା ରହିବ, ତାହେଲେ ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତି କରାଯାଇଛି। ବିଭିନ୍ନ ନଦୀର ଜଳସ୍ତର ବାବଦରେ ବି ମନ୍ତ୍ରୀ ସୂଚନା ଦେଇଛନ୍ତି। ସୁବର୍ଣ୍ଣରେଖାରେ ଜଳପତ୍ତନ କମିବା ଆରମ୍ଭ କରିଛି। ଆଗକୁ ଆହୁରି କମିବାର ଆଶା ରହିଛି। କୁଆଖିଆ ଓ ଆଖୁଆପଦାରେ ବୈତରଣୀର ଜଳପତ୍ତନ ପ୍ରାୟ ୧୭.୯ ମିଟର ରହିଥିଲା। ଏହା ବିପଦ ସଙ୍କେତରୁ ସାମାନ୍ୟ କମ୍ ଥିଲା। ଏବେ ଜଳପତ୍ତନ କମିବା ଆରମ୍ଭ କରିଛି। ଆଜି ରାତି ସୁଦ୍ଧା ଆହୁରି କମିବାର ଆଶା ରହିଛି। ସାଳନ୍ଦୀରେ ବି ଜଳପତ୍ତନ ପ୍ରାୟ ୧୭ଫୁଟ ରହିଥିଲା। ପାଣି କମିବା ଆରମ୍ଭ କଲାଣି। ବୁଢାବଳଙ୍ଗ ବି ଖସୁଛି। ବ୍ରାହ୍ଣଣୀରେ କୌଣସି ବନ୍ୟା ପରିସ୍ଥିତି ନାହିଁ। ଇନ୍ଦ୍ରାବତୀରେ ଜଳସ୍ତର ହ୍ରାସ ପାଉଛି। ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ବଂଶଧାରା ଓ ଋଷିକୁଲ୍ୟାରେ କୌଣସି ସମସ୍ୟା ନାହିଁ। ଅନ୍ୟ ଛୋଟ ଛୋଟ ନଦୀ ଗୁଡ଼ିକରେ ବି ପରିସ୍ଥିତି ସୁଧୁରିବା ଆରମ୍ଭ କରିଛି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ପୂଜାରୀ।
