Maa Manikeswari Chhatar Yatra : ଭୋରରୁ ବାହାରିଲା ମାଆଙ୍କ ଛତର-ଜେନାଖାଲରେ ଭକ୍ତଙ୍କ ସୁଅ
ଭକ୍ତି, ଆସ୍ଥା ଓ ଜନସମୁଦ୍ରରେ ଉଛୁଳିଲା ଭବାନୀପାଟଣା | ମା’ ମାଣିକେଶ୍ୱରୀଙ୍କ ପବିତ୍ର ଛତର ଯାତ୍ରାରେ ସାମିଲ ହେଲେ ଲକ୍ଷାଧିକ ଶ୍ରଦ୍ଧାଳୁ |
ଆସ୍ଥା ଆଗରେ ସବୁ ଫିକା, ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ଜନସମୁଦ୍ର | କଳାହାଣ୍ଡିର ଆରାଧ୍ୟା ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରାକୁ ନେଇ ଭକ୍ତିମୟ ହୋଇଉଠିଥିଲା ଭବାନୀପାଟଣା ସହର। ମା’ଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଭୋର ସମୟରୁ ଜେନାଖାଲଠାରେ ଲାଗି ରହିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ | ପ୍ରବଳ ଜନସମାଗମ ଯୋଗୁଁ କିଛି ଭକ୍ତ ମା’ଙ୍କ ପବିତ୍ର ଛତର ଦର୍ଶନ କରିନପାରି ନିରାଶ ହୋଇ ଫେରିଥିବା ଜଣାପଡ଼ିଛି।କଳାହାଣ୍ଡିର ଗର୍ବ, ଗୌରବ ଓ ଆସ୍ଥାର ପ୍ରତୀକ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରତିବର୍ଷ ଭଳି ଏଥର ମଧ୍ୟ ଭକ୍ତି ଓ ଶ୍ରଦ୍ଧାର ପରିବେଶ ସୃଷ୍ଟି କରିଥିଲା | ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କ ପବିତ୍ର ଛତର ଦର୍ଶନ ପାଇଁ ଜେନାଖାଲଠାରେ ଏକାଠି ହୋଇଥିଲେ ଅସଂଖ୍ୟ ଭକ୍ତ | ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ମା’ଙ୍କ ଦର୍ଶନ ପାଇଁ ପ୍ରବଳ ଉତ୍ସାହ ଓ ଭକ୍ତିଭାବ ପରିଲକ୍ଷିତ ହୋଇଥିଲା | ସୂଚନା ଅନୁଯାୟୀ, ସକାଳ ୫ଟା ୫ ମିନିଟ୍ରେ ଜେନାଖାଲରୁ ବାହାରିଥିଲା ମା’ ମାଣିକେଶ୍ୱରୀଙ୍କ ପବିତ୍ର ଛତର | ପରେ ସକାଳ ପ୍ରାୟ ୭ଟା ୩୦ ମିନିଟ୍ରେ ମା’ ମନ୍ଦିରରେ ପ୍ରବେଶ କରିଥିଲେ | ଏହି ପବିତ୍ର ମୁହୂର୍ତ୍ତର ସାକ୍ଷୀ ହେବା ସହ ମା’ଙ୍କ ଦର୍ଶନ ପାଇବା ପାଇଁ ଭକ୍ତଙ୍କ ଭିଡ଼ ଜମିଥିଲା | ଅତ୍ୟଧିକ ଭିଡ଼ ଯୋଗୁଁ କିଛି ଶ୍ରଦ୍ଧାଳୁ ମା’ଙ୍କ ଛତରକୁ ଠିକ୍ ଭାବେ ଦର୍ଶନ କରିପାରିନଥିବା ଅଭିଯୋଗ ହୋଇଛି। ଦୀର୍ଘ ସମୟ ଧରି ଅପେକ୍ଷା କରିବା ସତ୍ତ୍ୱେ ଦର୍ଶନରୁ ବଞ୍ଚିତ ହେବାରୁ କିଛି ଭକ୍ତ ନିରାଶ ହୋଇ ଫେରିଥିବା କହିଛନ୍ତି | ଫଳରେ ଏତେ ବଡ଼ ଧାର୍ମିକ ଆୟୋଜନରେ ଭକ୍ତଙ୍କ ସୁବିଧାଜନକ ଦର୍ଶନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି |
ମା’ ମାଣିକେଶ୍ୱରୀଙ୍କ ପ୍ରତି ଅଗାଧ ଆସ୍ଥା ଓ ବିଶ୍ୱାସ ଯୋଗୁଁ ପ୍ରତିବର୍ଷ ଛତର ଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ଏଭଳି ବିଶାଳ ଜନସମାଗମକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଦର୍ଶନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା, ଭିଡ଼ ନିୟନ୍ତ୍ରଣ ଓ ଶ୍ରଦ୍ଧାଳୁଙ୍କ ସୁବିଧାକୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ଯାହାଦ୍ୱାରା ଆସନ୍ତା ବର୍ଷଗୁଡ଼ିକରେ ପ୍ରତ୍ୟେକ ଭକ୍ତ ଶୃଙ୍ଖଳିତ ଭାବେ ମା’ଙ୍କ ଦର୍ଶନ ପାଇପାରିବେ।

