Maa Dokari Temple:ତାଳଗୁଡ଼ ମା' ଡୋକରୀ ମନ୍ଦିରରେ ଜମୁଛି ନବରାତ୍ରୀ ପୂଜା
କଳାହାଣ୍ଡିର ଜୟପାଟଣାରେ ଶାରଦୀୟ ଦୁର୍ଗାପୂଜାକୁ ନେଇ ଭକ୍ତିମୟ ପରିବେଶ। ପ୍ରାଚୀନ ପରମ୍ପରାରେ ଆରମ୍ଭ ହୋଇଥିବା ଏହି ପୂଜାର ସବୁଠାରୁ ବିଶେଷ ଆକର୍ଷଣ ରହିଛି ଅଷ୍ଟମୀ ନିଶାର୍ଦ୍ଧର ସ୍ୱତନ୍ତ୍ର ଆରାଧନା ଓ ଦେବଦେବୀଙ୍କ ପ୍ରତିନିଧିଙ୍କ ଆଗମନ।

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳର ଆରାଧ୍ୟ ଦେବୀ ମା’ ତାଳଗୁଡ଼ ଡୋକରୀଙ୍କ ପୀଠରେ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା। ପବିତ୍ର ପ୍ରତିପଦା ତିଥିରେ ମା’ଙ୍କ ମସ୍ତକ ସ୍ଥାପନ କରାଯିବା ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଛି। ଏହି ପୂଜାକୁ ନେଇ ସମଗ୍ର ଅଞ୍ଚଳରେ ଭକ୍ତି ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ପାଇବା ପାଇଁ ପୀଠକୁ ଶ୍ରଦ୍ଧାଳୁଙ୍କ ଆଗମନ ଜାରି ରହିଛି। ତାଳଗୁଡ଼ ଡୋକରୀଙ୍କ ପୂଜାର ସବୁଠାରୁ ଉଲ୍ଲେଖନୀୟ ପରମ୍ପରା ହେଉଛି ମହାଷ୍ଟମୀର ବିଶେଷ ଆୟୋଜନ। ପରମ୍ପରା ଅନୁଯାୟୀ, ଆସନ୍ତା ଅଷ୍ଟମୀ ତିଥିରେ ଜୟପାଟଣା ଓ ଆଖପାଖ ଅଞ୍ଚଳର ବିଭିନ୍ନ ଦେବଦେବୀଙ୍କ ଲାଠି ବା ପ୍ରତିନିଧିମାନେ ଏକ ବିଶାଳ ଶୋଭାଯାତ୍ରାରେ ମା’ ତାଳଗୁଡ଼ଙ୍କ ପୀଠରେ ପହଞ୍ଚିବେ। ଏହି ଆଗମନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ରହିଛି ବିଶେଷ ଉତ୍ସାହ। ମହାଷ୍ଟମୀର ନିଶାର୍ଦ୍ଧ ସମୟରେ ମା’ଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବାର ପ୍ରାଚୀନ ବିଧି ରହିଛି। ଏହି ଧାର୍ମିକ ପରମ୍ପରା ପୀଠର ସ୍ୱତନ୍ତ୍ର ପରିଚୟ ବହନ କରୁଛି।
ସ୍ଥାନୀୟ ବିଶ୍ୱାସ ଅନୁଯାୟୀ, ରାଜାରାଜୁଡ଼ା ଅମଳରୁ ମା’ ଡୋକରୀଙ୍କ ପୀଠରେ ଏହି ପାରମ୍ପରିକ ପୂଜାପାଠ ଚାଲିଆସୁଛି। ମା’ଙ୍କ ନିକଟରେ ମାନସିକ କଲେ ମନସ୍କାମନା ପୂରଣ ହୁଏ ବୋଲି ଭକ୍ତମାନଙ୍କ ମଧ୍ୟରେ ଗଭୀର ଆସ୍ଥା ରହିଛି। ଏହି ବିଶ୍ୱାସ ଯୋଗୁଁ ଜୟପାଟଣା ସମେତ ଦୂରଦୂରାନ୍ତରୁ ଶହ ଶହ ଶ୍ରଦ୍ଧାଳୁ ପୀଠକୁ ଆସି ମା’ଙ୍କ ଦର୍ଶନ କରୁଛନ୍ତି। ଭକ୍ତମାନେ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ଅନ୍ୟପଟେ, ଶାରଦୀୟ ଦୁର୍ଗାପୂଜା ଅବସରରେ ଆଠ ଦିନ ଧରି ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଏହାଦ୍ୱାରା ଅଞ୍ଚଳରେ ଉତ୍ସବର ମାହୋଲ ଆହୁରି ଜମିଉଠିଛି। ଧାର୍ମିକ ଆସ୍ଥା, ପୁରାତନ ପରମ୍ପରା ଓ ସାମୂହିକ ଉତ୍ସବର ସମନ୍ୱୟରେ ମା’ ତାଳଗୁଡ଼ ଡୋକରୀଙ୍କ ପୀଠରେ ଚଳିତ ବର୍ଷର ଦୁର୍ଗାପୂଜା ଶ୍ରଦ୍ଧାଳୁଙ୍କ ପାଇଁ ବିଶେଷ ଆକର୍ଷଣ ପାଲଟିଛି।
