Cannabis crops:ଗଞ୍ଜେଇ ଚାଷ ନଷ୍ଟ ପରେ ଜୀବିକା ଚିନ୍ତାରେ ଚାଷି
ନିଜେ ଚାଷ କରିଥିବା ବେଆଇନ ଗଞେଇ ଚାଷ ନିଜେ ନଷ୍ଟ କରିଥିଲେ ଗଞେଇ ଚାଷି | ଗଞ୍ଜେଇ ଚାଷ ନଷ୍ଟ ପରେ ଜୀବିକା ଚିନ୍ତାରେ ଶିଲିମେଟାବାସୀ | ବିକଳ୍ପ ରୋଜଗାରର ପ୍ରୟାସ କୁ ସହାୟତା ଯୋଗାଇବ ପ୍ରଶାସନ |

ମାଲକାନଗିରି/ଚିତ୍ରକୋଣ୍ଡା:ଦିନେ ଯେଉଁ ଚାଷ ଥିଲା ଜୀବିକାର ମାଧ୍ୟମ, ଆଜି ସେହି ଚାଷ ନଷ୍ଟ ହେବା ପରେ ରୋଜଗାରକୁ ନେଇ ଚିନ୍ତାରେ ମାଲକାନଗିରି ଜିଲ୍ଲା ବଦପଡ଼ା ପଂଚାୟତର ଶିଲିମେଟା ଗ୍ରାମବାସୀ। ପିଢ଼ି ପରେ ପିଢ଼ି ଗଞେଇ ଚାଷ ଉପରେ ନିର୍ଭର କରି ଚଳି ଆସୁଥିବା ଗ୍ରାମବାସୀଙ୍କ ସମ୍ମୁଖରେ ଏବେ ଜୀବିକାର ନୂଆ ବାଟ ଖୋଜିବା ଏକ ବଡ଼ ଆହ୍ୱାନ ହୋଇଛି।ପାହାଡ଼ିଆ ଅଞ୍ଚଳ, ସୀମିତ ରୋଜଗାର ସୁଯୋଗ ଏବଂ ଆର୍ଥିକ ଅନଟନ ମଧ୍ୟରେ ଗଞ୍ଜେଇ ଚାଷ ଉପରେ ନିର୍ଭରଶୀଳ ହୋଇପଡ଼ିଥିଲେ ଶିଲିମେଟାବାସୀ। ଅଭିଯୋଗ ଅନୁସାରେ, କିଛି ଦଲାଲଙ୍କ ପ୍ରଲୋଭନରେ ପଡ଼ି ଅନେକ ଗ୍ରାମବାସୀ ଏହି ଚାଷକୁ ଜୀବିକାର ମାଧ୍ୟମ କରିଥିଲେ। କିନ୍ତୁ ଚାଷ ନଷ୍ଟ ହେବା ପରେ ଏବେ ସେମାନଙ୍କ ଆଗରେ ରୋଜଗାରର ସଙ୍କଟ ଦେଖାଦେଇଛି। ଏଭଳି ସ୍ଥିତିରେ ଗ୍ରାମବାସୀ ସରକାରଙ୍କୁ ବିକଳ୍ପ ରୋଜଗାର ଓ ଜୀବିକା ନିର୍ବାହ ପାଇଁ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଥିଲେ। ଏହାପରେ ଗ୍ରାମବାସୀଙ୍କୁ ବିକଳ୍ପ ଜୀବିକା ଯୋଗାଇଦେବା ଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ନିଜେ ଚାଷ କରିଥିବା ବେଆଇନ ଗଞେଇ ଚାଷ ନିଜେ ନଷ୍ଟ କରିଥିଲେ ଗଞେଇ ଚାଷି | ଜିଲ୍ଲା ପ୍ରଶାସନ, ଜିଲ୍ଲା ପୁଲିସ, ବନ ବିଭାଗ, ଆଇଟିଡିଏ ଏବଂ ଚିତ୍ରକୋଣ୍ଡା ବ୍ଲକ ପ୍ରଶାସନର ଅଧିକାରୀମାନେ ଶିଲିମେଟା ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ବିକଳ୍ପ ଜୀବିକା ଓ ସରକାରୀ ସହାୟତା ଯୋଗାଇଦେବା ନେଇ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଛନ୍ତି।ଏସପି ଆର୍ଥିକ ସହାୟତା ପ୍ରଦାନ ସହ ବନବିଭାଗ ତରଫରୁ ମାଣ୍ଡିଆ ମିଲ, ଜାପ୍ରା ଚାରା ଇତ୍ୟାଦି ଯୋଗାଇଥିଲେ।ବିଦ୍ୟୁତ, ପାନୀୟ ଜଳ, ଅଙ୍ଗନବାଡ଼ି, ଆଇଟିଡିଏ ପକ୍ଷରୁ ଚାଷ ସାମଗ୍ରୀ ସହ ଚାରା ପନିପରିବା ମଞ୍ଜି କୁକୁଡ଼ା ଛେଳି ପାଳନ ନିମନ୍ତେ ସହାୟତା ଯୋଗାଇ ଦିଆଯିବ। ଗଞେଇ ଚାଷ ବଦଳରେ ଏବେ ଫଳ, ପନିପରିବା, ଧାନ ଓ ମାଣ୍ଡିଆ ଚାଷ କରି ଆତ୍ମନିର୍ଭରଶୀଳ ହେବାକୁ ଆଶା ବାନ୍ଧିଛନ୍ତି ଗ୍ରାମବାସୀ। ନିଜ ଜମିରେ ବୈଧ ଚାଷ କରି ପରିବାର ପ୍ରତିପୋଷଣ ସହ ପିଲାମାନଙ୍କ ଭବିଷ୍ୟତ ଗଢ଼ିବା ଏବଂ ସମ୍ମାନର ସହ ଜୀବନଯାପନ କରିବାକୁ ସେମାନେ ଆଶା ରଖିଛନ୍ତି।
