CM Inauguration:ମୁଖ୍ୟମନ୍ତ୍ରୀଙ୍କ ଭେଟି: ୧,୬୦୮ ଆବାସ ଲୋକାର୍ପଣ, ଗାଡ଼କଣରେ ଭଡ଼ା ଆବାସ ପ୍ରକଳ୍ପର ଶିଳାନ୍ୟାସ
ଭୁବନେଶ୍ୱରରେ ୧,୬୦୮ଟି ସୁଲଭ ଆବାସ ଓ ୧୨ଟି ଅତ୍ୟାଧୁନିକ ଖେଳପଡ଼ିଆ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଭୁବନେଶ୍ୱର: ଗରିବ ପରିବାରଙ୍କୁ ସମ୍ମାନଜନକ ଜୀବନ ଓ ଶ୍ରମିକଙ୍କୁ ସୁଲଭ ଆବାସ ଯୋଗାଇଦେବା ଲକ୍ଷ୍ୟରେ ଭୁବନେଶ୍ୱରରେ ୧,୬୦୮ଟି ସୁଲଭ ଆବାସ ଏବଂ ୧୨ଟି ଅତ୍ୟାଧୁନିକ ଖେଳପଡ଼ିଆ ଲୋକାର୍ପିତ ହୋଇଛି। ମଙ୍ଗଳବାର ଘାଟିକିଆଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ପ୍ରକଳ୍ପଗୁଡ଼ିକୁ ଲୋକାର୍ପଣ କରିଛନ୍ତି। ଘାଟିକିଆରେ ‘ନୀଳକଣ୍ଠେଶ୍ୱର ନିବାସ’ ଏବଂ ଗାଡ଼କଣରେ ‘ମୁକ୍ତେଶ୍ୱର ରେସିଡେନ୍ସି’ ନିର୍ମାଣ କରାଯାଇଛି। ଗାଡ଼କଣରେ ପ୍ରାୟ ୯୫ କୋଟି ଟଙ୍କା ବ୍ୟୟରେ ୬୮୦ଟି ଘର ଏବଂ ଘାଟିକିଆରେ ୬୬ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟରେ ୯୨୮ଟି ଘର ନିର୍ମିତ ହୋଇଛି। ଏଥିସହ ବୁଦ୍ଧ ବିହାର, ନୀଳମାଧବ, ସୁବୁଦ୍ଧିପୁର ଓ ଶାନ୍ତିପଲ୍ଲୀଠାରେ ୯୬୨ଟି ପରିବାରଙ୍କୁ ଗୃହପ୍ରବେଶ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଖାଦ୍ୟ ପରେ ମଣିଷର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହେଉଛି ମୁଣ୍ଡ ଉପରେ ଛାତ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଅଧୀନରେ ଓଡ଼ିଶାରେ ୨ ଲକ୍ଷରୁ ଅଧିକ ଘର ମଞ୍ଜୁର ହୋଇଥିବାବେଳେ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ରେ ପ୍ରାୟ ୫ ଲକ୍ଷ ଘର ଯୋଗାଇବାକୁ ଲକ୍ଷ୍ୟ ରହିଛି। ଏହାସହ ପ୍ରବାସୀ ଶ୍ରମିକ ଓ ନିମ୍ନ ଆୟବର୍ଗଙ୍କ ପାଇଁ ‘PMAY-Urban BANDHU’ ଯୋଜନାରେ ଗାଡ଼କଣଠାରେ ସୁଲଭ ଭଡ଼ା ଆବାସ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ବିଡିଏ ଦ୍ୱାରା ବିକଶିତ ୧୨ଟି ଖେଳପଡ଼ିଆ ପିଲାମାନଙ୍କ କ୍ରୀଡ଼ା ପ୍ରତିଭା ବିକାଶ ଓ ବରିଷ୍ଠ ନାଗରିକଙ୍କ ସୁସ୍ଥତାରେ ସହାୟକ ହେବ। କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ବିଧାୟକ ବାବୁ ସିଂ ଓ ପ୍ରଶାନ୍ତ ଜଗଦେବ ଏବଂ ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲେ। ଏହି ପଦକ୍ଷେପ ଭୁବନେଶ୍ୱରକୁ ଏକ ସମାବେଶୀ ଓ ସନ୍ତୁଳିତ ସହର ଭାବେ ଗଢ଼ି ତୋଳିବା ସହ ଗରିବ ପରିବାରଙ୍କ ଜୀବନମାନରେ ଉନ୍ନତି ଆଣିବ ବୋଲି ଆଶା ପ୍ରକାଶ କରାଯାଇଛି। ତେବେ ବଜରଙ୍ଗୀ ଖେଳପଡ଼ିଆରେ ମେୟର ସୁଲୋଚନା ଦାସ ଓ ବିଡିଏ ଭିସି ଚଞ୍ଚଳ ରାଣାଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଦଘାଟନୀ ଫଳକରେ ମେୟର ସୁଲୋଚନାଙ୍କ ନାଁ ନଥିବାରୁ ବିଡିଏ ଭିସି ଚଞ୍ଚଳ ରଣାଙ୍କ ଉପରେ କ୍ଷୋଭ ଝାଡ଼ିଲେ। ଯେଉଁଠି ସମ୍ମାନ ନାହିଁ, ସେଠାରେ ରହିବା ଉଚିତ ନୁହେଁ। କାହା ଚାପରେ ଫଳକରେ ନାଁ ରଖାଗଲାନି ବୋଲି ଭିସିଙ୍କୁ ଝାଡ଼ିଲେ ମେୟର। ଶେଷରେ ଏକାମ୍ର ବିଧାୟକ ବାବୁ ସିଂ ଓ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବୁଝାସୁଝା ପରେ ନରମିଲେ ମେୟର।
