MAA BANADURGA :ମା’ ବନଦୁର୍ଗାଙ୍କ ଯାତ୍ରାରେ ହଜାର ହଜାର ଭକ୍ତ
ମନ୍ଦରଗିରି ପର୍ବତରେ ମା’ ବନଦୁର୍ଗାଙ୍କ ବାର୍ଷିକ ଯାତ୍ରା, ହଜାର ହଜାର ଭକ୍ତଙ୍କ ସମାଗମ।
ଅନୁଗୋଳ: ଅନୁଗୋଳ ବ୍ଲକର ଚାରିଟି ଗାଁର ସହଯୋଗରେ ମା’ ବନଦୁର୍ଗାଙ୍କ ବାର୍ଷିକ ପୂଜା ଓ ଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଙ୍କ ଯାତ୍ରାକୁ ନେଇ ଭକ୍ତଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଥିଲା। ଯାତ୍ରା ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ମନ୍ଦରଗିରି ପର୍ବତ ପରିସର ଚଳଚଞ୍ଚଳ ହୋଇଉଠିଥିଲା। ଅନୁଗୋଳ ଜିଲ୍ଲା ମହକୁମାଠାରୁ ପ୍ରାୟ ୧୦ରୁ ୧୨ କିଲୋମିଟର ଦୂରରେ ଥିବା ମନ୍ଦରଗିରି ପର୍ବତ ଉପରେ ମା’ ବନଦୁର୍ଗା କାହିଁ କେତେ କାଳରୁ ପୂଜା ପାଇଆସୁଛନ୍ତି। ମା’ଙ୍କ ମହିମା ଓ ଲୋକବିଶ୍ୱାସ ଯୋଗୁଁ ପ୍ରତିବର୍ଷ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଏଠାକୁ ଆସି ମା’ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରନ୍ତି। ମା’ଙ୍କ ପୀଠକୁ ନେଇ ଭକ୍ତମାନଙ୍କ ମଧ୍ୟରେ ରହିଛି ଅଗାଢ଼ ବିଶ୍ୱାସ। ମା’ଙ୍କ ନିକଟରେ ମାନସିକ ରଖିଲେ ତାହା ପୂରଣ ହୁଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ। ଏଥିପାଇଁ ଅନେକ ପରିବାର ନିଜ ଛୁଆପିଲାଙ୍କ କେଶ ମୁଣ୍ଡନ କରିବା ପାଇଁ ମଧ୍ୟ ମା’ଙ୍କ ପୀଠକୁ ଆସିଥାନ୍ତି। ମା’ଙ୍କ ବାର୍ଷିକ ଯାତ୍ରାରେ ବର୍ଷକୁ ବର୍ଷ ଭକ୍ତଙ୍କ ଭିଡ଼ ବଢ଼ିଚାଲିଥିବା ଦେଖାଯାଉଛି। ତେବେ ଏଠାକୁ ଯାତାୟାତ ପାଇଁ ରାସ୍ତା ସୁବିଧା ନଥିବାରୁ ଭକ୍ତଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।
ମା’ଙ୍କ ପୀଠକୁ ଯିବା ପାଇଁ ଗାଡ଼ି ଯୋଗେ ସିଧାସଳଖ ରାସ୍ତା ନଥିବାରୁ ଭକ୍ତମାନଙ୍କୁ ପ୍ରାୟ ୩ କିଲୋମିଟର ରାସ୍ତା ପାଦରେ ଚାଲି ଯିବାକୁ ପଡ଼େ। ଯାତ୍ରା ଦିନ ହଜାର ହଜାର ଭକ୍ତ ଏହି ରାସ୍ତାରେ ଚାଲି ମା’ଙ୍କ ଦର୍ଶନ ପାଇଁ ପହଞ୍ଚିଥାନ୍ତି। ରାସ୍ତା ସମସ୍ୟା ଥିଲେ ମଧ୍ୟ ମା’ଙ୍କ ପ୍ରତି ଭକ୍ତଙ୍କ ଆସ୍ଥା ଓ ଶ୍ରଦ୍ଧା କମିନାହିଁ। ମା’ ବନଦୁର୍ଗାଙ୍କ ଦର୍ଶନ ପାଇଁ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମଧ୍ୟ ପୀଠରେ ପହଞ୍ଚି ମା’ଙ୍କ ଆଶୀର୍ବାଦ ଲାଭ କରିଥିଲେ। ପରେ ସେ ପୀଠର ପାରିପାର୍ଶ୍ୱିକ ସ୍ଥିତି ଓ ଭକ୍ତଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ବିଶେଷକରି ରାସ୍ତା ସମସ୍ୟା ସମାଧାନ ନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ଏସବୁ ଅସୁବିଧାର ଖୁବ୍ଶୀଘ୍ର ସମାଧାନ ପାଇଁ ପଦକ୍ଷେପ ନେବାକୁ କହିଥିଲେ। ମା’ ବନଦୁର୍ଗାଙ୍କ ପ୍ରତି ଲୋକଙ୍କ ଅଗାଢ଼ ବିଶ୍ୱାସ ଓ ଭକ୍ତି ଯୋଗୁଁ ପ୍ରତିବର୍ଷ ଏହି ବାର୍ଷିକ ଯାତ୍ରାରେ ଭକ୍ତଙ୍କ ସମାଗମ ବଢ଼ିଚାଲିଛି।
