Luipa Degree College:ଲୁଇପା ଡିଗ୍ରୀ ମହାବିଦ୍ୟାଳୟରେ ଫର୍ମ ଫିଲପ୍ ନାଁରେ ଅର୍ଥ ହରିଲୁଟ୍ ଅଭିଯୋଗ
ଫର୍ମ ଫିଲପ୍ ନାଁରେ ଅର୍ଥ ହରିଲୁଟ୍ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ଉଦଳାର ଲୁଇପା ଡିଗ୍ରୀ ମହାବିଦ୍ୟାଳୟରୁ | ଏନେଇ କଲେଜରେ ତନାଘନା କରିଛନ୍ତି ବାରିପଦା ଓ ଉଦଳାରୁ ଦୁଇଟି ତଦନ୍ତକାରୀ ଟିମ୍ |

ମୟୂରଭଞ୍ଜ:ମୟୂରଭଞ୍ଜ ଜିଲ୍ଲା ଉଦଳା କପ୍ତିପଦା ଉପଖଣ୍ଡ ସ୍ଥିତ ଲୁଇପା ଡିଗ୍ରୀ ମହାବିଦ୍ୟାଳୟରେ ପରୀକ୍ଷା ଫର୍ମ ଫିଲପ୍ ନାଁରେ ବ୍ୟାପକ ଅନିୟମିତତା ଏବଂ ଅର୍ଥ ହରିଲୁଟ୍ ହୋଇଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ କଲେଜ୍ ପରିସରରେ ଉତ୍ତେଜନା ପ୍ରକାଶ ପାଇବା ପରେ ଆଜି ବାରିପଦା ଏବଂ ଉଦଳାରୁ ଦୁଇଟି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ମହାବିଦ୍ୟାଳୟରେ ପହଞ୍ଚି ତଦନ୍ତ ଜୋରଦାର କରିଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କଠାରୁ ପରୀକ୍ଷା ଫର୍ମ ଫିଲପ୍ ବାବଦରେ ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ଅଧିକ ଅର୍ଥ ଆଦାୟ କରାଯାଉଥିଲା। ଏହି ଶୋଷଣ ଏବଂ ଠକେଇ ବିରୋଧରେ ଛାତ୍ରଛାତ୍ରୀମାନେ ମୁହଁ ଖୋଲିବା ସହ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟାନୁଷ୍ଠାନ ବିରୋଧରେ ଅସନ୍ତୋଷ ପ୍ରକାଶ କରିଥିଲେ। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ଆଜି ବାରିପଦା ଓ ଉଦଳାରୁ ଆସିଥିବା ତଦନ୍ତକାରୀ ଅଧିକାରୀମାନେ କଲେଜରେ ପହଞ୍ଚି ବିଭିନ୍ନ ରେକର୍ଡପତ୍ର, ଫିସ୍ ରସିଦ୍ ଏବଂ ଆର୍ଥିକ ଲେଣଦେଣର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରୁଛନ୍ତି। ଏହି ତଦନ୍ତ ରିପୋର୍ଟ ଆଧାରରେ ସତ୍ୟ ସାମ୍ନାକୁ ଆସିବ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।
