Low Pressure in Bay Of Bengal: ଲଘୁଚାପ ଆଣୁଛି ବଡ଼ ବର୍ଷା!
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ସକ୍ରିୟ ହେବା ସମ୍ଭାବନା ରହିଛି। ଓଡ଼ିଶା-ଆନ୍ଧ୍ର ଉପକୂଳରେ ଭାରୀ ବର୍ଷା ନେଇ ପାଣିପାଗ ବିଭାଗର ନଜର ରହିଛି।

ବଙ୍ଗୋପସାଗରରେ ଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ଆଗାମୀ ୨୪ ଘଣ୍ଟାରେ ଅବପାତ ଏବଂ ପରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ସେପ୍ଟେମ୍ବର ୨୩ ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ–ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବା ନେଇ IMD ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ସେପ୍ଟେମ୍ବର ୨୨ରୁ ୨୭ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ଜାରି ରହିପାରେ। ୨୨ ତାରିଖରେ ଅତି ପ୍ରବଳ ବର୍ଷା, ୨୩ ଓ ୨୪ ତାରିଖରେ ଅତ୍ୟଧିକ ପ୍ରବଳ ବର୍ଷା ଏବଂ ୨୫ରେ ଅତି ପ୍ରବଳ ବର୍ଷାର ସତର୍କତା ରହିଛି। ବିଶେଷକରି ଦକ୍ଷିଣ ଓଡ଼ିଶା ଏବଂ ଉପକୂଳ ଅଞ୍ଚଳ ଉପରେ ଅଧିକ ପ୍ରଭାବ ପଡ଼ିପାରେ। ଗଞ୍ଜାମ, ଗଜପତି, କନ୍ଧମାଳ, ପୁରୀ ସମେତ ବିଭିନ୍ନ ଜିଲ୍ଲାରେ ଭାରୀରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି।ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନଯିବାକୁ ସତର୍କ କରାଯାଇଛି। ଭାରୀ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ, ହଠାତ୍ ବନ୍ୟା ଓ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ମଧ୍ୟ ରହିଛି।
