SI Bribery Arrest:ଲାଞ୍ଚ ଟଙ୍କା ଧରି ଦୌଡ଼ିଲେ ଏସ୍ଆଇ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଖସିଯିବାକୁ ଉଦ୍ୟମ କରିଥିଲେ ପୋଲିସ ଏସ୍ଆଇ। ରାସ୍ତାରୁ ପୋଖରୀ ପର୍ଯ୍ୟନ୍ତ ଚାଲିଥିଲା ଧରପଗଡ଼। ଶେଷରେ ଗିରଫ ହୋଇଛନ୍ତି ମହୁଲପାଲି ଥାନାର ଅଧିକାରୀ।

ସମ୍ବଲପୁର:ମାମଲା ଫାଇନାଲ୍ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଛନ୍ତି ପୋଲିସ ଏସ୍ଆଇ। ଗିରଫ ଅଧିକାରୀ ହେଉଛନ୍ତି ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନାର ସବ୍-ଇନ୍ସପେକ୍ଟର ସୁଜିତ କୁମାର ମହାନ୍ତ। ଏକ ମିସ୍ଲେନିୟସ୍ ମାମଲାର ତଦନ୍ତକାରୀ ଅଧିକାରୀ ଥିବା ସୁଜିତ, ମାମଲାର ଚୂଡ଼ାନ୍ତ ପ୍ରକ୍ରିୟା ଶେଷ କରିବା ପାଇଁ ଅଭିଯୋଗକାରୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗ ହେବା ପରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଯୋଜନାବଦ୍ଧ ଭାବେ ଚଢ଼ାଉ କରାଯାଇଥିଲା। ଲାଞ୍ଚ ଟଙ୍କା ନେବା ପରେ ଭିଜିଲାନ୍ସ ଟିମ୍କୁ ଦେଖି ସୁଜିତ ଖସିଯିବାକୁ ଉଦ୍ୟମ କରିଥିଲେ। ତାଙ୍କୁ ଧରିବା ପାଇଁ ରାସ୍ତାରେ ପିଛା କରିବା ସହ ପୋଖରୀ ଭିତରେ ମଧ୍ୟ ଧରପଗଡ଼ କରିବାକୁ ପଡ଼ିଥିଲା। ଶେଷରେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରି ଗିରଫ କରିଛି। ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ୨୧/୨୦୨୬ ନମ୍ବରରେ ମାମଲା ରୁଜୁ ହୋଇଛି। ପିସି ଆକ୍ଟ, ୨୦୧୮ର ଧାରା ୭ ଅନୁଯାୟୀ ଏସ୍ଆଇଙ୍କ ବିରୋଧରେ ମାମଲା ହୋଇଛି। ଗିରଫ ପରେ ତାଙ୍କୁ ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।
