Medical Crisis:ଅର୍ଥ ଅଭାବରୁ ଅଧାରେ ଚିକିତ୍ସା
ଅଳିଆ ଆବର୍ଜନାରେ ନିଆଁ ଲଗାଉଥିବାବେଳେ ହଠାତ୍ ବିସ୍ଫୋରଣ ଯୁବକଙ୍କ ଜୀବନକୁ ସଙ୍କଟରେ ପକାଇଛି। ଚିକିତ୍ସା ପାଇଁ କଟକ SCB ଯାଇ ଫେରିବା ପରେ ଅର୍ଥାଭାବ ଏବେ ପରିବାର ପାଇଁ ବଡ଼ ସମସ୍ୟା ପାଲଟିଛି।
ଅଳିଆ ଆବର୍ଜନାରେ ନିଆଁ ଲଗାଉଥିବାବେଳେ ବିସ୍ଫୋରଣ ଘଟି ଗୁରୁତର ହୋଇଛନ୍ତି ଜଣେ ଯୁବକ। ଗୁରୁତର ଯୁବକ ହେଉଛନ୍ତି ୟେଲେ ମହୁଲଡଗର ଗ୍ରାମର ଭୂତିଆ ପୂର୍ତ୍ତି। ଗତ ୨୫ ଅକ୍ଟୋବର ୨୦୨୬ରେ ଘର ନିକଟରେ ଥିବା ଅଳିଆ ଆବର୍ଜନାରେ ନିଆଁ ଲଗାଉଥିବା ସମୟରେ ସେଥିରେ ଥିବା କୌଣସି ଜିନିଷ ବିସ୍ଫୋରଣ ହୋଇଥିଲା। ଫଳରେ ତାଙ୍କ ଶରୀରର ବିଭିନ୍ନ ଅଂଶ, ହାତ ଓ ଗୋଡ଼ ପୋଡ଼ିଯାଇଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ କଟକ SCB ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ତେବେ ପରିବାରର କହିବା ଅନୁସାରେ, SCBରେ ତାଙ୍କୁ ଘରୋଇ ହସ୍ପିଟାଲର ICUରେ ଚିକିତ୍ସା କରାଇବାକୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଆର୍ଥିକ ଅଭାବ ଯୋଗୁଁ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇବା ପରିବାର ପକ୍ଷେ ସମ୍ଭବ ହୋଇନଥିଲା। ଫଳରେ ତାଙ୍କୁ ଘରକୁ ଫେରାଇ ଅଣାଯାଇଛି। ବର୍ତ୍ତମାନ ମଧ୍ୟ ତାଙ୍କ ଶରୀରର କ୍ଷତ ଶୁଖୁନଥିବାବେଳେ ଦିନକୁ ଦିନ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଥିବା ପରିବାର ପକ୍ଷରୁ କୁହାଯାଇଛି। ଏଭଳି ସ୍ଥିତିରେ ଭୂତିଆ ପୂର୍ତ୍ତିଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।
