Central Assistance For Odisha:ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତିର ସମୀକ୍ଷା
ବାତ୍ୟା ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟାରେ ଓଡ଼ିଶାର କ୍ଷୟକ୍ଷତି ସମୀକ୍ଷା। କେନ୍ଦ୍ରୀୟ ଆନ୍ତଃମନ୍ତ୍ରଣାଳୟ ଟିମ୍ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ । SRCଙ୍କ ପକ୍ଷରୁ ପ୍ରାରମ୍ଭିକ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ।

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରାଯାଇଛି। ଏନେଇ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଓଡ଼ିଶା ଗସ୍ତରେ ଆସିଥିବା ୮ ଜଣିଆ କେନ୍ଦ୍ରୀୟ ଆନ୍ତଃମନ୍ତ୍ରଣାଳୟ ଦଳ ଯୋଗଦେଇ କ୍ଷେତ୍ରୀୟ ଅନୁଧ୍ୟାନର ତଥ୍ୟ ଉପସ୍ଥାପନ କରିଥିଲେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ରବି ଶଙ୍କରଙ୍କ ନେତୃତ୍ୱରେ ଏହି ଦଳ ନଭେମ୍ବର ୩ ତାରିଖରେ ଗଜପତି ଏବଂ ୪ ତାରିଖରେ ଗଞ୍ଜାମ ଜିଲ୍ଲାର ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ସମୟରେ କୃଷି, ସଡ଼କ, ବିଦ୍ୟୁତ୍ ଭିତ୍ତିଭୂମି, ନଦୀବନ୍ଧ, କେନାଲ, ମାଛ ପୋଖରୀ ଓ ପ୍ରାଣୀସମ୍ପଦର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦଳ ଅନୁଧ୍ୟାନ କରିଥିଲେ।

ବୈଠକରେ ଜିଲ୍ଲାପାଳମାନେ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଆକଳନ ପାଇଁ ଆଉ କିଛିଦିନ ସମୟ ଆବଶ୍ୟକ ବୋଲି ଜଣାଇଥିଲେ। ଏଥିସହିତ ପ୍ରତି ଘରକୁ ଘର ସର୍ବେକ୍ଷଣ କରିବାକୁ କେନ୍ଦ୍ରୀୟ ଦଳ ପରାମର୍ଶ ଦେଇଥିଲେ। ପ୍ରଭାବିତ ଅଞ୍ଚଳରେ ନଦୀବନ୍ଧ ଓ କେନାଲର ଉଚ୍ଚତା ବୃଦ୍ଧି, ସୁଦୃଢ଼ୀକରଣ, ରାସ୍ତା ଓ ସେତୁର ପୁନର୍ନିର୍ମାଣ ଏବଂ ପାନୀୟ ଜଳ ଭିତ୍ତିଭୂମିର ପୁନଃସ୍ଥାପନ ଉପରେ ଆଲୋଚନା ହୋଇଥିଲା। ଏସ୍ଆର୍ସି ଶ୍ରୀ ରାଜେଶ ପ୍ରଭାକର ପାଟିଲ ବିଭିନ୍ନ ବିଭାଗର ତଥ୍ୟ ଆଧାରରେ ପ୍ରସ୍ତୁତ ପ୍ରାରମ୍ଭିକ କ୍ଷୟକ୍ଷତି ବିବରଣୀ କେନ୍ଦ୍ରୀୟ ଦଳକୁ ପ୍ରଦାନ କରିଥିଲେ। ମୁଖ୍ୟ ଶାସନ ସଚିବ ରାଜ୍ୟର ବିପର୍ଯ୍ୟୟ ପରିଚାଳନା, ଆଗୁଆ ପ୍ରସ୍ତୁତି, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ସହ ଭବିଷ୍ୟତରେ ବିପର୍ଯ୍ୟୟର ପ୍ରଭାବ ହ୍ରାସ ପାଇଁ ପ୍ରତିରୋଧୀ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ପୁନର୍ନିର୍ମାଣ ଓ ଭିତ୍ତିଭୂମି ସୁଦୃଢ଼ୀକରଣ ପାଇଁ କେନ୍ଦ୍ରୀୟ ସହାୟତା ନେଇ ମଧ୍ୟ ଆଲୋଚନା ହୋଇଥିଲା।
