Cuttack hit and run:ସରକାରୀ ଗାଡ଼ି ଧକ୍କାରେ ଯୁବକ ମୃତ
ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ ପଛପଟୁ ଧକ୍କା ଦେଲା ସରକାରୀ ଗାଡ଼ି। ଗୁରୁତର ଯୁବକଙ୍କୁ ମେଡିକାଲରେ ଛାଡ଼ି ଫେରାର ହୋଇଥିବା ଅଧିକାରୀଙ୍କୁ ନେଇ ଏବେ ଚର୍ଚ୍ଚା। ସିସିଟିଭି ଦୃଶ୍ୟ ଆସିଛି ସାମ୍ନାକୁ।

କଟକ:ପୁଣି ସରକାରୀ ଗାଡ଼ି ଧକ୍କାରେ ଗଲା ଜଣେ ନିରୀହ ଯୁବକଙ୍କ ଜୀବନ। କଟକ ମଧୁପାଟଣା ଥାନା ଅନ୍ତର୍ଗତ ନେତାଜୀ ନଗର ପଞ୍ଚମୁଖୀ ହନୁମାନ ରାସ୍ତାରେ ଗତ ବୁଧବାର ରାତିରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଉଛନ୍ତି ୪୪ ବର୍ଷୀୟ ପ୍ରଦୀପ ପରିଡ଼ା। ସେ ଜଗତସିଂହପୁର ଜିଲ୍ଲାର ମୂଳ ବାସିନ୍ଦା ଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ପ୍ରଦୀପ ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ ଢେଙ୍କାନାଳ ପୌରପାଳିକା କାର୍ଯ୍ୟାଳୟର ଏକ ଗାଡ଼ି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଧକ୍କା ଦେବା ପରେ ଗାଡ଼ିଟି ଘଟଣାସ୍ଥଳରୁ ଖସିଯିବାକୁ ଉଦ୍ୟମ କରିଥିଲା। ତେବେ ସ୍ଥାନୀୟ ଲୋକେ ଗାଡ଼ି ଚାଳକଙ୍କୁ ଅଟକାଇଥିଲେ। ପରେ ସେହି ଗାଡ଼ିରେ ଗୁରୁତର ପ୍ରଦୀପଙ୍କୁ କଟକ SCB ମେଡିକାଲକୁ ପଠାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୋଗ ଅନୁସାରେ, ପ୍ରଦୀପଙ୍କୁ ମେଡିକାଲରେ ଛାଡ଼ିବା ପରେ ପୌର ନିର୍ବାହୀ ଅଧିକାରୀ ସେଠାରୁ ଚାଲିଯାଇଥିଲେ। ଅନ୍ୟପଟେ, ଦୁର୍ଘଟଣାର CCTV ଦୃଶ୍ୟ ସୋସିଆଲ ମିଡିଆରେ ପ୍ରସାରିତ ହେଉଛି। ପୋଲିସ ପକ୍ଷରୁ ମୃତଦେହର ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି। ଏନେଇ ମଧୁପାଟଣା ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଘଟଣାର ତଦନ୍ତ ଜାରି ରହିଛି।
